ନୂଆଦିଲ୍ଲୀ: ସକାଳ ସମୟ। ବୁଲେଟିନର ସିଧା ପ୍ରସାରଣ ପାଇଁ ପ୍ରସ୍ତୁତ ହେଉଥିଲେ ମହିଳା ଉପସ୍ଥାପିକା(ଆଙ୍କର)। ପ୍ରଡକ୍ସନମ୍ୟାନଠୁ ନେଇ ଲାଇଟ୍ ମ୍ୟାନ୍ ଏବଂ କ୍ୟାମେରା ସବୁ ପ୍ରସ୍ତୁତ ଥିଲେ। ହେଲେ ଠିକ୍ ସମୟ ପୂର୍ବରୁ ମହିଳା ଉପସ୍ଥାପିକାଙ୍କ ଓ୍ଵାଟର ବ୍ରୋକେନ (ପ୍ରସବ ପୂର୍ବରୁ ଗର୍ଭାଶୟରୁ ଜଳୀୟ ଅଂଶ ବାହାରିବା) ହୋଇଥିଲା। ଯାହା ଜଣେ ମହିଳା ପକ୍ଷେ ସହ୍ୟ କରିବା କଷ୍ଟଦାୟକ। ତେବେ ମହିଳା ଆଙ୍କର ଜଣକ ହାର ମାନି ନ ଥିଲେ। ମେଡିକାଲ୍ ଯିବା ପରିବର୍ତ୍ତେ ଷ୍ଟୁଡିଓକୁ ଯାଇଥିଲେ। ଅଧ ଘଣ୍ଟା କି ଘଣ୍ଟାଏ ନୁହେଁ ଦୀର୍ଘ ତିନି ଘଣ୍ଟା ଧରି ଷ୍ଟୁଡିଓରେ ଆଙ୍କରିଂ କରିବା ସହ ନିଜର ପ୍ରୋଗ୍ରାମ ଶେଷ କରିଥିଲେ।
ଏହି ଆଙ୍କର ଜଣକ ହେଉଛନ୍ତି ନ୍ୟୁୟର୍କର ସ୍କେନେକ୍ଟାଡିରେ ରହୁଥିବା CBS6 ଆଲବାନି (WRGB) ଚ୍ୟାନେଲର ସକାଳ ଖବରର ଉପସ୍ଥାପିକା ଅଲିଭିଆ ଜାକିଥ। ପ୍ରତିଦିନ ପରି ବୁଧବାର ସକାଳେ ତାଙ୍କର ବୁଲେଟିନ ଥିଲା। ସକାଳର ଖବର ପ୍ରସାରଣ ଆରମ୍ଭ କରିବାର କିଛି ମୁହୂର୍ତ୍ତ ପୂର୍ବରୁ ତାଙ୍କ ଶରୀରରୁ ପାଣି ବାହାରିଥିଲା, ଯାହା ପ୍ରସବ ପୂର୍ବରୁ ଘଟିଥାଏ। ସିଧା ହସ୍ପିଟାଲକୁ ଯିବା ପରିବର୍ତ୍ତେ, ଜାକିଥ୍ ନିଜର ସମ୍ପୂର୍ଣ୍ଣ ତିନି ଘଣ୍ଟାର କାର୍ଯ୍ୟକ୍ରମର ଆଙ୍କରିଂ କରିଥିଲେ। ଜାକିଥ୍ ହସି ହସି କହିଥିଲେ: "ମୁଁ ହସ୍ପିଟାଲରେ ରହିବା ଅପେକ୍ଷା କାମରେ ରହିବାକୁ ପସନ୍ଦ କରିବି"।
ଓ୍ଵାଟର ବ୍ରୋକେନ ହେବାରୁ ତାଙ୍କର ସହକର୍ମଚାରୀ ଅଲିଭିଆଙ୍କୁ ମେଡିକାଲ୍ ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ନିଜକୁ ସମ୍ଭାଳିବା ସହ ଧୈର୍ଯ୍ୟ ଧରିଥିଲେ। ଦର୍ଶକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ପୂରା ସମୟ ବୁଲେଟିନରେ ରହି ପାରିବେ। ଏହା ପରେ ସମସ୍ତ ସହକର୍ମୀ ତାଙ୍କୁ ବେଶ ସହଯୋଗ କରିଥିଲେ। ସ୍କ୍ରିନ୍ ଗ୍ରାଫିକ୍ସରେ "ଡେଜ୍ ପାଷ୍ଟ ଡ୍ୟୁ ଡେଟ୍: 2" ଏବଂ "ବେବି ୱାଚ୍: ହେର୍ କମ୍ସ୍ ବେବି ପି, ଗୁଡ୍ ଲକ୍ ଅଲିଭିଆ" ଲେଖା ଯାଇଥିଲା। ଏହି ସମୟରେ ଜାକିଥ୍ ଖବର ପଢ଼ି ଚାଲିଥିଲେ।
ଏହି ସମୟରେ ଜାକିଥ୍ ହସି ହସି କହିଥିଲେ "ମୁଁ ହସ୍ପିଟାଲରେ ରହିବା ଅପେକ୍ଷା କାମରେ ରହିବାକୁ ପସନ୍ଦ କରିବି"। ସବୁଠୁ ବଡ଼ କଥା ଏହି ସମୟରେ ଆଙ୍କର ଡେସ୍କରେ ତାଙ୍କ ସ୍ଵାମୀ ଟିନ ଥିଲେ। ସକାଳ ୮ଟାରେ ବୁଲେଟିନ ସରିବା ମାତ୍ରେ ଜାକିଥଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ଏହା ପ୍ରଥମ ସନ୍ତାନ ଥିଲା।