ଡେରାଡୁନ ୩୦।୫: ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ କୋର୍ଟ ଶୁକ୍ରବାର ରାୟ ଘୋଷଣା କରିଛନ୍ତି। ଅଭିଯୁକ୍ତ ୩ ଜଣ ପୁଲକିତ ଆର୍ଯ୍ୟ, ସୌରଭ ଭାସ୍କର ଓ ଅଙ୍କିତ ଗୁପ୍ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ କୋର୍ଟ ପୀଡ଼ିତ ପକ୍ଷଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପାଖାପାଖି ୨ ବର୍ଷ ୮ ମାସ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ଏହି ସମୟରେ ୯୭ ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ୧୯ ବର୍ଷ ବୟଷ୍କା ଅଙ୍କିତାଙ୍କ ହତ୍ୟାର ଦୋଷୀ ସେହି ହୋଟେଲର ମାଲିକ ଥିଲେ ଯେଉଁଠି ଅଙ୍କିତା କାମ କରୁଥିଲେ। ଉତ୍ତରାଖଣ୍ଡ ପୌଡି ଜିଲ୍ଲା ୟମେକେଶ୍ୱର ବ୍ଲକର ଅଙ୍କିତାଙ୍କୁ ୧୮ ସେପ୍ଟେମ୍ବର ୨୦୨୨ରେ ହତ୍ୟା କରାଯାଇଥିଲା। ଅଙ୍କିତା ୟମକେଶ୍ୱର ବ୍ଲକ୍ ବନତାରା ରିସର୍ଟରେ ରିସେପସନିଷ୍ଟ ଭାବେ କାମ କରୁଥିଲେ। ଏହିଠାରୁ ସେ ନିଖୋଜ ହୋଇଥିଲେ।
ପୋଲିସ ଅନୁସାରେ ରିସର୍ଟ ସଞ୍ଚାଳକ ପୁଲକିତ ଆର୍ଯ୍ୟ ତାଙ୍କର ୨ କର୍ମଚାରୀଙ୍କ ସହ ମିଶି ଅଙ୍କିତାଙ୍କୁ ଚିଲ୍ଲା ନହରକୁ ଠେଲି ହତ୍ୟା କରିଥିଲେ। ପୋଲିସ ତଦନ୍ତ କାଳରେ ରିସର୍ଟରେ ଅବସ୍ଥାନ କରୁଥିବା ଜନୈକ ଭିଆଇପିଙ୍କୁ ଅଙ୍କିତା ଏକ୍ସଟ୍ରା ସର୍ଭିସ ଦେବାକୁ ମନା କରିଦେଇଥିଲେ। ଏହି ବିବାଦକୁ ନେଇ ତାଙ୍କୁ ହତ୍ୟା କରାଯାଇଥିଲା। ମାମଲାରେ ବିଜେପିର ପୂର୍ବତନ ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟ ଓ ତାର ଦୁଇ ସହଯୋଗୀ ଏବେ ଜେଲରେ ଅଛନ୍ତି।
ଋଷିକେଶ ନିକଟସ୍ଥ ବନତାରା ରିସର୍ଟରେ ରିସେପସନିଷ୍ଟ ଭାବେ କାମ କରୁଥିବା ଅଙ୍କିତା ୧୮ ସେପ୍ଟେମ୍ବର ୨୦୨୨ରେ ନିଖୋଜ ହୋଇଯାଇଥିଲେ। ୫ ଦିନ ପରେ ତାଙ୍କ ଶବ ଚିଲ୍ଲା ନହରରୁ ଜବତ ହୋଇଥିଲା। ମାମଲା ଜଣାପଡିବା ପରେ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ ଏକ ନିଖୋଜ ରିପୋର୍ଟ ରୁଜୁ କରିଥିଲେ। ପୁଲକିତ ଆର୍ଯ୍ୟ ବିରୋଧରେ ଆଇପିସିର ଧାରା ୩୦୨, ୨୦୧, ୩୫୪(ଏ) ଏବଂ ଅନୈତିକ ଦେହ ବ୍ୟବସାୟ ନିବାରଣ ଆକ୍ଟରେ ଅଭିଯୋଗ ରୁଜୁ ହୋଇଥିଲା।
ଏହି ମାମଲାର ତଦନ୍ତ ନିମନ୍ତେ ଏସଆଇଟି ଗଠନ ହୋଇଥିଲା। ମାମଲାରେ ପୋଲିସ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ସେହିପରି ପ୍ରସିକ୍ୟୁସନ ଓକିଲ ୪୭ ଜଣ ସାକ୍ଷ ଉପସ୍ଥାପନ କରିଥିଲେ।