LIVE TV

'ଆମେରିକାରୁ ଦିନେ ପୁଞ୍ଜିବାଦ ହଟିବ', ଜୋହରାନଙ୍କ ବିଜୟର ରହସ୍ୟ ଖୋଲିଲା ପୁରୁଣା ଇ-ମେଲ୍

NEWS7
rbi-alert-public-on-loan-app-facility-of-digital-platform

ନ୍ୟୁୟର୍କ, ୦୭|୧୧  :  ନ୍ୟୁୟର୍କର ମେୟର ନିର୍ବାଚନ ଜିତିବା ପରେ ଜୋହରାନ ମମଦାନୀଙ୍କୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ସେ ପ୍ରଥମ ମୁସଲିମ ଏବଂ ଭାରତୀୟ ବଂଶୋଦ୍ଭବ ଭାବେ ମେୟର ନିର୍ବାଚନରେ ବାଜିମାତ କରିଛନ୍ତି । ତେବେ ଏପରି କିଛି ଭବିଷ୍ୟତରେ ଘଟିବ ବୋଲି ୪ ବର୍ଷ ତଳୁ ଅନୁମାନ କରାଯାଉଥିଲା । ନ୍ୟୁୟର୍କବାସୀ ପୁଞ୍ଜିବାଦ ମାନସିକତାରୁ ବାହାରି ସମାଜବାଦ ଆଡେ ମୁହାଁଇବେ ବୋଲି ସିଲିକନ ଭ୍ୟାଲୀର ଶକ୍ତିଶାଳୀ ବ୍ୟକ୍ତିବିଶେଷ ଜାଣିଥିଲେ ।

ରିପୋର୍ଟ ଅନୁସାରେ, ୨୦୨୦ ଜାନୁଆରୀ ମାସରେ ସିଲିକନ ଭ୍ୟାଲିର କିଛି ଚର୍ଚ୍ଚିତ ବ୍ୟକ୍ତିଙ୍କୁ ପାଲାଣ୍ଟିରର ସହଯୋଗୀ ସଂସ୍ଥାପକ ପିଟର୍ ଥିଏଲ ଇମେଲ୍ କରିଥିଲେ । ଏହି ଇମେଲ ମାର୍କ ଜୁକରବର୍ଗ, ଲିକ୍ କ୍ଲେଗ୍ ଏବଂ ମାର୍କ ଆଣ୍ଡରସନଙ୍କୁ ପଠା ଯାଇଥିଲା । ଏଥିରେ ଭବିଷ୍ୟତରେ ଆମେରିକାର ଜନତା ସମାଜବାଦକୁ ସମର୍ଥନ କରୁଥିବା ଦର୍ଶାଯାଇଥିଲା । ଏପରିକି ପୁଞ୍ଜିପତିଙ୍କ ବିରୋଧରେ ଅଘୋଷିତ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା କୁହାଯାଇଥିଲା  । ଏବେ ଜୋହରାନ ଜିତିବା ପରେ ଇମେଲର ମେସେଜକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହାକୁ ନେଇ ସିଲିକନ ଭ୍ୟାଲି ସବୁ ଜାଣି କାହିଁକି ଚୁପ୍ ଥିଲା ବୋଲି ପ୍ରଶ୍ନ ଉଠିଛି ।

ଭାଇରାଲ ଇମେଲରେ ପିଟର ଲେଖିଥିଲେ ଯେ, ଯୁବ ଭୋଟରଙ୍କୁ ମାନସିକ ଭାବେ ବିଭ୍ରାନ୍ତ କରାଯାଉଛି । ଯାହା ଠିକ୍ ନୁହେଁ । ଆମେରିକାର ରାଜନୀତି ଉପରେ ମଧ୍ୟ ଏହା ପ୍ରଭାବ ପକାଇବ । ପ୍ରାୟ ୭୦ ପ୍ରତିଶତ ଭୋଟର ସମାଜବାଦକୁ ସମର୍ଥନ କରୁଛନ୍ତି । ତେବେ ଏହା ବିଚାରଧାରା ନୁହେଁ ବରଂ ସେମାନଙ୍କୁ ଜାଣିଶୁଣି ରଣନୈତିକ ଭାବେ ଏପରି ପରିବର୍ତ୍ତନରେ ସାମିଲ କରାଯାଉଛି ।

ସେ ଆହୁରି ଲେଖିଥିଲେ ଯେ, ଯେଉଁ ଛାତ୍ରଙ୍କ ଉପରେ ଲୋନ୍ ଭାର ରହିଛି ଏବଂ ଭଲ ଘର ସେମାନେ ରହିବାକୁ ପାଉ ନାହାଁନ୍ତି ସ୍ବାଭାବିକ ଭାବେ ପୁଞ୍ଜିପତିଙ୍କ ବିରୋଧରେ ଏକ ମତ ତିଆରି ହେବ । ସେହିପରି ପୁଞ୍ଜିାବାଦୀ ବିଚାରଧାରାରେ ବିଶ୍ବାସ କରୁନଥିବା ବ୍ୟକ୍ତି ଏହାକୁ ନିଶ୍ଚୟ ବିରୋଧ କରିବ । ଏହା କେବଳ ଏକ ଥିଓରି ନୁହେଁ ବରଂ ଚେତାବନୀ । ଭବିଷ୍ୟତରେ ଆମେରିକାରେ ଏହି ପ୍ରସଙ୍ଗରେ ଭୋଟ୍ ହେବ ବୋଲି ପିଟର ମେଲରେ ଦର୍ଶାଇଥିଲେ ।

ପିଟରଙ୍କ ମେଲର ସ୍କ୍ରିନସର୍ଟ ସେୟାର କରିଥିବା ବ୍ୟକ୍ତି କହିଛନ୍ତି ଯେ, ସେତେବେଳେ ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି । ଆମେରିକୀୟଙ୍କ ଚିନ୍ତାଧାରା ସମାଜବାଦ ନୁହେଁ । କିନ୍ତୁ ପୁଞ୍ଜିବାଦକୁ ଲୋକେ ବିରୋଧ କରୁଛନ୍ତି । କାରଣ ସେମାନଙ୍କ ସ୍ବାର୍ଥକୁ ପୁଞ଼୍ଜିବାଦ ନୀତି ପୂରଣ କରିପାରୁ ନାହିଁ । ଯାହା ମମଦାନୀଙ୍କ ବିଜୟ ପାଇଁ ଅନେକ ମାତ୍ରାରେ ଦାୟୀ । ସବୁଠାରୁ ବଡ କଥା ହେଉଛି ଏହି ପ୍ରସଙ୍ଗ ସିଲିକନ ଭ୍ୟାଲି ଭିତରେ ସୀମିତ ରହିଥିଲା । ଯାହାକୁ ବିଗ୍ ଟେକ୍ ମାନେ କେବଳ ଦର୍ଶକଭାବେ ପଢିଥିଲେ । କିନ୍ତୁ ନ୍ୟୁୟର୍କର ଗଳିକନ୍ଦିରେ ଲୋକଙ୍କ ପାଖରେ ପୁଞ଼୍ଜିବାଦ ବିରୋଧରେ ମନୋଭାବ ଜନ୍ମ ନେଇ ସାରିଥିଲା ।