Live Live
LIVE

ରାଜ୍ୟସଭା ନିର୍ବାଚନ : ଶରଦ ପାଓ୍ୱାର, ରାମଦାସ ଅଠାଓ୍ୱାଲେଙ୍କ ସମେତ ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ

NEWS7
randeep-hooda-reveals-he-was-in-depression

ନୂଆଦିଲ୍ଲୀ, ୧୦ /୦୩: ରାଜ୍ୟସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ବିଧାନସଭାରେ ଭୋଟିଂ ହେବାକୁ ଯାଉଛି । ଏହାପୂର୍ବରୁ ଅନେକ ନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏନସିପି ମୁଖିଆ ଶରଦ ପାଓ୍ୱାର ଏବଂ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱାଲେଙ୍କ ସମେତ ୨୬ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ଘୋଷଣା କରାଯାଇଛି ।

ସୋମବାର ଅର୍ଥାତ ମାର୍ଚ୍ଚ ୯ ତାରିଖରେ ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ଏହାପରେ ବିହାର, ଓଡିଶା ଏବଂ ହରିୟାଣର ୧୧ଟି ଆସନରେ ନିର୍ବାଚନ ହେବ । ଯାହା ମଧ୍ୟରେ ବିହାରର ୫ଟି ଥିବା ବେଳେ ଓଡିଶାର ୪ ଏବଂ ହରିୟାଣାର ଦୁଇଟି ରହିଛି । ନିର୍ବାଚନ କମିଶନ ୧୦ଟି ରାଜ୍ୟର ୩୭ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏବେ କିନ୍ତୁ ନାମାଙ୍କନ ଦାଖଲ କରିଥିବା ୨୬ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେତାମାନେ ହେଲେ ଡିଏମକେର ଏମ୍ ଥାମ୍ବିଦୁରାଇ, କଂଗ୍ରେସର ଅଭିଷେକ ସିଙ୍ଘଭି । ସେହିପରି ମହାରାଷ୍ଟ୍ରର ସମସ୍ତ ୭ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ବିଜେପି ସମର୍ଥିତ ମହାୟୁତିର ରହିଛନ୍ତି । ଅନ୍ୟ ଜଣେ ହେଲେ ମହା ବିକାଶ ଆଘାଡିର ପ୍ରାର୍ଥୀ ତଥା ଏନସିପି ନେତା ଶରଦ ପାଓ୍ୱାର ।

ଏତତ୍ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱାଲେ, ବିଜେପି ନେତା ବିନୋଦ ତାଓ୍ୱଡେ ମହାରାଷ୍ଟ୍ରରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପିର ରାମରାଓ ଓ୍ୱାଡକୁଟେ, ମାୟା ଇଭାନ୍ତେ, ଏକନାଥ ସିନ୍ଦେଙ୍କ ଶିବସେନାର ଜ୍ୟୋତି ଓ୍ୱାଘମାରେ ଏବଂ ଅଜିତ ପାଓ୍ୱାରର ପୁଅ ପାର୍ଥ ପାଓ୍ୱାର ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ଆହୁରି ମଧ୍ୟ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବାବୁଲ ସୁପ୍ରିୟୋ, ରାଜୀବ କୁମାର, ମେନକା ଗୁରୁସ୍ୱାମୀ ଏବଂ ଅଭିନେତା କୋଏଲ ମଲ୍ଲିକ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ବିଜେପିର ପୂର୍ବତନ ରାଜ୍ୟ ସଭାପତି ରାହୁଲ ସିହ୍ନା ମଧ୍ୟ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଆସାମରେ ତିନି ଜଣ ବିଜୟୀ ହୋଇଛନ୍ତି । ତେଲଙ୍ଗାନାରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ସିଙ୍ଘଭି ଏବଂ ଭେମ୍ ନରେନ୍ଦ୍ର ରେଡ୍ଡିଙ୍କ ସମେତ ତାମିଲନାଡୁର ୬ ଜଣ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଛନ୍ତି । ଛତିଶଗଡରେ ମଧ୍ୟ ବିଜେପିର ଜଣେ ଏବଂ କଂଗ୍ରେସର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ନିଶ୍ଚିତ ହୋଇଛି । ହିମାଚଳ ପ୍ରଦେଶରେ କଂଗ୍ରେସ ପ୍ରାର୍ଥୀ ଅନୁରାଗ ଶର୍ମା ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଜଣାପଡିଛି ।