ଦସ୍ତାବିଜ ପଢିଲେ, ଧରିଥିବା କଲମ ଛାଡ଼ିଲେ; SCO ମିଳିତ ବୟାନ ଉପରେ ଦସ୍ତଖତ କରିବାକୁ ମନା କଲେ ରାଜନାଥ ସିଂହ

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ: ରାଜନାଥ ସିଂହ ହାତରେ କଲମ ଧରିଥିଲେ, ଟେବୁଲ ଉପରେ ପେପର୍ ରଖାଯାଇଥିଲା । ଯେଉଁଥିରେ ସଂଘାଇ କର୍ପୋରେସନ ସଂଗଠନ ବୈଠକ ଉପରେ ସଂଯୁକ୍ତ ବୟାନ ଲେଖାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ବୟାନକୁ ପଢିଲେ ଓ କଲମକୁ ତଳେ ରଖିଦେଲେ । ତାଙ୍କ ହାବଭାବ ସ୍ପଷ୍ଟ କରୁଥିଲା, ଲେଖାଯାଇଥିବା ବୟାନ ଉପରେ ସେ ଆଦୌ ସହମତ ନୁହନ୍ତି । ରାଉଣ୍ଡ ଟେବୁଲ ଉପରେ ରାଜନାଥ ସିଂହଙ୍କ ସହ ସଂଘାଇ ସଂଗଠନର ଅନ୍ୟ ୯ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଆଉ ରାଜନଥ ସିଂହଙ୍କ ଆପତ୍ତି ପୁଣି ଥରେ ଆତଙ୍କବାଦ ଉପରେ ଦୁନିଆକୁ କଡ଼ା ସନ୍ଦେଶ ଦେଇଛି ।

ଚୀନରେ ଆୟୋଜିତ ସଂଘାଇ ସହଯୋଗ ସଂଗଠନ (ଏସସିଓ) ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଭାରତ ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗରେ ନିଜ କଡ଼ା ଅଭିମୁଖ୍ୟ ସ୍ପଷ୍ଟ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମିଳିତ ବୟାନ ଉପରେ ହସ୍ତାକ୍ଷର କରିବାକୁ ମନା କରିଦେଇଛନ୍ତି, କାରଣ ଏଥିରେ ଜମ୍ମୁ କାଶ୍ମୀର ପହଲଗାମ ଆତଙ୍କବାଦ ଆକ୍ରମଣ ଉଲ୍ଲେଖ ନଥିଲା । ଫଳରେ ଏସସିଓ ସମ୍ମିଳନୀ ପରେ କୌଣସି ସଂଯୁକ୍ତ ବୟାନ ଜାରି କରାଗଲା ନାହିଁ । 

ସୂଚନା ଅନୁସାରେ, ଚଳିତ ସମ୍ମିଳନୀର ଅଧ୍ୟକ୍ଷ ଥିବା ଚୀନ ଓ ତାର ବନ୍ଧୁ ପାକିସ୍ତାନ ମିଶି ଏସସିଓ ଦସ୍ତାବିଜରେ ଆତଙ୍କବାଦ ଉପରେ ଫୋକସ ନଦେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଭାରତ ଏହା ଉପରେ କଡ଼ା ଆପତ୍ତି ଉଠାଇ, ଏଥିରେ ହସ୍ତାକ୍ଷର କରିନଥିଲା । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନର ନାଁ ନନେଇ ତା ଉପରେ ଜୋରଦାର ବର୍ଷିଥିଲେ । ସେ କହିଥିଲେ ଯେ କିଛି ଦେଶ ନିଜ ନୀତିରେ ସୀମା ପାର୍ ଆତଙ୍କବାଦକୁ ଏକ ହତିଆର ରୂପେ ବ୍ୟବହାର କରୁଛନ୍ତି ଓ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛନ୍ତି । ସେ ସ୍ପଷ୍ଟ ରୂପେ କହିଥିଲେ ଯେ ଏପରି ଦୋମୁହାଁ ନୀତିକୁ ଶେଷ କରିବା ଅତ୍ୟନ୍ତ ଜରୁରି ଓ ଏସସିଓ ପରି ମଞ୍ଚରୁ ଏହାକୁ ଖୋଲାଖୋଲି ସମାଲୋଚନା କରାଯିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.