ଭୁବନେଶ୍ୱର ୩୧।୦୭ : ରାଜ୍ୟରେ ବର୍ଷା ଲାଗି ରହିଛି । ଅଧିକାଂଶ ସ୍ଥାନରେ ସ୍ୱାଭାବିକ ପରିମାଣର ବର୍ଷା ହୋଇଛି । ୭ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । କିନ୍ତୁ ୪ଟି ଜିଲ୍ଲାରେ ବର୍ଷା ଏବେ ବି ନିଅଣ୍ଟିଆ ରହିଛି । ପୁରୀ, ଗଞ୍ଜାମ, ଗଜପତି ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀରେ ୩୪%, ଗଞ୍ଜାମରେ ୨୪%, କଳାହାଣ୍ଡିରେ ୨୦% ଓ ଗଜପତିରେ ୩% ନିଅଣ୍ଟିଆ ବର୍ଷା ହୋଇଛି ।
୭ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ମୟୂରଭଞ୍ଜ ଓ କେନ୍ଦୁଝରରେ ୪୯% ବର୍ଷା ହୋଇଥିବା ବେଳେ ଦେବଗଡ଼ରେ ୪୮%, ବୌଦ୍ଧରେ ୩୮%, ଝାରସୁଗୁଡ଼ା ଓ ସୋନପୁରରେ ୩୧%, ସମ୍ବଲପୁରରେ ୨୪% ବର୍ଷା ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି।
ଗୁରୁବାର ୩ଟି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବୋହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବୁଧବାର ଭଦ୍ରକରେ ସର୍ବାଧିକ ୪୩ ମିମି ବର୍ଷା ହୋଇଛି । ଚାନ୍ଦବାଲିରେ ୨୪.୪ମିମି, ଯାଜପୁରରେ ୨୫, କେନ୍ଦୁଝରରେ ୮.୮, କେନ୍ଦ୍ରାପଡ଼ାରେ ୬ମିମି ଓ ବାରିପଦାରେ ୫.୮ ମିମି ବର୍ଷା ହୋଇଛି ।