ରାଜସ୍ଥାନ୧୫/୬: UPSC ପ୍ରସ୍ତୁତି ଛାଡି ଦୋକାନ ଖୋଲିଲେ, ହାତକଡି ଲଗାଇ ବିକୁଛନ୍ତି ଚା, ଷ୍ଟଲର ନାଁ 498-A ଟି କାଫେ
ରାଜସ୍ଥାନର ଏକ ନିଆରା ଓ ଚର୍ଚ୍ଚିତ ଚା ଦୋକାନ ଏବେ ଟ୍ରେଣ୍ଡିଂ ନ୍ୟୁଜ । ଦୋକାନର ନାଁ 498A ଟି କାଫେ । ମାଲିକ କୃଷ୍ଣ କୁମାର ଧାକଡ । ହାତକଡି ପିନ୍ଧି ତିଆରି କରୁଛନ୍ତି ଚା । ଷ୍ଟଲର ବ୍ୟାନର ଓ ପୋଷ୍ଟରରେ ଲେଖା ହୋଇଛି ଯେତେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଚା ବିକୁଥିବି । ଆହୁରି ଆସନ୍ତୁ ୧୨୫ରେ କେତେ ଖର୍ଚ୍ଚ ଲାଗିବ ଚା ପିଇ ତାର ଚର୍ଚ୍ଚା କରିବା ଲେଖା ମଧ୍ୟ ଦେଖାଣାହାରୀଙ୍କୁ ଆଶ୍ଚର୍ଯ୍ୟ କରେ । ୟେ କୌଣସି ସାଧାରଣ ଚା ଦୋକାନ ନୁହେଁ । ବରଂ ତାଙ୍କ ଦୁଃଖ ଓ ନ୍ୟାୟ ପାଇଁ ଲଢେଇର ପ୍ରତୀକ । ଦୋକାନରେ ବରମାଳା ଓ ବର ପିନ୍ଧୁଥିବା ଡ୍ରେସ ସଜା ହୋଇ ରଖାଯାଇଛି । ଯାହା ତାଙ୍କର ଭାଙ୍ଗିଯାଇଥିବା ବାହାଘର ଓ ସ୍ବପ୍ନକୁ ମନେପକାଉଛି । 498A ଟି କାଫେଟି ନିଆରା ଅନ୍ଦାଜ ପାଇଁ ଲୋକଙ୍କ ଧ୍ୟାନ ବି ଆକର୍ଷଣ କରୁଛି । ଆଉ ସେଠାରେ ଘଡିଏ ରହି ଟିକିଏ ଚା ପିଇ କେକେଙ୍କ କାହାଣୀ ଶୁଣିବାକୁ ବାଧ୍ୟ କରୁଛି । ମଧ୍ୟପ୍ରଦେଶ ନିମଚ ଜିଲ୍ଲା ବାସିନ୍ଦା କେ.କେ.ଙ୍କ ଅଭିଯୋଗ ହେଉଛି ମିଛ କେସରେ ଫସାଇ ପତ୍ନୀ ତାଙ୍କ ଜୀବନକୁ ନର୍କ କରିଦେଇଛନ୍ତି । ସେ କହିଛନ୍ତି ମୁଁ କେବେ ଯୌତୁକ ମାଗିନି । ତଥାପି ମୋତେ ଫସାଇ ଦିଆଯାଇଛି । ମୁଁ ଚା ତିଆରି କରି ନୁହେଁ ବରଂ ପୁରା ଦୁନିଆକୁ ମୋର ପ୍ରେମ,ବିଶ୍ବାସଘାତକତା ଓ ପ୍ରତାରଣାର ଦୁଃଖଭରା କାହାଣୀ ଶୁଣାଇ ନ୍ୟାୟ ମାଗୁଛି ।
କେକେ କହିଛନ୍ତି ପତ୍ନୀ ମିନାକ୍ଷୀ ତାଙ୍କ ବିରୋଧରେ ଆଇପିସି ଧାରା ୪୯୮A (ଯୌତୁକ ନିର୍ଯାତନା) ଏବଂ ଧାରା ୧୨୫ (ଭରଣପୋଷଣ) ଅନୁଯାୟୀ ମାମଲା ଦାୟର କରିଛନ୍ତି । ମୀନାକ୍ଷୀଙ୍କ ଏପରି ମିଛକେସରେ ଅତିଷ୍ଠ ହୋଇ UPSC ପ୍ରସ୍ତୁତି ଛାଡିଦେଇଛନ୍ତି ସେ । ଆଉ ଶ୍ବଶୁର ଘର ରାଜସ୍ଥାନର ଅନ୍ତା ସହରକୁ ଆସି ଖୋଲିଛନ୍ତି ଚା ଦୋକାନ । ୨୦୧୮ରେ କୃଷ୍ଣ କୁମାର,ମୀନାକ୍ଷି ମାଲଭଙ୍କୁ ବିବାହ କରିଥିଲେ । ସୁରୁଖୁରୁରେ ଚାଲିଥିଲା ସଂସାର ଗାଡି । ଉଭୟ ଏକାଠି ମହୁମାଛ ପାଳନର ବ୍ୟବସାୟ ଆରମ୍ଭ କରିଥିଲେ । ବ୍ୟବସାୟ ଭଲ ଚାଲିଥିଲା ଆଉ ଅନେକ ଲୋକ ରୋଜଗାର ପାଇଥିଲେ । ୨୦୨୧ରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ଉଦ୍ୟୋଗର ଉଦଘାଟନ କରିବା ସହ ବେଶ ପ୍ରଶଂସା ବି କରିଥିଲେ । ତେବେ ୨୦୨୨ରେ ସବୁ ବଦଳି ଯାଇଥିଲା ।
