ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମୋତ୍ସବ ପାଳିତ, ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସୁଭଦ୍ରା

Published By : Prameya-News7 Bureau | August 09, 2025 IST

ପୁରୀ ୯।୮: ଶ୍ରୀମନ୍ଦିରରେ ପାଳିତ ହୋଇଛି ରକ୍ଷାବନ୍ଧନ ଉତ୍ସବ । ଭାଇ-ଭଉଣୀଙ୍କ ପବିତ୍ର ସଂପର୍କର ଉତ୍ସବ ରକ୍ଷାବନ୍ଧନ ଅବସରରେ ଭଉଣୀ ସୁଭଦ୍ରା ବାସୁଙ୍ଗା ପାଟରେ ନିର୍ମିତ ଚାରୋଟି ବୃହତ୍ତକାୟ ରାକ୍ଷୀ ବାନ୍ଧିଛନ୍ତି ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ । ପାଟରା ବିଷୋୟୀ ସେବାୟତ ମାନେ ଦୀର୍ଘ ଏକ ମାସ ନିଷ୍ଠାରେ ରହି ତିଆରି କରିଥିବା ବାସୁଙ୍ଗା ପାଟର ରାକ୍ଷୀକୁ ଶ୍ରୀମନ୍ଦିରକୁ ନେଇଥିଲେ । ସେଠାରେ ମେକାପ ସେବାୟତଙ୍କୁ ଏହି ରାକ୍ଷୀ ଅର୍ପଣ କରିବା ପରେ ମେକାପ ସେବାୟତ ମାନେ ଏହାକୁ ସିଂହାରୀ ସେବାୟତଙ୍କ ହାତରେ ଦେଇଥିଲେ। ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବେଶ ସମୟରେ ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ଏହି ରାକ୍ଷୀ ବାନ୍ଧିଥିଲେ । 

ସେହିପରି ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହିତ ଅନୁଷ୍ଠିତ ହେଉଛି ବଳଭଦ୍ରଙ୍କ ଜନ୍ମୋତ୍ସବ । ପ୍ରଭୁ ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠି ଦେବୀଙ୍କୁ ରଖାଯାଇ ପୂଜାବିଧି ସହ ତିଥି, ରାଶି, ନକ୍ଷତ୍ର ଅନୁଯାୟୀ ଏହି ନୀତି ଅନୁଷ୍ଠିତ ହୋଇଥାଏ । ବିମାନବଡୁ ସେବାୟତ ମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡ ପୁଷ୍କରଣୀକୁ ଯାଇଥାନ୍ତି । ସେଠାରେ ଥିବା ଚକଡା ଉପରେ ସୁଦର୍ଶନ ବିଜେ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଚକଡା ଉପରେ ଥିବା ଗୋଲ୍ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିକୁ ଜୀବନ୍ୟାସ ଦେବା ସହ ମନ୍ତ୍ର ପାଠ ଓ ଜାତକର୍ମ ନୀତି ସମ୍ପନ୍ନ କରିଥାନ୍ତି। ପରେ ସେହି ମୂର୍ତ୍ତିକୁ ମାର୍କଣ୍ଡେୟ ପୁଷ୍କରଣୀରେ ବିସର୍ଜନ କରିଥାନ୍ତି । ପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି ସମ୍ପନ୍ନ ହେବା ପରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥାନ୍ତି । 

ତେବେ ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଭକ୍ତମାନଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି  ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

You Can Read:

ରାଜକୋଷରୁ ଟଙ୍କା ଖର୍ଚ୍ଚ ହେବ, ହେଲେ ତାର ରିଟର୍ଣ୍ଣି ନ ଆସିଲେ ଲାଭ କ’ଣ ?

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.