ବଙ୍ଗୋପସାଗରକୁ ପ୍ରବେଶ କଲା Typhoon Wiphaର ଅବଶେଷ, ବର୍ଷା ସାଙ୍ଗକୁ ୫୦ କିମି ବେଗରେ ବହିପାରେ ପବନ

Published By : Prameya-News7 Bureau | July 24, 2025 IST

ନୂଆଦିଲ୍ଲୀ ୨୪।୭: ସିଙ୍ଗାପୁର ଓ ଚୀନ୍ ଉପକୂଳରେ ତାଣ୍ଡବ ରଚିବା ପରେ ଟାଇଫୁନ ୱିଫାର ଅବଶେଷ ଗୁରୁବାର ବଙ୍ଗୋପସାଗରକୁ ପ୍ରବେଶ କରିଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହା କ୍ରମଶଃ ଅଧିକ ସବଳ ହୋଇ ଉପକୂଳ ଅତିକ୍ରମ କରିପାରେ।ଏହାର ପ୍ରଭାବରେ ଭାରତର ବିସ୍ତିର୍ଣ୍ଣ ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ଆକଳନ କରିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। 

ଆଇଏମଡିଙ୍କ ଆକଳନ ଅନୁସାରେ ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ସ୍ପଷ୍ଟ ରୂପେ ବିକଶିତ ହେବା ସହ ଉତ୍ତର ଓଡିଶା, ଏହାକୁ ଲାଗି ରହିଥିବା ପଶ୍ଚିମବଙ୍ଗର ଉପକୂଳ ଅଞ୍ଚଳ  ଓ  ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହା ଉତ୍ତର ଓଡିଶା ଏବଂ ଗଙ୍ଗା-ପଶ୍ଚିମବଙ୍ଗ ସମୁଦ୍ର ଉପରେ ଅଧିକ କେନ୍ଦ୍ରିତ ରହିବ। ରିପୋର୍ଟ ଅନୁସାରେ ଲଘୁଚାପର ମୁଖ୍ୟ କେନ୍ଦ୍ର ଏବେ ବଙ୍ଗୋପସାଗର ଉପରେ ରହିପାରେ। ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡିଶା ଓ ଝାଡ଼ଖଣ୍ଡର ଅନେକ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ବହିବାର ଆକଳନ କରାଯାଉଛି। 


ତେବେ ଏହାର ସବୁଠୁ ଅଧିକ ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ଉତ୍ତର ଭାରତୀୟ ସମତଳ ଅଞ୍ଚଳରେ ଦେଖାଯାଇ ପାରେ। ଯାହା ଗୁରୁବାର ଠାରୁ ଅନୁଭୂତ ହେବାରେ ଲାଗିଲାଣି। ଲଘୁଚାପ ପ୍ରଭାବରେ ଗୁରୁବାର ଉପକୂଳ ଓଡିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିସ୍ତୃତ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏହି ଲଘୁଚାପର ପ୍ରଭାବ ଅଲଗା ଅଲଗା ରାଜ୍ୟରେ ଏକ ସାଙ୍ଗରେ ଅନୁଭୂତ ହେବା ନାହିଁ। ଏହା ଯେତିକି ଯେତିକି ଆଗକୁ ଅଗ୍ରସର ହେବ ସେହି ଅନୁସାରେ ଗୋଟିଏ ଗୋଟିଏ କରି ରାଜ୍ୟରେ ଏହାର ପ୍ରଭାବ ଦେଖାଯିବ। 


ରିପୋର୍ଟ ଅନୁସାରେ ଆଗାମୀ ୨୪ ଘଣ୍ଟାରେ କୋଙ୍କଣ, ଗୋଆ, ଉପକୂଳ କର୍ଣ୍ଣାଟକ, ବିଦର୍ଭ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡିଶା, ଝାଡ଼ଖଣ୍ଡ, ଉତ୍ତର ତେଲେଙ୍ଗାନାରେ ମଧ୍ୟମରୁ ଭୀଷଣ ବର୍ଷା ସମ୍ଭାବନା ରହିଛି। ଏହା ଛଡା, ଆସାମ, ଉପକୂଳ ଆନ୍ଧ୍ରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଦକ୍ଷିଣ ଗୁଜରାଟ ଓ ପୂର୍ବ ରାଜସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହା ଛଡା ପୂର୍ବୋତ୍ତର ଭାରତ, ସିକ୍କିମ, ପଶ୍ଚିମବଙ୍ଗ, ପୂର୍ବଉତ୍ତରପ୍ରଦେଶ, ବିହାର, ମରାଠାବାଡ, ମଧ୍ୟ ମହାରାଷ୍ଟ୍ର, କେରଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.