(ଭିଓ-୩) ହଠାତ ଉଭୟଙ୍କ ବୈବାହିକ ଜୀବନରେ ଆସିଥିଲା ବଡ ତୋଫାନ । ମୀନାକ୍ଷୀଙ୍କର କଣ ହେଲା କେଜାଣି ସେ କୌଣସି ସୂଚନା ନଦେଇ ବାପଘରକୁ ପଳାଇଥିଲେ । ମାସକ ପରେ କୃଷ୍ଣଙ୍କ ନାଁରେ ଆଣିଥିଲେ ସଂଗୀନ ଅଭିଯୋଗ । କୃଷ୍ଣ ଯୌତୁକ ନିର୍ଯାତନା ଦେଉଥିବା କହିବା ସହ ଭରଣପୋଷଣ ମାଗିଥିଲେ । କେକେ କହିଛନ୍ତି ମିଛ ମାମଲା ଯୋଗୁ ମୋର ଜୀବନ ବରବାଦ ହୋଇଯାଇଛି । ଭବିଷ୍ୟତ ବୋଲି ଆଉ କିଛି ନାହିଁ । ୩ ବର୍ଷ ହେଲାଣି ଘାଣ୍ଟି ହୋଇ ଗଲିଣି । କୋର୍ଟ କଚେରି ଦୌଡି ଦୌଡି ମୋ ଚପଲ ଛିଡି ଗଲାଣି । ଯେବେବି ଅଦାଲତ ଯାଉଛି ତାରିଖ ପରେ ତାରିଖ ଦେଉଛନ୍ତି । ହେଲେ ନ୍ୟାୟ ମିଳୁନି । ଏହି ପ୍ରତାରଣା କେକେଙ୍କୁ କେବଳ ଶାରିରୀକ ଓ ମାନସିକ ସ୍ତରରେ ଭାଙ୍ଗି ଦେଇନି ବରଂ ତାଙ୍କ ସ୍ବପ୍ନକୁ ବି ଭାଙ୍ଗି ଚୁରମାର କରିଦେଇଛି । ଅନେକ ଥର ହତାଶ ହୋଇ ଜୀବନ ହାରିଦେବା କଥା ଚିନ୍ତା କରିଥିଲେ । ହେଲେ ଆଖି ସାମ୍ନାରେ ନାଚିଗଲା ତାଙ୍କ ବୁଢିମାଆର ମୁହଁ । ଯାହାର କି ଏ ପୁଅ ଛଡା ଆଉ କେହି ନାହାନ୍ତି । ତେଣୁ ସେ ହାରିବା ବଦଳରେ ଏକ ନିଆରା ରାସ୍ତା ଆପଣାଇଲେ । ଏବେ ନିଷ୍ପତ୍ତି ନେଲେ ଚା ବିକ୍ରି କରି ନ୍ୟାୟ ପାଇବାକୁ ଲଢିବି ।
ସେପଟେ କୃଷ୍ଣଙ୍କ ପତ୍ନୀ ମିନାକ୍ଷି କହିଛନ୍ତି କେକେ ତାଙ୍କ ନାଁରେ ଲକ୍ଷାଧିକ ଟଙ୍କା କରଜ କରିଛନ୍ତି । ସେ ଡିଭୋର୍ସ ପାଇଁ ପ୍ରସ୍ତୁତ କିନ୍ତୁ ପ୍ରଥମେ ସବୁ ପଇସା ମିଳିବା ପରେ । ଏବେ ସୋସିଆଲ ମିଡିଆରେ 498A ଟି କାଫେର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏପରି ନିଆରା ଚା ଷ୍ଟଲ ଉପରେ ନାନା ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ କିଏ ସତ କହୁଛି କିଏ ମିଛ କହୁଛି ଜାଣିବା କଷ୍ଟ । ଘର କଳି ଘରେ ସମାଧାନ ହୋଇଗଲେ ଭଲ । ରାସ୍ତାରେ ପଡି ହାଟରେ ଗଡିରେ କୌଣସି ସମାଧାନ ହୋଇପାରିବନି । ତେଣୁ ଉଭୟ ପରିବାର ବସି ସମସ୍ୟାର ସମାଧାନ କରିବା ଦରକାର ।