ଖାଦ୍ୟ ଠାରୁ ବସ୍ତ୍ର, ଭାରତ ଉପରେ କେତେ ନିର୍ଭରଶୀଳ ବାଂଲାଦେଶ? ଭାରତ ଚାହିଁଲେ ପେଟକୁ ଦାନା, ଦେହକୁ କନା ପାଇବନି ଢାକା

NEWS7
ready-to-face-probe-agency-but-on-video-call-arvind-kejriwal

ନୂଆଦିଲ୍ଲୀ: India and Bangladesh, ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତ୍ତନ ପରେ ସେଠାରେ ଅସ୍ଥିରତା ଲାଗି ରହିଛି। ହିଂସା,ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର,ଲୁଟପାଟ ଓ ହତ୍ୟାଭଳି ଘଟଣା ପ୍ରତିଦିନ ଘଟୁଛି। ଯେହେତୁ ଶେଖ୍ ହସିନା ଭାରତରେ ଶରଣ ନେଇଛନ୍ତି ତେଣୁ ବାଂଲାଦେଶ ବର୍ତ୍ତମାନ ଭାରତକୁ ନିଜର ପ୍ରଥମ ଶତ୍ରୁ ବୋଲି ଭାବୁଛି। ଫଳରେ ଦୁଇ ଦେଶର ସମ୍ପର୍କରେ ବଡ଼ ଫାଟ ସୃଷ୍ଟି ହୋଇଛି। ତେବେ ନିକଟରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ମିଛ ଅଭିଯୋଗରେ ନୃଶଂସରେ ହତ୍ୟା କରିବା ଘଟଣାକୁ ଆହୁରି ବଢ଼ାଇ ଦେଇଛି। କଥା ଯୁଦ୍ଧ ପର୍ଯ୍ୟନ୍ତ ଗଲାଣି। ତେବେ ବର୍ତ୍ତମାନ ସମୟରେ ସାମରିକ ଯୁଦ୍ଧ ହୁଏତ ଉତ୍ତମ ବିକଳ୍ପ ହୋଇ ନପାରେ। କିନ୍ତୁ ଅର୍ଥନୈତିକ ଯୁଦ୍ଧ ଏକ ବଡ଼ ଅସ୍ତ୍ର।ସାମରିକ ଶକ୍ତିରେ ବାଂଲାଦେଶ ଭାରତ ସହ ତୁଳନା ହୋଇପାରିବ ନାହିଁ, ଏକଥା ପୂରା ବିଶ୍ୱ ଜାଣେ। ତେବେ ବାଂଲାଦେଶ ବିପକ୍ଷରେ ଭାରତରେ ଭୌଗଳିକ ସ୍ଥିତି ଏମିତି ଯେ ଭାରତ ସାମରିକ ବଳ ପ୍ରୟୋଗ ନ କରିବି ବାଂଲାଦେଶକୁ ଆଣ୍ଠେଇ ଦେଇପାରିବ। ଆଉ ବାଂଲାଦେଶ ଖାଦ୍ୟ ଠାରୁ ନେଇ ବସ୍ତ୍ର ପର୍ଯ୍ୟନ୍ତ ଭାରତ ଉପରେ ଏତେ ନିର୍ଭରଶୀଳ ଯେ ଭାରତ ବିରୁଦ୍ଧରେ ଲଢ଼ିବାକୁ ବି ଭୟ କରିବ।

ଭୌଗୋଳିକ ଅବସ୍ଥିତି ଏବଂ ଅର୍ଥନୈତିକ କାରଣରୁ ବାଂଲାଦେଶ ଅନେକ କ୍ଷେତ୍ରରେ, ଭାରତ ଉପରେ ବିଭିନ୍ନ ଜରୁରୀ ପ୍ରସଙ୍ଗରେ ନିର୍ଭର କରିଥାଏ। ୨୦୨୫ର ସଦ୍ୟତମ ତଥ୍ୟ ଅନୁଯାୟୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି, ଚାଉଳ, ଗହମ, ଚିନି, ପିଆଜ, ଅଦା ଏବଂ ରସୁଣ, ମସଲା, ଫଳ ଓ ପନିପରିବା, କଟନ ବା ସୂତା, ପ୍ଲାଷ୍ଟିକ୍, ଷ୍ଟିଲ, ଇଲେକ୍ଟ୍ରିକାଲ ସରଞ୍ଜାମ ଭଳି ସାମଗ୍ରୀ ପାଇଁ ବାଂଲାଦେଶ ଭାରତୀୟ ବଜାର ଉପରେ ନିର୍ଭରଶୀଳ। ଭାରତରୁ ପ୍ରତିବର୍ଷ ବହୁ ପରିମାଣର ପିଆଜ ଏବଂ ଆଳୁ ବାଂଲାଦେଶକୁ ରପ୍ତାନୀ ହୋଇଥାଏ। ଯାହା ସେଠିକାର ବଜାର ଦରକୁ ନିୟନ୍ତ୍ରଣ କରିଥାଏ।

