ନୂଆଦିଲ୍ଲୀ : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ମାମଲାରେ ଟ୍ରିବ୍ୟୁନାଲର ରିପୋର୍ଟ ଆସିଛି। ରିପୋର୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଦାୟୀ କରାଯାଇଛି। ଏହି ଦଳାଚକଟାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଜଣେ ୧୪ ବର୍ଷିୟା ଝିଅ ମଧ୍ୟ ସାମିଲ ଥିଲେ। ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଆରସିବି ପୁଲିସ ଠାରୁ ପୂର୍ବରୁ କୌଣସି ଅନୁମତି ନେଇ ନଥିଲା। ହଠାତ୍ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଇ ଥିଲା। ପୁଲିସକର୍ମୀ ମଧ୍ୟ ମଣିଷ, ତାଙ୍କ ପାଖରେ ଅଲାଦୀନର ଦୀପ ନାହିଁ।
ଟ୍ରିବ୍ୟୁନାଲ କହିଛି ଯେ, ଆରସିବି ସୋସିଆଲ ମିଡ଼ିଆରେ ପୁଲିସର ବିନା ଅନୁମତିରେ ବିଜୟ ଶୋଭାଯାତ୍ରାର ନିମନ୍ତ୍ରଣ ପତ୍ର ପୋଷ୍ଟ କରି ଦେଲା, ଯେଉଁଥିରେ ଖୁବ୍ ଭିଡ଼ ଆରମ୍ଭ ହୋଇ ଯାଇଥିଲା ଏବଂ ପୁଲିସ ପାଖରେ ସୁରକ୍ଷା ବନ୍ଦୋବସ୍ତ ପାଇଁ ପର୍ଯ୍ୟାପ୍ତ ସମୟ ନଥିଲା। ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଲେଖାଯାଇ ଥିଲା, ଆରସିବି ପୁଲିସ ଠାରୁ ପୂର୍ବରୁ କୌଣସି ଅନୁମତି ମାଗି ନଥିଲା। ହଠାତ୍ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲା ଏବଂ ଏଥିଯୋଗୁଁ ଭିଡ ଜମି ଗଲା। ପାଖାପାଖି ୧୨ ଘଣ୍ଟାରେ ପୁଲିସ ଠାରୁ ପୂରା ବ୍ୟବସ୍ଥାର ଆଶା କରାଯାଇ ପାରିବ ନାହିଁ।
ଟ୍ରିବ୍ୟୁନାଲ ଏହା ମଧ୍ୟ କହିଛି, ପୁଲିସକର୍ମୀ ମଧ୍ୟ ମଣିଷ, ଭଗବାନ ନୁହେଁ ଏବଂ ନା କି ସେ ଯାଦୁଗର। ତାଙ୍କ ପାଖରେ ଅଲାଦୀନର ଦୀପ ନାହିଁ , ଯେଉଁଥିରେ ସେ ଗୋଟିଏ ଝଟକାରେ ସବୁ ବ୍ୟବସ୍ଥା କରି ଦେବେ। ଏହି ମାମଲାରେ ନିଲମ୍ୱିତ କରାଯାଇ ଥିବା ଆଇପିଏସ ଅଧିକାରୀ ବିକାଶ କୁମାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଟ୍ରିବ୍ୟୁନାଲ ତାଙ୍କର ନିଲମ୍ୱିତକୁ ବାତିଲ କରି କହିଛନ୍ତି ଯେ, ତାଙ୍କର ନିଲମ୍ୱିତ ଅବଧିକୁ ସେବାର ଅଂଶ ମନେ କରାଯିବ। ବିକାଶ କୁମାର ସେହି ସମୟରେ ବେଙ୍ଗାଲୁରୁର ୱେଷ୍ଟ ଜୋନ୍ର ଆଡିସନାଲ କମିଶନର ଓ ଚିନ୍ନାସ୍ୱାମୀ ଷ୍ଟାଡିୟମର ପ୍ରଭାରୀ ଥିଲେ।
ଟ୍ରିବ୍ୟୁନାଲ କର୍ଣ୍ଣାଟକ ସରକାରଙ୍କୁ ଏହି ପରମର୍ଶ ମଧ୍ୟ ଦେଇଛନ୍ତି ଯେ, ସେ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀ ବେଙ୍ଗାଲୁରୁର ତତ୍କାଳୀନ ପୁଲିସ କମିଶନର ବି ଦୟାନନ୍ଦ ଓ ଡିସିପି ଶେଖର ଏଚ୍ ଟେକ୍କନ୍ନଭରଙ୍କର ନିଲମ୍ୱନ ଉପରେ ପୁନର୍ବିଚାର କରନ୍ତୁ।
ଟ୍ରିବ୍ୟୁନାଲ କହିଛନ୍ତି , ପୁଲିସ ଅଧିକାରୀଙ୍କ ନିଲମ୍ୱନର ନିଷ୍ପତ୍ତି ପର୍ଯ୍ୟାପ୍ତ ପ୍ରମାଣ ଉପରେ ଆଧାରିତ ନୁହେଁ। ନିଷ୍ପତ୍ତି ସମୟରେ ଏମିତ କୌଣସି ଦୃଢ କିମ୍ୱା ଠୋସ୍ ଆଧାର ନଥିଲା, ଯେଉଁଥିରେ ଏହା ସାବ୍ୟସ୍ତ ହେବ ଯେ ଏହି ଅଧିକାରୀଙ୍କ ଅବହେଳାରେ ଏହି ଦୁର୍ଘଟଣା ହୋଇଛି। ହେଲେ, ସରକାର ଚାହିଁଲେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇ ପାରିବେ।
ଉଲ୍ଲେଖନୀୟ ଯେ, ୪ଜୁନରେ ହୋଇଥିବା ଏହି ଦଳାଚକଟା ପର ଠାରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ବିଜେପି ଓ ଜେଡିଏସ ସରକାର ଉପରେ ସିଧା ହମଲା କରି ଏହାକୁ ସରକାରଙ୍କ ପ୍ରାୟୋଜିତ ଦଳାଚକଟା ବୋଲି କହିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ୯ଜୁନରେ କର୍ଣ୍ଣାଟକ ସରକାର ୫ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଲମ୍ୱିତ କରିଥିଲେ , ଯେଉଁଥିରେ ବିକାଶ କୁମାର , ବି ଦୟାନନ୍ଦ (ପୁଲିସ କମିଶନର) ଶେଖର ଏଚ ଚେକ୍କନଭର (ଡିସିପି) , ସି ବାଲକୃଷ୍ଣ (ଏସିପି) ଓ ଏ କେ ଗିରିଶ (ଇନସ୍ପେକ୍ଟର , କ୍ୟୁବନ ପାର୍କ ) ସାମିଲ ଅଛନ୍ତି।