ନୂଆଦିଲ୍ଲୀ ୧୬।୦୪: ଟିମ୍ ଇଣ୍ଡିଆର ସଫଳ ଅଧିନାୟକଙ୍କ ତାଲିକାରେ ରୋହିତ ଶର୍ମା ସାମିଲ। ରୋହିତଙ୍କ ଅଧିନାୟକତ୍ୱରେ ଭାରତ ପହଞ୍ଚିଥିଲା ୨୦୨୩ ODI ବିଶ୍ୱକପ୍ ଫାଇନାଲରେ । ଏହା ପରେ ୨୦୨୪ T20 ବିଶ୍ୱକପ୍ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ହାତେଇଥିଲା ଟାଇଟଲ । ଏବେ ରୋହିତଙ୍କ ପାଇଁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି । ୱାଙ୍ଖଡେ ଷ୍ଟାଡିୟମରେ ରୋହିତଙ୍କ ନାଁରେ କରାଯିବ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡ ।
ମୁମ୍ବାଇ କ୍ରିକେଟ ଆସୋସିଏସନ୍ ଏନେଇ ନିଷ୍ପତି ନେଇଛି । MCA ମଧ୍ୟ ଏହାକୁ ଅନୁମୋଦନ ଦେଇଛି । ତେବେ ରୋହିତଙ୍କୁ ସମ୍ମାନିତ କରିବା ପାଇଁ ନିଆଯାଇଛି ଏହି ପଦକ୍ଷେପ । ରୋହିତଙ୍କ ସହିତ ଶରଦ ପାୱାର ଏବଂ ଅଜିତ ୱାଡେକରଙ୍କ ନାଁରେ ମଧ୍ୟ ଷ୍ଟାଣ୍ଡ ତିଆରି କରାଯିବ । କିନ୍ତୁ ଏ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନି ।
ରୋହିତ ଶର୍ମା ଭାରତ ପାଇଁ ପ୍ରତ୍ୟେକ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବିଶେଷ କଥା ହେଉଛି ରୋହିତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ତିନୋଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ରୋହିତଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ର ଶେଷ ମ୍ୟାଚ୍ ଖେଳିଥିଲା। କିନ୍ତୁ ଏଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଭାରତ ଦିନିକିଆ ବିଶ୍ୱକପ ଫାଇନାଲ ମଧ୍ୟ ଖେଳିଥିଲା। ଏହାପରେ ସେ T20 ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ।
ତେବେ ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଷ୍ଟାଣ୍ଡ ନିର୍ମାଣ ହୋଇସାରିଛି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ବିରାଟ କୋହଲିଙ୍କ ନାମରେ ମଧ୍ୟ ଏକ ଷ୍ଟାଣ୍ଡ ରହିଛି । ସେହିପରି ଇଡେନ ଗାର୍ଡେନ୍ସରେ ସୌରଭ ଗାଙ୍ଗୁଲି, ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି ଷ୍ଟାଣ୍ଡ । ଆଉ ଏବେ ଏହି ତାଲିକାରେ ଯୋଡି ହୋଇଛି ରୋହିତଙ୍କ ନାଁ ।