ଆରମ୍ଭ ହେଲା ରଥଟଣା, ଘର ଘର ନାଦରେ ଗଡ଼ିଲା ତାଳଧ୍ଵଜ

Published By : Prameya-News7 Bureau | June 27, 2025 IST

ପୁରୀ: ସେହି ସମୟ ଉପନ୍ନୀତ ହୋଇଛି। ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି। ନିର୍ଦ୍ଧାରିତ ସମୟରେ ପହଣ୍ଡି ଓ ଛେରା ପହଁରା ନୀତି ସଂପନ୍ନ ପରେ ଠିକ୍ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହୋଇଛି। ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଛି ଶ୍ରୀକ୍ଷେତ୍ର। ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ବଡ଼ଦାଣ୍ଡ। ଭକ୍ତିମୟରେ ଭିଜିଛି ଶ୍ରୀକ୍ଷେତ୍ର। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ହୋଇଛି। ଶ୍ରଦ୍ଧାଳୁ ଆନନ୍ଦର ସହ ତାଳଧ୍ଵଜ ରଥକୁ ଟାଣି ନେଉଛନ୍ତି। ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ।

ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ପହଣ୍ଡି ଆରମ୍ଭ ସକାଳ ୯ଟା ୩୦ରୁ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିଥିଲେ। ଏହା ପରେ ଟାହିଆ ସୁଶୋଭିତ ହୋଇ ଘଣ୍ଟ ବାଦ୍ୟ ତାଳେ ତାଳେ ହୁଳ ହୁଳିରେ ଧାଡ଼ି ପହଣ୍ଡିରେ ଆସିଥିଲେ ବଡ଼ ଭାଇ ବଳଭଦ୍ର। ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବା ମାତ୍ରେ ବଡ଼ଦାଣ୍ଡ ହରିବୋଲ ହୁଳହୁଳିରେ ଉଛୁଳି ପଡ଼ିଥିଲା ବଡ଼ଦାଣ୍ଡ। ତାଳଧ୍ଵଜରେ ବିରାଜମାନ କରିଥିଲେ ବଡ଼ ଭାଇ। ତାଙ୍କ ପଛେ ପଛେ ପହଣ୍ଡିରେ ଦର୍ପଦଳନ ରଥରେ ବିରାଜମାନ କରିଥିଲେ ଦେବୀ ସୁଭଦ୍ରା। 

ଏହା ପରେ ଆସିଥିଲେ ଚକ୍ରରାଜ, ଓଡ଼ିଆଙ୍କ ମଉଡ଼ମଣି, କୋଟି ଆରାଧ୍ୟ ଦେବତା, ଜଗତର ନାଥ ଜଗନ୍ନାଥ। ଟାହିଆ ଲଗାଇ ସେବାୟତଙ୍କ ଘଣ୍ଟାବାଦ୍ୟ ତାଳେ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ ଚକାଆଖି। ତାଙ୍କର ଚୋକାଆଖି ଦେଖି ଆହ୍ଲାଦିତ ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଢଳି ଢଳି ଝୁଲି ଝୁଲି ଆସି ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ ମହାବାହୁ। ପାଖାପାଖି ୧ଟାରେ ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଥିଲା।

ଏହା ପରେ ତିନି ରଥରେ ଶ୍ରୀ ମଦନ ମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ ନୀତି ସଂପନ୍ନ ହୋଇଥିଲା। ତିନି ବିଗ୍ରହଙ୍କ ଚିତା ଲାଗି- ଅପରାହ୍ଣ ୧ଟା ୩୦ରୁ ୨ଟା ଭିତେ ସଂପନ୍ନ ହୋଇଥିଲା। ଅପରାହ୍ଣ ୧ଟା ୩୦ରୁ ୨ଟା ୩୦ ଭିତରେ ବେଶ ଶେଷ ହୋଇଥିଲା। ପ୍ରାୟ ୨ଟା ୩୦ରୁ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ତମଜାନରେ ଆସିଥିଲେ। ପ୍ରଥମେ ତାଳଧ୍ଵଜ ରଥରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଗଜପତି ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସଂପନ୍ନ କରିଥିଲେ। ଏହି ନୀତି ପରେ ତିନି ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଯୋଚା ଯାଇଥିଲା। ଆଉ ଶେଷରେ ନିର୍ଦ୍ଧାରିତ ସମୟ ପ୍ରାୟ ୪ଟାରେ ରଥଟଣା ଆରମ୍ଭ ହୋଇଛି। 

ଏହା ପୂର୍ବରୁ ସକାଳ ୬ଟାରେ  ମଙ୍ଗଳ ଆଳତିରୁ ରଥଯାତ୍ରା ପାଇଁ ଚତୁର୍ଦ୍ଧା ମୂରତିଙ୍କ ରୀତିନୀତି ଆରମ୍ଭ ହୋଇଥିଲା। ଏହା ପରେ ସକାଳ ୬ଟା ୧୦ରେ ମଇଲମ, ସକାଳ ୬ଟା ୩୦ରେ ତଡ଼ପଲାଗି, ରୋଷହୋମ ସକାଳ ୬ଟା ୩୦,  ଅବକାଶ ନୀତି ସକାଳ ୭ଟାରେ ସଂପନ୍ନ ହୋଇଥିଲା। ଏହା ପରେ ସୂର୍ଯ୍ୟ ପୂଜା ସକାଳ ୭ଟା ୧୦,  ଦ୍ଵାରପାଳ ପୂଜା ସକାଳ ୭ଟା ୩୦, ବେଶ ଶେଷ ନୀତି ସକାଳ  ୭ଟା ୩୦ରେ ଅନୁଷ୍ଠିତ ହୋଇଥିଲା। ଗୋପାଲ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ)- ସକାଳ ୮ଟାରୁ ୯ ପର୍ଯ୍ୟନ୍ତ ଚାଲିଥିଲା। ରଥ ପ୍ରତିଷ୍ଠା ସକାଳ ୯ଟା ଓ  ମଙ୍ଗଳାର୍ପଣ ସକାଳ ୯ଟା ୧୫ରେ ଶେଷ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.