ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାର ୮୮ତମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଭାରତୀୟ କମ୍ପାନୀ ଭାବେ ବଜାୟ ରଖିଲା ଶୀର୍ଷ ସ୍ଥାନ

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ/ ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୨୦୨୫ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୮୮ତମ ସ୍ଥାନରେ ପହଞ୍ଚିଛି। ମୋଟ ୯ଟି ଭାରତୀୟ କମ୍ପାନୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ତାଲିକାରେ ସର୍ବୋଚ୍ଚ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀ। ରିଲାଏନ୍ସ ଲଗାତାର ୨୨ ବର୍ଷ ଧରି ପ୍ରତିଷ୍ଠିତ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ନିଜର ସ୍ଥାନ ବଜାୟ ରଖିଛି। କୌଣସି ଘରୋଇ କ୍ଷେତ୍ରର ଭାରତୀୟ କମ୍ପାନୀ ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ତାଲିକାରେ ରହିପାରିନାହିଁ। ଯଦିଓ ଗତ ବର୍ଷ କମ୍ପାନୀର ରାଙ୍କିଙ୍ଗ ୮୬ ରହିଥିଲା, କିନ୍ତୁ ଏହା ୨୦୨୧ ଠାରୁ ୬୭ ସ୍ଥାନ ଉପରକୁ ଉଠିଛି, ଯେତେବେଳେ ଏହା ୧୫୫ତମ ସ୍ଥାନରେ ରହିଥିଲା।

ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ, ମୋଟ ରାଜସ୍ୱ ଆଧାରରେ କମ୍ପାନୀଗୁଡ଼ିକୁ ସ୍ଥାନ ଦିଆଯାଇଛି। ତାଲିକାରେ ପାଞ୍ଚଟି ସରକାରୀ କ୍ଷେତ୍ରର ଏବଂ ଚାରିଟି ଘରୋଇ କ୍ଷେତ୍ରର ଭାରତୀୟ କମ୍ପାନୀ ଅନ୍ତର୍ଭୁକ୍ତ ରହିଛନ୍ତି। ରିଲାଏନ୍ସ ୮୮ତମ ସ୍ଥାନ ଅଧିକାର କରିଥିବା ବେଳେ ଏଲଆଇସି ୯୫ତମ ସ୍ଥାନରେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ୧୨୭ତମ ସ୍ଥାନରେ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୬୩ତମ ସ୍ଥାନରେ, ଓଏନଜିସି ୧୮୧ତମ ସ୍ଥାନରେ, ଏଚଡ଼ିଏଫସି ବ୍ୟାଙ୍କ ୨୫୮ତମ ସ୍ଥାନରେ, ଟାଟା ମୋଟର୍ସ ୨୮୩ତମ ସ୍ଥାନରେ, ବିପିସିଏଲ ୨୮୫ତମ ସ୍ଥାନରେ ଏବଂ ଆଇସିଆଇସିଆଇ ବ୍ୟାଙ୍କ ୪୬୪ତମ ସ୍ଥାନରେ ରହିଛନ୍ତି।

ରିଲାଏନ୍ସ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ୧,୦୭୧,୧୭୪ କୋଟି ଟଙ୍କାର ରେକର୍ଡ ସମନ୍ୱିତ ମୋଟ ରାଜସ୍ୱ ରେକର୍ଡ କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୭.୧ ପ୍ରତିଶତ ବୃଦ୍ଧି ପାଇଥିଲା। ରିଲାଏନ୍ସ ଏହାର ସମସ୍ତ ବ୍ୟବସାୟ ଯେପରିକି ତୈଳ ରୁ ରସାୟନ, ତୈଳ ଏବଂ ଗ୍ୟାସ, ରିଟେଲ ଏବଂ ଡିଜିଟାଲ୍ ସେବାରେ ଜବରଦସ୍ତ ଅଭିବୃଦ୍ଧି ରେକର୍ଡ କରିଥିଲା।

ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୱାଲମାର୍ଟ, ଆମାଜନ ଏବଂ ଷ୍ଟେଟ୍ ଗ୍ରୀଡ୍ ପ୍ରଥମ ତିନୋଟି କମ୍ପାନୀ ରହିଛନ୍ତି। ଏହା ବ୍ୟତୀତ, ଚାଇନା ନ୍ୟାସନାଲ୍ ପେଟ୍ରୋଲିୟମ୍, ସାଉଦି ଆରାମକୋ ଏବଂ ଆପଲ୍ ଭଳି କମ୍ପାନୀଗୁଡ଼ିକ ଶୀର୍ଷ ୧୦ ରେ ସ୍ଥାନ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.