ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ଏଥର ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । କୋଟସମଲାଇର ଛଳିଆ ପାହାଡ଼ର ଶ୍ରୀମନ୍ଦିରରୁ ଘୋଷଯାତ୍ରାରେ ଭାଇ ଭଉଣୀ ସହ ବାହାରି ଥିଲେ ଶ୍ରୀଜଗନ୍ନାଥ । ପ୍ରାୟ ୨୦୦ ଫୁଟ ତଳକୁ ଧାଡିପହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ ହୋଇଥିଲେ ।ଏହି ଅନନ୍ୟ ରଥଯାତ୍ରା ର ଅନୁଭୁତି ସାଉଁଟିବାକୁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହୋଇଥିଲା ଏହି ପାବନ ପୀଠରେ ।
ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ ଆନନ୍ଦର ସହିତ ପହଣ୍ଡିବିଜେ ହୋଇ ଆସିଛନ୍ତି ତିନିଠାକୁର । ଆଗରେ ବଳଭଦ୍ର ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର । ହରିବୋଲ, ହୁଳୁ ହୁଳି, ଘଣ୍ଟ, ଘଣ୍ଟା ଓ ସଙ୍କୀର୍ତନରେ ଖୋଳ, ତାଳ, ଧ୍ୱନୀ ରେ ଉଛୁଳି ଉଠୁଛି ଏହି ପାବନ କ୍ଷେତ୍ର ।ଛଳିଆ ପାହାଡର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତ ମାନେ ପହଣ୍ଡିରେ ଆଣିଛନ୍ତି ତିନିବିଗ୍ରହଙ୍କୁ ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଛଳିଆ ପାହାଡର ଶିଖରରୁ ପାହାଡିଆ ବାଟଦେଇ ଘୋଷଯାତ୍ରାରେ ବାହାରିଥିବା ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପୁରୁଷୋତମ କ୍ଷେତ୍ରର ରୀତିନୀତିରେ ପାଳିତ ହେଉଥିବା ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁମାନଙ୍କର ବେଶ ଭିଡ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷତ୍ରରେ ।
ଶ୍ରୀ ପାତାଳୀ କ୍ଷେତ୍ରରେ ମହାପ୍ରଭୁ ୧୪୪ ବର୍ଷ ପାତାଳୀ ହୋଇଥିଲେ । ବିଗତ କିଛି ବର୍ଷ ତଳେ ପୁରୀ ଶ୍ରୀମନ୍ଦିର ଦେଇଥିବା ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଥିଲା ପାତାଳି ଶ୍ରୀକ୍ଷେତ୍ରର ଛଳିଆ ପାହଡରେ ।ପୁରୀ ଗଜପତି ଦିବ୍ୟସିଂହ ଦେବ ସାମିଲ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଉତ୍ସବରେ ।ସେହିଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ର ପାତଳି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୀତି ନୀତିରେ ପାଳନ କରାଯାଉଛି ଏହି ରଥଯାତ୍ରା । ପାତାଳି ଶ୍ରୀକ୍ଷେତ୍ର ରଥଯାତ୍ରା କମିଟି ପକ୍ଷରୁ ଜିଲ୍ଲାପ୍ରଶାସନର ସହାୟତାରେ ପାଳିତ ହେଉଛି ଏହି ରଥଯାତ୍ରା । ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରୀତିନୀତିରେ ଏହି ରଥଯାତ୍ରା ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି ।