ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ କାରବାର ତେଲଠାରୁ ଆରମ୍ଭ କରି ଖେଳ ଯାଏ ବ୍ୟାପ୍ତ । କିନ୍ତୁ ଏବେ ସେ ତେଲରେ ବଡ଼ ଖେଳ କରିବାକୁ ପ୍ରସ୍ତୁତି କରୁଛନ୍ତି । ସାରା ଦୁନିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାରକୁ ନେଇ ଭୟ ରହିଛି । ଟ୍ରମ୍ପ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ ଯଦି ବ୍ୟବସାୟ କରିବାର ଅଛି ତେବେ ଟାରିଫ୍ ଦେବାକୁ ପଡ଼ିବ । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ମୁକେଶ ଅମ୍ୱାନୀ ବି କଡ଼ା ଜବାବ ଦେଇଛନ୍ତି । ମୁକେଶ ଅମ୍ୱାନୀଙ୍କ ଅଭିମୁଖ୍ୟରୁ ଜଣାପଡ଼ୁଛି ଯେ ସେ ଟ୍ରମ୍ପଙ୍କୁ ଟାରିଫ୍ ଦେବାକୁ ଚାହୁଁନାହାନ୍ତି । ଉଲ୍ଲେଖଯୋଗ୍ୟ, ସାରା ଦୁନିଆରେ ଟାରିଫ୍ ୱାରକୁ ନେଇ ମୁକେଶ ଅମ୍ୱାନୀ ବଡ଼ ନିଷ୍ପତ୍ତି ନେଇଛନ୍ତି ଓ ସାଉଥ୍ ଆମେରିକୀୟ ଦେଶରୁ ତେଲ ନକିଣିବା ଉପରେ ନିଷ୍ପତ୍ତି ନେଇଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍) ଦେଶର ସବୁଠୁ ବଡ଼ ଅୟଲ୍ ରିଫାଇନରୀ । ଏବେ କମ୍ପାନି ଭେନେଜୁଏଲାଠାରୁ ଅଶୋଧିତ ତୈଳ କିଣିବା ଉପରେ ଅସ୍ଥାୟୀ ରୋକ ଲଗାଇଛି । ଏହି ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭେନେଜୁଏଲାରୁ ତେଲ କିଣୁଥିବା ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ଘୋଷଣା ପରେ ନିଆଯାଇଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାରତର ସବୁଠୁ ବଡ଼ ଘରୋଇ ରିଫାଇନରୀ ଏବଂ ଭେନେଜୁଏଲାରୁ ଅଶୋଧିତ ତେଲ ଆମଦାନୀ କରୁଛି । କମ୍ପାନିକୁ ଗତ ବର୍ଷ ଆମେରିକା ଅଧିକାରୀଙ୍କଠାରୁ ଏହି ଆମଦାନୀ ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଥିଲା । ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନୂଆ ଆଦେଶ ଅନୁସାରେ, ଭେନେଜୁଏଲାରୁ ତେଲ କିଣୁଥିବା ସବୁ ଦେଶଙ୍କ ଉପରେ ଏପ୍ରିଲ ୨ରୁ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଭେନେଜୁଏଲାରୁ ଭାରତ ଆମଦାନୀ କରୁଥିବା ମୋଟ ତେଲର ୯୦ ପ୍ରତିଶତ ରିଏଲାନ୍ସ କିଣିଥାଏ । ଫାଇନାନସିଆଲ୍ ଟାଇମ୍ସ ରିପୋର୍ଟ ଅନୁସାରେ ୨୦୨୩ ଡିସେମ୍ୱରରେ ଭାରତ ଭେନେଜୁଏଲାଠାରୁ ପ୍ରତିଦିନ ୧,୯୧,୬୦୦ ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ କରିଥିଲା, ଯାହା ୨୦୨୪ ଜାନୁଆରୀରେ ବଢି ୨,୫୪,୦୦୦ ବ୍ୟାରେଲ୍ ପ୍ରତିଦିନ ହୋଇଥିଲା ।
ଭେନେଜୁଏଲାରୁ ତେଲ ଆମଦାନୀ କରୁଥିବା ଦେଶ ମଧ୍ୟରେ ଚୀନ ମଧ୍ୟ ରହିଛି । ନୂଆ ଶୁଳ୍କ କାରଣରୁ ଚୀନ ମଧ୍ୟ ନିଜ ଆମଦାନୀ ଉପରେ ଅସ୍ଥାୟୀ ରୋକ ଲଗାଇଛି । ଏହି ପଦକ୍ଷେପ ବୈଶ୍ୱିକ ତେଲ ବଜାରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ।