LIVE TV

'ଇଂରେଜ ସରକାରଙ୍କ ବିରୁଦ୍ଧରେ INAର ଡାକରା, ଗୋରା ସରକାରଙ୍କ ଛାତିରେ ଛନକା...' ମନେପଡ଼େ, ଆଜାଦ ହିନ୍ଦ ଫୌଜର କାହାଣୀ

NEWS7
red-alert-for-mumbai-film-city-faces-tragedy-cm-chairs-meet

ସ୍ୱାଧୀନତା ନଚେତ୍‌ ମୃତ୍ୟୁ। ଯାଉ ପଛେ ପ୍ରାଣ କିନ୍ତୁ ତ୍ରିରଙ୍ଗାକୁ ଧରି ମାଡ଼ିଚାଲଦିଲ୍ଲୀର ପଥ ହେବ ଆମ ପାଇଁ ସ୍ୱର୍ଗର ପଥ। ଏମିତି ଅଗ୍ନିବର୍ଷୀ ଆହ୍ୱାନରେ ପ୍ରକମ୍ପିତ ହେଉଥିଲା ସେଦିନ ରେଙ୍ଗୁନ ମାଟି। ପ୍ରବଳ ପରାକ୍ରମୀ ଇଂରେଜ ସରକାରଙ୍କ ବିରୁଦ୍ଧରେ INAର ଡାକରାଗୋରା ସରକାରଙ୍କ ଛାତିରେ ଛନକା। ଏହେଉଛି ଭାରତର ସ୍ୱାଧୀନତା ସଂଗ୍ରାମର ସେଇ ପ୍ରେରଣାଦାୟକ ଅଧ୍ୟାୟ ଆଜାଦ ହିନ୍ଦ ଫୌଜର କାହାଣୀ

୧୯୪୨ ମସିହା ଅକ୍ଟୋବର ୨୧ ତାରିଖ ସିଙ୍ଗାପୁରରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜାତୀୟ ସେନା (INA) ନେତୃତ୍ୱ ନେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ"ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି।" ନେତାଜୀଙ୍କ ରଣହୁଙ୍କାରରେ ଥରିଉଠିଥିଲା ଭାରତ ମାଆର ମାଟି। ଯୋଗଦେଲେ ହଜାର ହଜାର ଭାରତୀୟ ସେନା। ସାମିଲ ହେଲା "ଝାନ୍ସୀର ରାଣୀ ରେଜିମେଣ୍ଟ" ଲକ୍ଷ୍ୟ ଥିଲା ବ୍ରିଟିଶ ଶାସନକୁ ବିତାଡ଼ିତ କରିବା ଏବଂ ଭାରତକୁ ମୁକ୍ତ କରିବା।

ଆଜାଦ ହିନ୍ଦ ଫୌଜର କାହାଣୀ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ସାହସିକ ଏବଂ ପ୍ରେରଣାଦାୟକ କାହାଣୀ। ଯେତେବେଳେ ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲା, ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନତା ପାଇଁ ଅସ୍ତ୍ର ଉଠାଇବାକୁ ନିଷ୍ପତ୍ତି ନେଇଥିଲେ।  ଏଥିରେ ଭାରତୀୟ ସେନା, ଦକ୍ଷିଣ ପୂର୍ବ ଏସିଆରେ ବସବାସ କରୁଥିବା ଭାରତୀୟ, କଏଦୀ ସାମିଲ ହେଲେ ଆଜାଦ ହିନ୍ଦ ଫୌଜରେ ପ୍ରାୟ ୮୫,୦୦୦ ସୈନିକ ଥିଲେ। ମହିଳା ସେନାଙ୍କ ପାଇଁ ଗଠନ କରାଲା "ଝାନ୍ସୀ କି ରାଣୀ ରେଜିମେଣ୍ଟ" ନାମକ ଏକ ୟୁନିଟ୍ ଏହା ଥିଲା ମହିଳା ଶକ୍ତିର ପ୍ରତୀକ

ନେତାଜୀଙ୍କ ଆଜାଦ ହିନ୍ଦ ସରକାରକୁ ଅନେକ ଦେଶ ସ୍ୱୀକୃତି ଦେଇଥିଲେ। ଆଜାଦ ହିନ୍ଦ ଫୌଜକୁ ଜାପାନରୁ ସମର୍ଥନ ମିଳିଥିଲା। ମିଆଁମାର ଏବଂ ଭାରତୀୟ ସୀମାରେ ଜାପାନ ସହାୟତାରେ ବ୍ରିଟିଶ ସେନା ବିରୁଦ୍ଧରେ ଲଢ଼ିଥିଲା ଆଜାଦ ହିନ୍ଦ ଫୌଜ। ଯଦିଓ ସେନା ଯୁଦ୍ଧରେ ବିଫଳ ହୋଇଥିଲା, କିନ୍ତୁ ଆଜାଦ ହିନ୍ଦ ଫୌଜର ବଳିଦାନ ଏବଂ ସାହସ ଭାରତୀୟ ଲୋକଙ୍କ ମଧ୍ୟରେ ସ୍ୱାଧୀନତାର ଭାବନାକୁ ଆହୁରି ମଜବୁତ କରିଥିଲା। ଫୌଜର ଗର୍ଜନରେ ଭୟଭୀତ ହୋଇପଡ଼ିଥିଲେ ବ୍ରିଟିଶ ସରକାର ଏହା ସ୍ୱାଧୀନତା ଆନ୍ଦୋଳନକୁ ଆହୁରି ଉଜ୍ଜିବୀତ କରିଥିଲା। ଭାରତୀୟମାନେ ନିଜସ୍ୱ ଶକ୍ତି ଏବଂ ସଂଗଠନ ମାଧ୍ୟମରେ ସ୍ୱାଧୀନତା ହାସଲ କରିବା ସମ୍ଭବ ବୋଲି, ଏହା ପ୍ରମାଣିତ କରିଥିଲା ଆଜାଦ ହିନ୍ଦ ଫୌଜ

ସେଦିନର ମହାସଂଗ୍ରାମ ନେତାଜୀ ଏବଂ ତାଙ୍କ ସେନାକୁ ଏବେ ବି ଦେଶପ୍ରେମ ଏବଂ ସାହସର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨୧କୁ ସାରା ଦେଶରେ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ। ଏହି ଦିନରେ ଆମେ ଆମ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିବା ସାହସୀ ବୀରଙ୍କୁ ମନେ ପକାଉଛୁ। ସେମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଦେଉଛୁ। ଆଜିବି ଆଜାଦ ହିନ୍ଦ ଫୌଜର ସେଇ ଅଭୁଲା ଅଧ୍ୟାୟ ପ୍ରତ୍ୟେକ ଭାରତୀୟଙ୍କ ମନରେ ପ୍ରାଣରେ ଜାଳିଦିଏ ସଚ୍ଚା ଦେଶପ୍ରେମର ବହ୍ନି।