କେବଳ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନୁହେଁ, ବାଂଲାଦେଶର ମୋଟ ବିଦ୍ୟୁତ ଚାହିଦାର ପ୍ରାୟ ୧୭% ଭାରତ ହିଁ ଯୋଗାଏ। ଆଦାନୀ ପାୱାର ଏବଂ NTPC ଭଳି କମ୍ପାନିଗୁଡ଼ିକ ପ୍ରାୟ ୨,୫୦୦ ମେଗାୱାଟରୁ ଅଧିକ ବିଦ୍ୟୁତ ବାଂଲାଦେଶକୁ ଯୋଗାଉଛନ୍ତି। ଏହା ବାଦ ଭାରତରୁ ବାଂଲାଦେଶକୁ ବାର୍ଷିକ ୧୦ ଲକ୍ଷ ମେଟ୍ରିକ ଟନ୍ ଡିଜେଲ ମଧ୍ୟ ପଠାଯାଏ। ସେହିଭଳି ବାଂଲାଦେଶର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ଗାର୍ମେଣ୍ଟ ଶିଳ୍ପ (RMG) ପାଇଁ ମଧ୍ୟ ଆବଶ୍ୟକୀୟ କଞ୍ଚାମାଲ ଭାରତରୁ ଯାଇଥାଏ। ବାଂଲାଦେଶ କପା ଏବଂ ସୂତା ଭାରତରୁ ଆମଦାନୀ କରିଥାଏ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ବାଂଲାଦେଶ ଭାରତ ଉପରେ ନିର୍ଭରଶୀଳ। ପ୍ରତିବର୍ଷ ଲକ୍ଷ ଲକ୍ଷ ବାଂଲାଦେଶୀ ନାଗରିକ ଉନ୍ନତ ଚିକିତ୍ସା ପାଇଁ ଭାରତକୁ ଆସିଥାନ୍ତି। ଭାରତରୁ ବାଂଲାଦେଶ ସର୍ବାଧିକ 'ମେଡିକାଲ ଭିସା' ପାଇଥାଏ। ଔଷଧ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ କଞ୍ଚାମାଲ ବାଂଲାଦେଶ ମୁଖ୍ୟତଃ ଭାରତରୁ ପାଇଥାଏ।

ଭାରତ ବାଂଲାଦେଶକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ, ପ୍ରାୟ ୮ ବିଲିୟନ ଡଲାରର ସ୍ୱଳ୍ପ ସୁଧରେ ଋଣ ସହାୟତା ପ୍ରଦାନ କରିଛି। ଭାରତ ପାଇଁ ମଧ୍ୟ ବାଂଲାଦେଶ ଅନେକାଂଶରେ ଖୁବ୍ ଗୁରୁତ୍ବପୂର୍ଣ୍ଣ। କାରଣ ଭାରତ ଏହାର ଉତ୍ତର- ପୂର୍ବାଞ୍ଚଳ ରାଜ୍ୟକୁ ଯିବାକୁ ସୁବିଧା ପାଉଥିବାବେଳେ, ବାଂଲାଦେଶ ମଧ୍ୟ ଭାରତ ଦେଇ ନେପାଳ ଏବଂ ଭୁଟାନ ସହ ବାଣିଜ୍ୟ କରିବାକୁ ଭାରତୀୟ ସୀମା ଓ ବନ୍ଦର ଉପରେ ନିର୍ଭର କରେ। ୨୦୨୪-୨୫ ଆର୍ଥିକ ବର୍ଷରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ପ୍ରାୟ ୧୩.୫୧ ବିଲିୟନ ଡଲାର ରହିଛି। ଡଲାରର ସଙ୍କଟ ଦୂର କରିବା ପାଇଁ ବର୍ତ୍ତମାନ ଉଭୟ ଦେଶ ଟଙ୍କା (INR) ଏବଂ ଟାକା (BDT) ମାଧ୍ୟମରେ ବ୍ୟବସାୟିକ କାରବାର କରିବାକୁ ଗୁରୁତ୍ୱ ଦେଉଛନ୍ତି।

ସେପଟେ ଦୁଇ ଦେଶ ମଧ୍ୟରେ ଅସ୍ଥିରତା ଲାଗି ରହିବା ଓ ଭାରତ ସହ ସମ୍ପର୍କ ତିକ୍ତ ହେବା କାରଣୁ ବାଂଲାଦେଶରେ ବର୍ତ୍ତମାନ ଦରଦାମ ବଢ଼ିବାରେ ଲାଗିଛି। ଚାଉଳ ଦାମ ବଢ଼ି ଯାଇଛି। ତେଣୁ ଦରଦାମ ନିୟନ୍ତ୍ରଣ କରିବାକୁ ବାଂଲାଦେଶ ପୁଣିଥରେ ଭାରତ ଆଡ଼କୁ ଅନାଇଛି। ୟୁନୁସ ସରକାର ଶସ୍ତା ଦାମରେ ଭାରତ ଠାରୁ ୫୫ ହଜାର ଟନ୍ ଚାଉଳ ଆମଦାନୀ କରିବାକୁ ଅନୁରୋଧ କରିଛନ୍ତି। କାରଣ ପାକିସ୍ତାନ ଠାରୁ ଚାଉଳ ଆଣିବାକୁ ହେଲେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଆଉ ଖର୍ଚ୍ଚ କରିବା ପାଇଁ ବାଂଲା ସରକାରଙ୍କ ରାଜକୋଷରେ ପର୍ଯ୍ୟାପ୍ତ ପାଣ୍ଠି ନାହିଁ, ତେଣୁ ଢାକା ପାଖରେ ଭାରତକୁ ସହଯୋଗ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ବାଂଲାଦେଶୀ ଗଣମାଧ୍ୟମ ଡେଲି ଷ୍ଟାରର ରିପୋର୍ଟ ଅନୁସାରେ, ଭାରତ ୫୦ ହଜାର ଟନ ଚାଉଳ ପଠାଇବାକୁ ରାଜି ହୋଇଛି। ଟନ୍ ପିଛା ମୂଲ୍ୟ ୩୫୫ ଡଲାରରେ ଭାରତ ଚାଉଳ ଯୋଗାଇବ। ଏହା ପାକିସ୍ତାନ ନେଉଥିବା ଦର ୩୯୫ ଡଲାର ଠାରୁ ବହୁତ ଶସ୍ତା। ବାଂଲାଦେଶ ମଧ୍ୟ ଏହା ସ୍ୱୀକାର କରିଛି। ଏବଂ ଭିଏତନାମ ଠାରୁ ବି ଏତେ ଶସ୍ତାରେ ଚାଉଳ ମିଳି ନଥାନ୍ତା ବୋଲି ବାଲାଂଦେଶ ଅଧିକାରୀ କହିଛନ୍ତି। ଆଗକୁ ଦୃଷ୍ଟି ରଖି, ବାଂଲାଦେଶ ୨୦୨୫-୨୬ ଅବଧି ମଧ୍ୟରେ ୫୦,୦୦୦ ଟନ୍ ବ୍ୟାଚ୍ ଭାବରେ ଅତି କମରେ ୯,୦୦,୦୦୦ ଟନ୍ ଚାଉଳ ଆମଦାନି କରିବାକୁ ଯୋଜନା କରୁଛି।

ହେଲେ କିଛି ଭାରତୀୟ ଚାଉଳ ରପ୍ତାନୀକାରୀ ବାଂଲାଦେଶକୁ ରପ୍ତାନୀ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ବାଂଲାଦେଶ ଯେଉଁଭଳି ଭାବେ ଭାରତର ସ୍ୱାର୍ଥ ବିପରୀତ କାର୍ଯ୍ୟ କରୁଛି, ତେଣୁ ତାକୁ ଚାଉଳ ନଦେଲେ ଭଲ ହୁଅନ୍ତା ବୋଲି ଭାରତୀୟ ରପ୍ତାନୀକାରୀମାନେ କହିଛନ୍ତି। ଶତ୍ରୁତା ମନରେ ରଖି ମିତ୍ରତା କରାଯାଇପାରିବ ନାହିଁ। ଭାରତ ବାଂଲାଦେଶକୁ ଏହା ସ୍ପଷ୍ଟ କରି ଦେଉ ବୋଲି ସେମାନେ ଦାବି କରିଛନ୍ତି।

ବାଂଲାଦେଶ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବି ଭାରତ ଉପରେ ନିର୍ଭରଶୀଳ। ଖାଲି ବେପାର ବଣିଜ କଥା ନୁହେଁ,ଯାତାୟତ,ଗମନାଗମନ ଦୃଷ୍ଟିରୁ ବି ବାଂଲାଦେଶ ଭାରତ ଉପରେ ନିର୍ଭରଶୀଳ । ଯେହେତୁ ବାଂଲାଦେଶକୁ ଭାରତର ୩ ପଟୁ ଘେରି ରହିଛି,ତେଣୁ ବାହ୍ୟ ଦେଶ ସହିତ ବେପାର ବଣିଜ କରିବା ପାଇଁ ବି ବାଂଲାଦେଶକୁ ଭାରତ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଉ ଯଦି ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ,ଆଉ ତୃତୀୟ ପକ୍ଷ ହସ୍ତକ୍ଷେପ ନ କରନ୍ତି ତେବେ,ବାଂଲାଦେଶ ଭାରତ ଭଳି ସାମରିକ ମହାଶକ୍ତି ସମ୍ମୁଖରେ ଆଦୌ ତିଷ୍ଟି ରହିପାରିବନି।

ଅନ୍ୟଦେଶଗୁଡ଼ିକ ଅପେକ୍ଷା ଭାରତର ବାଂଲାଦେଶ ସହ ଅଧିକ ଅନ୍ତର୍ଜାତୀୟ ସୀମା ରହିଛି। ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ୯୪% ସୀମା ପ୍ରାୟ ୪,୦୯୭ କିଲୋମିଟର। ଭାରତର ୫ଟି ରାଜ୍ୟ ବାଂଲାଦେଶ ସୀମାକୁ ଲାଗିଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗ ବାଂଲାଦେଶ ସହ ୨,୨୧୭ କିମିର ସର୍ବାଧିକ ସୀମା ଲାଗିଛି। ଏହା ପରେ ରହିଛି ତ୍ରିପୁରା। ଏହି ଭାରତୀୟ ରାଜ୍ୟକୁ ତିନି ପଟୁ ବାଂଲାଦେଶ ଘେରି ରହିଛି। ସେହିଭଳି ମେଘାଳୟ, ଆସାମ, ମିଜୋରାମ ମଧ୍ୟ ବାଂଲାଦେଶ ସହ ସୀମା ଲାଗିଛନ୍ତି।

ଯଦି ଦୁଇ ଦେଶର ସାମିରକ ଶକ୍ତି ଦେଖିବା ତେବେ ଭାରତ ଏକ ମହାଶକ୍ତି ଥିବା ବେଳେ ବାଂଲାଦେଶ ଏକ ଦୁର୍ବଳ ସାମରିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ତେଣୁ ଦୁଇ ଦେଶ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ଭାରତ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ହୋଇଥିବା ବେଳେ ବାଂଲାଦେଶ ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ଦ୍ରୁତ ଗତିରେ ଆଧୁନିକୀକରଣ କରୁଛି। ଗ୍ଲୋବାଲ୍ ଫାୟାରପାୱାର ଇଣ୍ଡେକ୍ସ ୨୦୨୫ (Global Firepower Index 2025) ର ସଦ୍ୟତମ ତଥ୍ୟ ଅନୁଯାୟୀ, ଆମେରିକା, ରୁଷ ଏବଂ ଚୀନ ପରେ ଭାରତ ବିଶ୍ୱରେ ୪ର୍ଥ ସ୍ଥାନରେ ରହିଛି।

ଭାରତ ପାଖରେ ପ୍ରାୟ ୧୨,୪୮,୦୦୦ ଲକ୍ଷ ସକ୍ରିୟ ସୈନ୍ୟ ଏବଂ ୯ ଲକ୍ଷ ରିଜର୍ଭ ସୈନ୍ୟ ଅଛନ୍ତି। ବାଂଲାଦେଶ ପାଖରେ ପ୍ରାୟ ୧.୭ ଲକ୍ଷରୁ ୨ ଲକ୍ଷ ସକ୍ରିୟ ସୈନ୍ୟ ଅଛନ୍ତି। ସେହିଭଳି ପ୍ରତିରକ୍ଷା ବଜେଟ୍ ଦେଖିଲେ ଭାରତର ବହୁ ଆଗରେ ରହିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର ପ୍ରତିରକ୍ଷା ବଜେଟ୍ ପ୍ରାୟ ୭୫ ବିଲିୟନ ଡଲାର (୬.୨୧ ଲକ୍ଷ କୋଟି ଟଙ୍କା ରହିଥିଲା। ସେହିଭଳି ବାଂଲାଦେଶର ପ୍ରତିରକ୍ଷା ବଜେଟ୍ ପ୍ରାୟ ୩.୮ ରୁ ୪ ବିଲିୟନ ଡଲାର ମଧ୍ୟରେ ରହିଥାଏ।

ଭାରତ ପାଖରେ ପ୍ରାୟ ୪,୬୦୦ରୁ ଅଧିକ ସାମରିକ ଟ୍ୟାଙ୍କ, ୧୨,୦୦୦ରୁ ଅଧିକ ସାମରିକ ଯାନ ଏବଂ ଶକ୍ତିଶାଳୀ ଆର୍ଟିଲାରୀ ସିଷ୍ଟମ୍ ରହିଛି। ବାଂଲାଦେଶର ପ୍ରାୟ ୩୦୦-୩୫୦ ଟ୍ୟାଙ୍କ ଏବଂ ପ୍ରାୟ ୬୦୦-୯୦୦ ସାମରିକ ଯାନ ରହିଛି। ଭାରତୀୟ ବାୟୂସେନା ପାଖରେ ପ୍ରାୟ ୨,୨୦୦ରୁ ଅଧିକ ଯୁଦ୍ଧ ବିମାନ ରହିଛି। ଯେଉଁଥିରେ ରାଫେଲ୍, ସୁଖୋଇ-୩୦ MKI, ମିରାଜ୍-୨୦୦୦ ଏବଂ ସ୍ୱଦେଶୀ ତେଜସ୍ ରହିଛି। ସେହିଭଳି ବାଂଲାଦେଶ ବାୟୁସେନା ପାଖରେ ପ୍ରାୟ ୨୦୦-୨୨୦ ଯୁଦ୍ଧ ବିମାନ ଅଛି, ଯେଉଁଥିରେ ମୁଖ୍ୟତଃ MiG-29 ଏବଂ ଚୀନ୍ ନିର୍ମିତ F-7 ଯୁଦ୍ଧ ବିମାନ ରହିଛି।

ଭାରତୀୟ ନୌସେନା ପାଖରେ ୨ଟି ବିମାନବାହୀ ଯୁଦ୍ଧପୋତ, ୧୯ଟି ବୁଡ଼ାଜାହାଜ ଏବଂ ୧୫୦ରୁ ଅଧିକ ଯୁଦ୍ଧ ଜାହାଜ ଅଛି। ବାଂଲାଦେଶ ନୌସେନା ମୁଖ୍ୟତଃ ଉପକୂଳ ସୁରକ୍ଷା ଉପରେ ଧ୍ୟାନ ଦିଏ। ସେନା ପାଖରେ ୨ଟି ବୁଡ଼ାଜାହାଜ ଏବଂ କିଛି ଫ୍ରିଗେଟ୍ ଓ କରଭେଟ୍ ରହିଛି। ଭାରତ ଏକ ସ୍ୱୀକୃତିପ୍ରାପ୍ତ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଏବଂ ଏହାର ଅଗ୍ନି-୫ ଭଳି ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର (ICBM) ରହିଛି। ବାଂଲାଦେଶ ପାଖରେ କୌଣସି ପରମାଣୁ ଅସ୍ତ୍ର ନାହିଁ।

