ଆକାଶ ଛୁଉଁଛି ସୁନା ଦର, ତଥାପି କିଣୁଛନ୍ତି RBI, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ ୧୬।୪: ସୁନା ଦର ଏବେ ଆକାଶ ଛୁଆଁ। ଏହା ସତ୍ତ୍ୱେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୁନା କ୍ରୟ ଜାରି ରଖିଛନ୍ତି। ଆମେରିକୀୟ ଡଲାର ମୂଲ୍ୟ ତଳଉପର ହେଉଥିବାରୁ ଆରବିଆଇ ଏବେ ସୁନା କ୍ରୟ ବଢାଇ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ଆରବିଆଇଙ୍କ ବୈଦେଶିକ ମୁଦ୍ରା ଭଣ୍ଡାରର ବିବିଧତା କାୟମ ରଖିବା। ବୈଦେଶିକ ମୁଦ୍ରାଭଣ୍ଡାର ୩ ବିଲିୟନ ଡଲାର ବୃଦ୍ଧି ହୋଇଥିବା ବେଳେ ଗୋଲ୍ଡ ରିଜର୍ଭ ମୂଲ୍ୟରେ ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। 

ଆରବିଆଇଙ୍କ ତଥ୍ୟ ଅନୁସାରେ ୫ ଏପ୍ରିଲ ସୁଦ୍ଧା ରେକର୍ଡ ୬୪୮.୫ ବିଲିୟନ ଡଲାରକୁ ପହଞ୍ଚିଛି। ଏହି ତଥ୍ୟ ଅନୁସାରେ ଫରେନ ଏକ୍ସଚେଞ୍ଜ ରିଜର୍ଭ ୫୪୦୧୫୭୫କୋଟି ଟଙ୍କା ଥିଲା। ଏଥିରେ ବିଦେଶୀ ମୁଦ୍ରାର ମୂଲ୍ୟ ୪୭୫୬୯୩୦ କୋଟି ଟଙ୍କା ଥିଲା। ଏଥିରେ ସ୍ୱର୍ଣ୍ଣ ଭଣ୍ଡାରର ଆକଳନ ୪୫୪୩୮୧ କୋଟି ଟଙ୍କାର ଥିଲା। ଇକୋନମିକ ଟାଇମ୍ସ ରିପୋର୍ଟ ଅନୁସାରେ ଆରବିଆଇ ଚଳିତବର୍ଷ ଜାନୁୟାରୀ ଓ ଫେବୃଆରୀ ମାସରେ ବଜାରରୁ ୧୩.୩ଟନ ସୁନା କ୍ରୟ କରିଥିଲେ। ଏହା ୨୦୨୩ରେ ଆରବିଆଇଙ୍କ ଦ୍ୱାରା କିଣାଯାଇଥିବା ମୋଟ ସୁନାର ୮୦ ପ୍ରତିଶତରୁ ବି ଅଧିକ। 

ଆରବିଆଇ କାହିଁକି କିଣୁଛନ୍ତି ସୁନା?
 ଆରବିଆଇ ତାଙ୍କ ବୈଦେଶିକ ମୁଦ୍ରା ଆସେଟସ୍‌ର ବିବିଧତା ଆଣିବାକୁ ତଥା ମୁଦ୍ରାସ୍ପିତି ଓ ବିଦେଶୀ ମୁଦ୍ରା ସମ୍ପର୍କିତ ବିପଦ ହ୍ରାସ କରିବାର ରଣନୀତିରେ ଡିସେମ୍ବର ୨୦୧୭ ପରଠାରୁ ଲଗାତାର ବଜାରରୁ ସୁନା କ୍ରୟ କରୁଛନ୍ତି। ଫେବୃଆରୀ ୨୦୨୪ ସୁଦ୍ଧା ଆରବିଆଇ ସ୍ୱର୍ଣ୍ଣ ଭଣ୍ଡାର ଡିସେମ୍ବର ୨୦୧୭ର ୧୭.୯୪ ମିଲିୟନ ଟ୍ରୟ ଆଉନ୍ସରୁ ବଢି ୨୬.୨୬ ମିଲିୟନ ଟ୍ରୟ ଆଉନ୍ସ ହୋଇଯାଇଛି। ଅନ୍ୟପଟେ ଫେବୃଆରୀ ମାସ ପରେ ଅନ୍ତର୍ଜାତୀୟ ସ୍ତରରେ ସୁନା ମୂଲ୍ୟ ପାଖାପାଖି ୭ ପ୍ରତିଶତରୁ ଅଧିକ ବଢିଛି। ଯାହା ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ବୃଦ୍ଧିରେ ଯୋଗଦାନ ଦେଇଛି। 

ଏବେ ସୁନା ମୂଲ୍ୟ ପ୍ରତି ଟ୍ରୟ ଆଉନ୍ସ ୨୩୦୦ ଡଲାର ପାର କରିଯାଇଛି। ଭାରତରେ ସୁନା ଦର ଗତ ୨ ମାସରେ ୧୭ ପ୍ରତିଶତ ବଢି ୧୦ ଗ୍ରାମ ପିଛା ସୁନା ମୂଲ୍ୟ ପାଖାପାଖି ୭୨ହଜାର ୭୦୦ ଟଙ୍କାକୁ ପହଞ୍ଚି ଯାଇଛି। ଏକ ଅନ୍ୟ ରିପୋର୍ଟ ଅନୁସାରେ ଚୀନ୍‌ କେନ୍ଦ୍ରୀୟ ବ୍ୟାଙ୍କ ଗତ ମାର୍ଚ୍ଚ ମାସରେ ନିଜ ସ୍ୱର୍ଣ୍ଣ ଭଣ୍ଡାରରେ ୧୬୦,୦୦୦ଟ୍ରୟ ଆଉନ୍ସ ସୁନା ଯୋଡିଛି। ଗତ ୧୭ ମାସ ହେଲା ଚୀନ ନିଜ ସ୍ୱର୍ଣ୍ଣ ଭଣ୍ଡାର ବଢେଇବାରେ ଲାଗିଛି। ଫଳରେ ଚୀନ୍‌ର ସ୍ୱର୍ଣ୍ଣ ଭଣ୍ଡାର ୧୪୮.୬୪ ବିଲିୟନ ଡଲାରରୁ ବଢି ୧୬୧.୦୭ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। 

ଅନିଶ୍ଚିତତା ଓ ରାଜନୈତିକ ଉଠାପକା ସମୟରେ ସୁନା ଏକ ସୁରକ୍ଷିତ ସଞ୍ଚୟ ମନେ କରାଯାଏ। ବିଶେଷଜ୍ଞଙ୍କ ଅନୁସାରେ ଆମେରିକୀୟ ଡଲାର ଐତିହାସିକ ରୂପେ ଏକ ସ୍ଥିର ମୁଦ୍ରା ହୋଇ ରହିଛି। ଏବେ ଆମେରିକୀୟ ବଣ୍ଡ ନିଜର ଉଚ୍ଚତମ ଇଲ୍ଡରେ ରହିଛି। ଯାହା ଡଲାର ଦୁର୍ବଳତାର ସଂକେତ ଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.