ଅଧା ରହିଗଲା ଗଙ୍ଗାସ୍ନାନ, ନାଳନ୍ଦାରୁ ଫତୁହା ଯିବାବେଳେ ଅଟୋକୁ ଧକ୍କା ଦେଲା ଟ୍ରକ୍

Published By : Prameya-News7 Bureau | August 23, 2025 IST

ବିହାର ୨୩/୦୮: ଅଶୁଭ ଶନିବାର । ବିହାର ରାଜଧାନୀ ପାଟନା ଦାନିଆୱାନରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୬ ଜଣ ଆହତ ବି ହୋଇଛନ୍ତି । ସମସ୍ତ ଯାତ୍ରୀ ଅଟୋରେ ଗଙ୍ଗା ସ୍ନାନ କରିବାକୁ ନାଳନ୍ଦାରୁ ଫତୁହା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଅଟୋଟି ଖଣ୍ଡ ଖଣ୍ଡ ହୋଇଗଲା। 

ଦୁର୍ଘଟଣା ପରେ, ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ପଳାଇଗଲା । ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପାଟନା ରେଫର କରାଯାଇଥିଲା। 

କୁହାଯାଉଛି ଯେ ସମସ୍ତ ଲୋକ ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଅବସ୍ଥିତ ରେରି ମାଲମା ଗାଁର ବାସିନ୍ଦା ଥିଲେ । ଆଜି ସକାଳେ ଫତୁହା ଗଙ୍ଗାରେ ସ୍ନାନ କରିବାକୁ ଯାଉଥିଲେ। ସମସ୍ତେ ସମାନ ଗାଁର ବାସିନ୍ଦା । ଏହି ସମୟରେ ଅଲଟ୍ରାଟେକ୍ କାରଖାନା ନିକଟରେ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଯେଉଁଥିରେ ସାତ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଆହତମାନଙ୍କୁ ପାଟନାରେ ଚିକିତ୍ସା କରାଯାଉଛି। ମୃତକଙ୍କ ମଧ୍ୟରେ ସାତ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଛଅ ଜଣ ଆହତ ହୋଇଛନ୍ତି । ଯେଉଁମାନେ ପାଟନାରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନଙ୍କୁ ଚିହ୍ନଟ କରାଯାଉଛି। ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି। ଫେରାର୍ ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଖୋଜା ଚାଲିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.