LIVE TV

ସାମରିକ ଘେରାବନ୍ଦୀର ଷଡ଼ଯନ୍ତ୍ର ରଚୁଛି କି ଡ୍ରାଗନ ? , ତାଇୱାନ ଆଡ଼କୁ ୧୩ ଟି ଫାଇଟର ଜେଟ୍‌ , ୬ଟି ଜାହାଜ ପଠାଇଲା ଚୀନ

NEWS7
rakul-preet-singh-on-facing-nepotism

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ଶାନ୍ତିର ସଙ୍କେତ ନଜର ଆସୁଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଜିପ୍ଟରେ ପୂର୍ଣ୍ଣ ଯୁଦ୍ଧବିରତି ସୁନିଶ୍ଚିତ କରିବା ପାଇଁ ଏକ ଶାନ୍ତି ସମ୍ମିଳନୀର ଆୟୋଜନ କରୁଛନ୍ତି। କିନ୍ତୁ ଏହି ସମୟରେ ଦୁନିଆର ଅନ୍ୟପଟେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚି ଯାଇଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଖୁଲାସା କରିଛି ଯେ, ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ର ୧୩ଟି ଫାଇଟର ବିମାନ ଓ ୬ ଟି ନୌସେନାର ଜାହାଜ ତାଇୱାନର ଆଖପାଖରେ ଗତିବିଧିକୁ ଦ୍ରୁତ କରି ଦେଇଛି। ଏଥିରୁ ୮ଟି ବିମାନ ତାଇୱାନ ଜଳପ୍ରଣାଳୀର ମଧ୍ୟରେଖାକୁ ଅତିକ୍ରମ କରି ତାଇୱାନର ଉତ୍ତର , ଦକ୍ଷିଣ-ପଶ୍ଚିମ ତଥା ଦକ୍ଷିଣ-ପୂର୍ବବିମାନ ସୁରକ୍ଷା କ୍ଷେତ୍ର (ଏଡିଆଇଜେଡ)ରେ ଅନୁପ୍ରବେଶ କରିଛି। ମନ୍ତ୍ରଣାଳୟ ମୁତାବିକ , ତାଇୱାନର ସେନା ସଂପୂର୍ଣ୍ଣ ସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସବୁ ଆବଶ୍ୟକୀୟ ପଦକ୍ଷେପ ନେବ।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ୍ସରେ ପୋଷ୍ଟ ସେୟାର କରି କହିଛି ଯେ, ୧୩ଟି ଚାଇନା ବିମାନ ଓ ୬ଟି ନୌସେନାର ଜାହାଜକୁ ତାଇୱାନର ଆଖପାଖରେ ଦେଖିବାକୁ ମିଳିଛି। ୮ଟି ବିମାନ ଆମର ଏଡିଆଇଜେଡ୍‌ରେ ଅତିକ୍ରମଣ କରିଛି। ଆମର ସେନା ଲଗାତାର ଅନୁଧ୍ୟାନ କରୁଛନ୍ତି ଏବଂ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ସହ ସଂପୃକ୍ତ ଅଛନ୍ତି। ଏହି ଘଟଣା ଚୀନର ତାଇୱାନରେ ଲଗାତାର ଜାରି ‘ସୈନ୍ଯ ଚାପ ରଣନୀତି’ ର ନୂଆ ଉଦାହରଣ। କହି ରଖୁଛୁ କି , ଚୀନ୍‌ ତାଇୱାନକୁ ନିଜର ‘ବିଶେଷ ପ୍ରଶାସନିକ କ୍ଷେତ୍ର’ ଭାବେ ମନେକରୁଛି ଏବଂ ଏହାର ଆଖପାଖରେ ବିମାନ ତଥା ସାମୁଦ୍ରିକ ଗସ୍ତକୁ ଆହୁରି ଦ୍ରୁତ କରୁଛି।

ଉଲ୍ଲେଖନୀୟ ଯେ , ରବିବାର ମଧ୍ୟ ତାଇୱାନ ୧୬ଟି ଚାଇନା ବିମାନ , ୮ଟି ନୌସେନା ଜାହାଜ ଓ ଗୋଟିଏ ସରକାରୀ ଜାହାଜ ନିଜର ସୀମା ନିକଟରେ ପହଞ୍ଚିବା ନେଇ ସୂଚନା ଦେଇଥିଲା, ଯେଉଁଥିରେ ୧୩ଟି ବିମାନ ଏଡିଆଇଜେଡ୍‌ରେ ପ୍ରବେଶ କରିଥିଲା। ଏହା ଲଗାତାର ଦ୍ୱିତୀୟ ରାତି ଥିଲା ଯେବେ ଚୀନ ବିମାନ ଅନୁପ୍ରବେଶ ଓ ନୌସୈନିକ ଚାପର ରଣନୀତିକୁ ଦୋହରାଇଛି।

ବର୍ତ୍ତମାନ ଏହି ଘଟଣା ପ୍ରଶ୍ନ ଠିଆ କରି ଦେଇଛି ଯେ, ଚୀନ କଣ ସତରେ ତାଇୱାନର ଚାରିକଡ଼େ ସାମରିକ ଘେରାବନ୍ଦୀର ଷଡ଼ଯନ୍ତ୍ର ରଚୁଛି ? ହେଲେ ତାଇୱାନର ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଏହାକୁ ‘ ଅବ୍ୟବହାରିକ ଓ ଅସମ୍ଭବ’ ଭାବେ ଦର୍ଶାଇଛନ୍ତି।