୧୮ ଲକ୍ଷ ପାର ହେଲା ଚାରିଧାମ ଯାତ୍ରା ଲାଗି ପଞ୍ଜିକରଣ, ପ୍ରସ୍ତୁତି ନିରକ୍ଷଣ ପାଇଁ ମୁଖ୍ୟ ସଚିବଙ୍କ ବଦ୍ରିନାଥ ଗସ୍ତ

Published By : Prameya-News7 Bureau | May 02, 2024 IST

ଡେରାଡୁନ ୨।୫: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ଅବଗଣନା ଆରମ୍ଭ ହୋଇଗଲାଣି। ମେ ୧୦ ତାରିଖ ଦିନ କେଦାରନାଥ ଧାମ ସହିତ ୟମୁନେତ୍ରୀ ଓ ଗଙ୍ଗୋତ୍ରୀ ଧାମର କବାଟ ଭକ୍ତଙ୍କ ନିମନ୍ତେ ଖୋଲିଦିଆଯିବ। ତେବେ ବଦ୍ରିନାଥ ଧାମରେ ମେ ୧୨ ତାରିଖ ଦିନ କବାଟ ଫିଟିବ। ଚଳିତବର୍ଷ ଚାରିଧାମ ଯାତ୍ରା ନିମନ୍ତେ ଭକ୍ତଙ୍କ ଉତ୍କଣ୍ଠା ଏପର୍ଯ୍ୟନ୍ତ ହୋଇଥିବା ପଞ୍ଜିକରଣରୁ ସ୍ପଷ୍ଟ ହୋଇଯାଉଛି। ଚାରିଧାମ ସହିତ ହିମକୁଣ୍ଡ ସାହିବ ଦର୍ଶନ ନିମନ୍ତେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୭୩ ହଜାର୨୪୨ ଜଣ ଶ୍ରଦ୍ଧାଳୁ ପଞ୍ଜିକରଣ କରିଛନ୍ତି। 

ଏତେ ସଂଖ୍ୟକ ତୀର୍ଥ ଯାତ୍ରୀଙ୍କ ପଞ୍ଜିକରଣରେ ବ୍ୟବସ୍ଥା ନିରୀକ୍ଷଣ ନିମନ୍ତେ ମୁଖ୍ୟ ଶାସନ ସଚିବ ରାଧା ରତୁଡି ଓ ଡିଜିପି ଅଭିନବ କୁମାର ବଦ୍ରିନାଥ ଧାମ ପହଞ୍ଚି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ଚାଲିଥିବା ପୁନନିର୍ମାଣ କାମ ଠିକ୍ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାରିଧାମ ଯାତ୍ରା ନିମନ୍ତେ ଲକ୍ଷାଧିକ ପଞ୍ଜିକରଣକୁ ନେଇ ଉତ୍ତରାଖଣ୍ଡ ସରକାର ମଧ୍ୟ ଉତ୍ସାହିତ ଅଛନ୍ତି। ଯାତ୍ରାର ପ୍ରାରମ୍ଭିକ ଦିନମାନଙ୍କରେ ସାଧାରଣ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ମୁଖ୍ୟ ସଚିବ ଅନ୍ୟ ରାଜ୍ୟଙ୍କୁ ପତ୍ର ପଠେଇ ୧୫ ଦିନ ପର୍ଯ୍ୟନ୍ତ ଭିଆଇପି ଓ ଭିଭିଆଇପି ଦର୍ଶନ ଟାଳିବାକୁ କହିଛନ୍ତି। 

ଚାରିଧାମ ଯାତ୍ରା ନିମନ୍ତେ ସରକାରୀ ମେସିନାରୀ ଏବେ ଯାତ୍ରୀଙ୍କ ନିମନ୍ତେ ବ୍ୟବସ୍ଥା କରିବାରେ ବ୍ୟସ୍ତ। ଏଥିରେ ଯଦି କେହି ଭିଆଇପି ଧାମକୁ ଦର୍ଶନ ପାଇଁ ପହଞ୍ଚିଲେ ତେବେ ମେସିନାରୀ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଯିବ। ଏଣୁ ଯାତ୍ରାରେ ବାଧା ଉପୁଜିବ ବୋଲି ମୁଖ୍ୟ ସଚିବ ପତ୍ରରେ ସୂଚିତ କରିଛନ୍ତି। ଏଥିରେ ଖାସ କରି କେଦାରନାଥରେ ଭିଆଇପି ଦର୍ଶନାର୍ଥୀଙ୍କୁ ଟାଳିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଚାରିଧାମ ଯାତ୍ରା ନିମନ୍ତେ ୧୫ ଏପ୍ରିଲରୁ ମେ ୨ ତାରିଖ ସୁଦ୍ଧା ୧୮ଲକ୍ଷ ୭୩ ହଜାର ୨୪୨ ଜଣ ଯାତ୍ରୀ ପଞ୍ଜିକରଣ କରିଛନ୍ତି। ଏଥିରୁ କେବଳ କେଦାରନାଥ ଧାମ ନିମନ୍ତେ ୬,୫୧,୧୯୩ଯାତ୍ରୀ ପଞ୍ଜିକରଣ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.