ମୁମ୍ବାଇ ୫।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ଷଣ୍ମାସିକରେ ନିଜ ସ୍ୱର୍ଣ୍ଣ ଭଣ୍ଡାରରେ ବ୍ୟାପକ ବୃଦ୍ଧି କରିଛି। ଏହି ସମୟରେ ଆରବିଆଇ ପାଖିପାଖି ୨୫ ଟନ ସୁନା କିଣିଛନ୍ତି। ଫଳରେ ମାର୍ଚ୍ଚ ୨୦୨୫ ଶେଷ ସୁଦ୍ଧା ଭାରତୀୟ ସ୍ୱର୍ଣ୍ଣ ଭଣ୍ଡାରରେ ୮୭୯.୫୯ ଟନ ସୁନା ଗଛିତ ହୋଇଛି। ସେପ୍ଟେମ୍ବର ୨୦୨୪ ଶେଷରେ ଏହି ପରିମାଣ ୮୫୪.୫୯ ଟନ ଥିଲା। ପୂରା ଆର୍ଥିକ ବର୍ଷର କଥା କହିଲେ ଆରବିଆଇ ମୋଟ ୫୭ ଟନରୁ ଅଧିକ ସୁନା କ୍ରୟ କରିଛନ୍ତି।
ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ସୁନା କିଣାର ସମୟ। ସୁନା ଏପରି ସମୟରେ ଭାରତ ସରକାର କିଣିଛନ୍ତି ଯେତେବେଳେ ବୈଶ୍ୱିକ ବଜାରରେ ସୁନା ମୂଲ୍ୟ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା। ଆରବିଆଇଙ୍କ ଅଧିକାରୀକ ହାଫ ଇୟର୍ଲି ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୫ ସୁଦ୍ଧା ମୋଟ ୬୭୯.୫୯ଟନ ସୁନା ମଧ୍ୟରୁ ୫୧୧.୫୯ ଟନ ସୁନା ଭାରତରେ ରଖା ଯାଇଛି। ବାକି ୩୪୮.୬୨ ଟନ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡ ଓ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟେଲମେଟସ୍ ରେ ରଖା ଯାଇଛି। ଏଥିରୁ ୧୮.୯୮ ଟନ ସୁନା ଗୋଲ୍ଡ ଡିପୋଜିଟ ରୂପେ ରହିଛି।
୨୦୨୫ ଆର୍ଥିକ ବର୍ଷର ପ୍ରଥମ ଷାଣ୍ମାସିକରେ ଆରବିଆଇ ତାଙ୍କ ମୋଟ ସୁନାର ଏକ ବଡ଼ ଅଂଶକୁ ଭାରତକୁ ଟ୍ରାନ୍ସଫର କରିଥିଲେ। ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଭାରତର ସ୍ୱର୍ଣ୍ଣ ଭଣ୍ଡାରଣ ୪୦୮ ଟନ ଆଖପାଖରେ ଥିଲା, ତାହା ସେପ୍ଟେମ୍ବର ୨୦୨୪ ସୁଦ୍ଧା ୫୧୦.୪୬ ଟନକୁ ପହଞ୍ଚି ଯାଇଥିଲା। ଏହାକୁ ୧୯୯୧ ମସିହା ପରେ ସବୁଠୁ ବଡ଼ ସୁନା ଟ୍ରାନ୍ସଫର ବୋଲି କୁହାଯାଏ। ସେତେବେଳେ ଭାରତକୁ ବିଦେଶୀ ମୁଦ୍ରା ସଂକଟର ମୁକାବିଲା ନିମନ୍ତେ ନିଜ ସୁନାକୁ ବନ୍ଧକ ରଖିବାକୁ ପଡିଥିଲା।
ତେବେ ମାର୍ଚ୍ଚ ୨୦୨୫ ଶେଷ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହୋଇ ୬୬୮.୩୩ ବିଲିୟନ ଡଲାରକୁ ପହଞ୍ଚି ଯାଇଥିଲା। ତେବେ ସେପ୍ଟେମ୍ବର ୨୦୨୪ରେ ଏହା ୭୦୫.୭୮ ବିଲିୟନ ଡଲାରର ରେକର୍ଡ ସ୍ତରରେ ଥିଲା। ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ସତ୍ତ୍ୱେ ଦେଶର ସ୍ୱର୍ଣ୍ଣ ଭଣ୍ଡାର ୯.୩୨ ପ୍ରତିଶତରୁ ବଢି ୧୧.୭୦ ପ୍ରତିଶତ ହୋଇଯାଇଛି। ଏହି ଫରେକ୍ସ ରିଜର୍ଭ ମାଧ୍ୟମରେ ଭାରତ ୧୦.୫ ମାସର ଆମଦାନୀକୁ ଚଳାଇ ନେବ।