ଭାରତ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ଏକ ସାମରିକ ମହାଶକ୍ତି। ଅନ୍ୟପକ୍ଷରେ, ବାଂଲାଦେଶ ଏହାର ସେନା ପାଇଁ "Forces Goal 2030" ନାମକ ଏକ ଯୋଜନା କାର୍ଯ୍ୟକାରୀ କରୁଛି, ଯାହାଦ୍ୱାରା ସେମାନେ ନିଜର ସେନାକୁ ଅଧିକ ଶକ୍ତିଶାଳୀ ଏବଂ ଆଧୁନିକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଭାରତ ସହ ସମ୍ପର୍କ ଖରାପ ହେବା ପରେ ବାଂଲାଦେଶ ପାକିସ୍ତାନ ସହ ସମ୍ପର୍କ ବୃଦ୍ଧି କରିଛି। ୟୁନୁସ ସରକାର ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ବାଂଲାଦେଶ ତୁଳନାରେ ଭାରତର ସାମରିକ ଶକ୍ତି ବିଷୟରେ ତ ଜାଣିଲେ। ଭାରତୀୟ ଅର୍ଥନୀତି ବି ବାଂଲାଦେଶ ଅର୍ଥନୀତି ତୁଳନାରେ ଯଥେଷ୍ଟ ବଡ଼ ଏବଂ ଶକ୍ତିଶାଳୀ। ୨୦୨୫ ମସିହାର ସଦ୍ୟ ଆକଳନ ଅନୁଯାୟୀ,ଦୁଇ ଦେଶର ଅର୍ଥନୀତି ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି। ତେଣୁ ଅର୍ଥନୀତି ଦୃଷ୍ଟିରୁ ବି ବାଂଲାଦେଶ ଭାରତ ସହ ସମକକ୍ଷ ହୋଇପାରିବ ନାହିଁ। 

୨୦୨୫ରେ ଭାରତର GDP ପ୍ରାୟ ୪.୩ ଟ୍ରିଲିୟନ ଡଲାର ଛୁଇଁବା ସହ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଥିଲା। ହେଲେ ବାଂଲାଦେଶର ସମୁଦାୟ GDP ଭାରତ ତୁଳନାରେ ଯଥେଷ୍ଟ କମ୍। ୨୦୨୫ରେ, ଭାରତର ଅର୍ଥନୀତି ବାଂଲାଦେଶ ତୁଳନାରେ ପ୍ରାୟ ୭.୪ ଗୁଣ ଅଧିକ ହେବ ବୋଲି ଆକଳନ କରାଯାଇଛି। ମୁଣ୍ଡପିଛା ଆୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ କଡ଼ା ପ୍ରତିଯୋଗିତା ରହିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ୨୦୨୫ ଅକ୍ଟୋବର ରିପୋର୍ଟ ଅନୁଯାୟୀ, ବାଂଲାଦେଶର ମୁଣ୍ଡପିଛା GDP ($୨,୭୫୬) ଭାରତ ତୁଳନାରେ ସାମାନ୍ୟ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ ସଦ୍ୟତମ ତଥ୍ୟରେ ଭାରତ ଆଗରେ ରହିଛି। ୨୦୨୫ରେ ଭାରତର ମୁଣ୍ଡପିଛା GDP ପ୍ରାୟ $୨,୮୨୦ ଥିବା ବେଳେ ବାଂଲାଦେଶର ପ୍ରାୟ $୨,୭୩୦ ରହିଛି।

ଶେଖ ହସିନାଙ୍କ ସରକାରର ପତ୍ତନ ପରେ ବାଂଲାଦେଶର ୟୁନୁସ ସରକାର ଏବେ ସମ୍ପୂର୍ଣ୍ଣ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ଇସ୍ଲାମିକ ମୌଳବାଦୀମାନେ ବାଂଲାଦେଶର ଜନତାଙ୍କୁ ମଧ୍ୟ ଭାରତ ବିରୋଧରେ ଉସ୍କାଉଛନ୍ତି। ଯାହାରି ସାହାସରେ ୟୁନୁସ ସରକାର ବର୍ତ୍ତମାନ ପାକିସ୍ତାନ ମୁହାଁ ବାଂଲାଦେଶର ବଡ଼ ଆଶା,ପାକିସ୍ତାନ ସହଯୋଗ କରିବ। ହେଲେ ପାକିସ୍ତାନର ଅବସ୍ଥା ଯାହା,ତାହା ସାରା ବିଶ୍ଲ ଜାଣେ। ତେବେ ଏଠି ପ୍ରଶ୍ନ ଉଠୁଛି ଭାରତ ବଳି କଣ ଅନ୍ୟ କୌଣସି ବାଂଲାଦେଶକୁ ସହଯୋଗ କରିପାରିବବୋଧ ହୁଏ ନା.. । ତେବେ ଚୀନ ବଡ଼ ଗେମ ଖେଳିପାରେ...।

