ଲୋଇସିଂହାର ପ୍ରଥମ ମହିଳା ଜମିଦାରଙ୍କ ରାଜ୍ୟାଭିଷେକ, ଗାଦି ସମ୍ଭାଳିବେ ଅର୍ଚ୍ଚନା ଦେବୀ ସିଂହ ରାଏ

Published By : Prameya-News7 Bureau | May 30, 2025 IST

ବଲାଙ୍ଗିର ୩୦ବଲାଙ୍ଗିର ଜିଲ୍ଲା ଲୋଇସିଂହାର ପ୍ରଥମ ମହିଳା ଜମିଦାରଙ୍କ ରାଜ୍ୟାଭିଷେକ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ପୂଜାବିଧି ଅନୁସାରେ କୂଳ ଦେବତା ବଡ଼ଦେଓଙ୍କ ଆବାହନ କରିବା ପରେ ତାଙ୍କ ଆଶୀର୍ବାଦ ଲାଭ କରି ତାଙ୍କର ପାଗ ଭିଡ଼ା ପରମ୍ପରା ସମ୍ପନ୍ନ ହୋଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଗୌନ୍ତିଆ, ଜମିଦାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । 

ବୁଧବାର ଲୋଇସିଂହା ରାଜବାଟିରେ ସ୍ଥାନୀୟ ଜମିଦାର ପରିବାର ତରଫରୁ ଅନୁଷ୍ଠିତ ହୋଇଥିଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ୧୯ତମ ଲୋଇସିଂହା ଜମିଦାର ତଥା ପ୍ରଥମ ଲୋଇସିଂହା ମହିଳା ଜମିଦାର ଭାବେ ଅଭିଷିକ୍ତ ହୋଇଥିଲେ ଅର୍ଚ୍ଚନା ଦେବୀ ସିଂହ ରାଏ । ଅର୍ଚ୍ଚନା ଦେବୀ ହେଉଛନ୍ତି ପୂର୍ବତନ ଜମିଦାର ସ୍ବର୍ଗତ ଜୟକୃଷ୍ଣ ସିଂ ରାଏଙ୍କ ବଡ ନାତୁଣୀ ତଥା ତାଙ୍କ ବଡ ପୁଅ ସ୍ବର୍ଗତ ତ୍ରୟମ୍ବ କିଶୋର ସିଂ ରାଏ ଓ ରାଜମାତା ଓଗ୍ନେଶ୍ୱରୀ ସିଂ ରାଏଙ୍କ ବଡ ଝିଅ । 

ପାଟନା ରାଜ୍ୟ ସମୟରେ ଲୋଇସିଂହା ଜମିଦାରଙ୍କ ପ୍ରଭାବ ରହିଥିଲା । ବଡଦେଓଙ୍କ ଉପାସନା କରିଥିବାରୁ ତାଙ୍କୁ ୨୨ ଖଣ୍ଡ ଗାଁର ଜମିଦାରୀ ପାଟନା ରାଜା ପ୍ରଦାନ କରିଥିଲେ । ଅଞ୍ଚଳରେ ଲୋଇସିଂହା ଜମିଦାର ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ତାଙ୍କ ସରଳ ମନୋଭାବ ଯୋଗୁଁ ଲୋକଙ୍କ ସହ ସୁସମ୍ପର୍କ ରହି ଆସିଛି । ଆଜି ବି ଲୋକେ ତାଙ୍କୁ ଜମିଦାର ଭାବେ ସମ୍ମାନ ଦେଉଥିବା ବେଳେ କିଛି ଦିନ ପୂର୍ବରୁ ପୂର୍ବତନ ଜମିଦାର ଜୟକୃଷ୍ଣ ସିଂ ରାଏଙ୍କ ଦେହାନ୍ତ ହୋଇଥିଲା । ଏହା ପୂର୍ବରୁ ତାଙ୍କ ବଡ ପୁଅ ତ୍ରୟମ୍ୱ କିଶୋର ସିଂ ରାଏ ଓ ବଡ ନାତି ଯୋତେଶ୍ୱର୍ ସିଂ ରାଏଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଫଳରେ ପରମ୍ପରା ଅନୁସାରେ ଅର୍ଚ୍ଚନା ଦେବୀ ସିଂ ରାଏ ହିଁ ଜମିଦାର ପାଇଁ ଉତ୍ତରାଧିକାରୀ ରହିଥିଲେ । 

ତେବେ ସେ ଆନୁଷ୍ଠାନିକ ଭାବେ ଏହି ପଦ ମଣ୍ଡନ କରିଛନ୍ତି । ବୁଧବାର ସକାଳୁ ଏଥିପାଇଁ  ଆବଶ୍ୟକ ପୂଜାବିଧି ସମ୍ପନ୍ନ କରାଯାଇଥିଲା । ପରେ କୂଳ ଦେବତା ବଡଦେଓ ଙ୍କୁ ପୂଜା କରି ଆବାହନ କରାଯାଇଥିଲା । ଆବାହନ ପରେ ତାଙ୍କ ଆଜ୍ଞା ମାଗି ଆଶୀର୍ବାଦ ନେଇ ଅର୍ଚ୍ଚନା ଦେବୀଙ୍କୁ ତାଙ୍କ ମାମୁଁ ପାଗା ଭିଡ଼ିଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଆଣି ତାଙ୍କୁ ପିନ୍ଧା ଯାଇଥିଲା । ଏହା ସରିବା ପରେ ନୂତନ ଭାବେ ଅଭିଷିକ୍ତ ଜମିଦାର ଅର୍ଚ୍ଚନା ସିଂ ରାଏଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । 

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ନିକଟସ୍ଥ ଅଞ୍ଚଳର ଜମିଦାର, ଗୌଣ୍ଡୱାନା ସମାଜର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିବା ସହ ଅର୍ଚ୍ଚନା ଦେବୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନ ପ୍ରଦାନ କରିଥିଲେ । 

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ଦେବୀଙ୍କ ପୂର୍ବରୁ ୧୮ ଜଣ ଜମିଦାର ରହି ସାରିଛନ୍ତି । ତେବେ ଅର୍ଚ୍ଚନା ଦେବୀ ହେଉଛନ୍ତି ତାଙ୍କ ପରିବାରର ପ୍ରଥମ ମହିଳା ଜମିଦାର । ଏହି କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥିଲା ।


You Can Read:

ନବ ଦାସ ହତ୍ୟାକାଣ୍ଡ ମାମଲା : ତଦନ୍ତ ପାଇଁ ପୁଣି ଥରେ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଟିମ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.