ଚୀନ୍ ବାଂଲାଦେଶରେ ଏକ ପ୍ରମୁଖ ନିବେଶକ। ବେଜିଂ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ମାଧ୍ୟମରେ ୭ ବିଲିୟନ ଡଲାର ଏବଂ ୨୦୨୩ ମସିହାରେ ୨୨ ବିଲିୟନ ଡଲାର ରପ୍ତାନି ସହ ବାଂଲାଦେସର ବଡ଼ ସହଯୋଗୀ ହୋଇ ବାହାରିଛି। ତଥାପି, ବିଶେଷଜ୍ଞମାନେ କହିଛନ୍ତି ଯେ ମୂଲ୍ୟ ଏବଂ ନିକଟତା ଦୃଷ୍ଟିରୁ ବେଜିଂ ଭାରତ ସହିତ ସମକକ୍ଷ ହୋଇପାରିବ ନାହିଁ। କାରଣ ଭାରତ ଭଳି ଭୌଗଳିକୁ ସୁବିଧା କାହା ପାଖରେ ନାହିଁ। ବାଂଲାଦେଶକୁ ୩ ପଟୁ ଘେରି ରହିଛି ଭାରତ। ଯେହେତୁ ଦୁଇ ଦେଶର ସୀମା ପରସ୍ପର ସହ ଲାଗିଛି ତେଣୁ ନୂଆଦିଲ୍ଲୀରୁ ଢାକାକୁ ରପ୍ତାନୀ ଆମଦାନୀ ଖୁବ୍ଶୀଘ୍ର ଓ କମ୍ ଖର୍ଚ୍ଚରେ ହୋଇଯିବ। ଯାହା ଅନ୍ୟ କୌଣସି ଦେଶ କରିପାରିବେ ନାହିଁ। ବାଂଲାଦେଶର ଜିଡିପିରେ ୧୧% ଅବଦାନ ରଖୁଥିବା ବୟନ ଶିଳ୍ପ କ୍ଷେତ୍ର ଭାରତୀୟ କଞ୍ଚାମାଲ ଉପରେ ବହୁତ ନିର୍ଭର କରେ। ଭାରତ ରଣନୈତିକ ଭାବରେ ବାଂଲାଦେଶକୁ ପ୍ରଭାବିତ କରିପାରେ।

ସରଳ ଭାଷାରେ କହିବାକୁ ଗଲେ ଭାରତୀୟ ଯୋଗାଣ ବାଂଲାଦେଶର ଅର୍ଥନୀତିର ଜୀବନ ରେଖା। ଏଥିରେ କୌଣସି ବାଧା ଉପୁଜିଲେ ବାଂଲାଦେଶରେ ଦରଦାମ ବଢ଼ିବ, ନିଯୁକ୍ତି ଏବଂ ଦେଶର ଜିଡିପି ପ୍ରଭାବିତ ହେବ।। ଯାହା ବର୍ତ୍ତମାନ ପରିଲଖିତ ହେଲାଣି। ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଚଟ୍ଟୋଗ୍ରାମରେ ଥିବା ଭାରତୀୟ ଭିସା କେନ୍ଦ୍ରକୁ ରବିବାରଠାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି, ଢାକା ଏବଂ ଅନ୍ୟ ଦୁଇଟି କେନ୍ଦ୍ର ପୂର୍ବରୁ ବନ୍ଦ ହୋଇସାରିଛି। ଭାରତୀୟ ସହାୟକ ଉଚ୍ଚାୟୋଗ କାର୍ଯ୍ୟାଳୟ ଏବଂ ସିଲହଟରେ ଥିବା ଭିସା ଆବେଦନ କେନ୍ଦ୍ରରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି।