LIVE TV

ଅହମଦାବାଦ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ, ରାହୁଲଙ୍କ ଅର୍ଦ୍ଧଶତକ; ଭାରତର ସ୍କୋର ୧୨୧/୨

NEWS7
rain-continued-in-kandhamal-district-many-areas-isolated

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନ ଭାରତ ନାଁରେ ଯାଇଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜକୁ ୧୬୨ ରନରେ ଅଲଆଉଟ୍ କରିବା ପରେ, ଟିମ୍ ଇଣ୍ଡିଆ ଦିନ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୨୧ ରନ୍ କରିଛି । କେଏଲ ରାହୁଲ ଏକ ଲଢ଼ୁଆ ଇନିଂସ ଖେଳି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଯଶସ୍ୱୀ ଜୟସ୍ୱାଲ (୩୬) ଏବଂ ସାଇ ସୁଦର୍ଶନ (୭) ଭାବରେ ଭାରତ ଦୁଇଟି ୱିକେଟ୍ ହରାଇଥିଲା । ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ଏକ ବଡ଼ ସ୍କୋର୍ ଲକ୍ଷ୍ୟ ରଖିବ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଛି । ୱେଷ୍ଟଇଣ୍ଡିଜ୍ ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମ୍ନାରେ ଦୁଇଟି ସେସନ୍ ମଧ୍ୟ ତିଷ୍ଠି କରିପାରି ନଥିଲେ । ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ବୁମରା ୩ ଏବଂ କୁଲଦୀପ ଯାଦବ ୨ ୱିକେଟ୍ ନେଇଥିଲେ । ଭ୍ରମଣକାରୀ ଦଳର କୌଣସି ବ୍ୟାଟର ବ୍ୟକ୍ତିଗତ ଭାବେ ୪୦ ରନ୍ ଛୁଇଁ ପାରି ନଥିଲେ । ଜଷ୍ଟିନ୍ ଗ୍ରୀଭସ ସର୍ବାଧିକ ୩୨ ରନ୍ କରିଥିଲେ ।

ୱେଷ୍ଟଇଣ୍ଡିଜ ଆରମ୍ଭ ଖରାପ ଥିଲା । ଦଳ ପ୍ରଥମ ଘଣ୍ଟାରେ ୪୨ ରନରେ ଚାରି ୱିକେଟ୍ ହରାଇଥିଲା । ତେଜନାରାୟଣ ଚନ୍ଦ୍ରପଲ (୦), ବ୍ରାଣ୍ଡନ୍ କିଙ୍ଗ (୧୨) ଏବଂ ଆଲିକ୍ ଆଥାନାଜେ (୧୩)ଙ୍କୁ ସିରାଜ ଆଉଟ୍ କରିଥିଲେ । ଅନ୍ୟପଟେ ଜନ୍ କ୍ୟାମ୍ପବେଲ (୮)ଙ୍କୁ ବୁମରା ଆଉଟ୍ କରିଥିଲେ । ଅଧିନାୟକ ରୋଷ୍ଟନ୍ ଚେଜ୍ ଏବଂ ଶାଇ ହୋପ୍ ପଞ୍ଚମ ୱିକେଟ୍ ପାଇଁ ୪୮ ରନ ପାର୍ଟନରଶିପ୍ କରିଥିଲେ । ହୋପଙ୍କୁ କୁଲଦୀପ ଯାଦବ ବୋଲ୍ଡ କରିଥିଲେ । ଲଞ୍ଚ୍ ପରେ ଦ୍ୱିତୀୟ ସେସନ୍‌ରେ ୨୪ ରନ୍‌ରେ ଅଧିନାୟକ ରୋଷ୍ଟନ୍ ଚେଜ୍‌ଙ୍କୁ ଆଉଟ୍ କରିଥିଲେ ସିରାଜ । ତାପରେ ଖାରି ପିଏରେ (୧୧)ଙ୍କୁ ୱାଶିଂଟନ ସୁନ୍ଦର ଏଲବିଡବ୍ଲୁ କରିଥିଲେ । ବୁମରା ଦୁଇଟି ୟର୍କର୍ ମାରି ଜଷ୍ଟିନ୍ ଗ୍ରିଭ୍ସ (୩୨) ଏବଂ ଜୋହାନ୍ ଲିଅନ୍ (୧)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । କୁଲଦୀପ ୱାରିକାନ୍‌ (୮)ଙ୍କୁ ୱିକେଟକିପର ଜୁରେଲଙ୍କ ହାତରେ କ୍ୟାଚ୍ କରାଇ ୱେଷ୍ଟଇଣ୍ଡିଜ୍‌ ଇନିଂସକୁ ୧୬୨ ରନ୍‌ରେ ଶେଷ କରିଥିଲେ ।

ୱେଷ୍ଟଇଣ୍ଡିଜ୍ ଇନିଂସ ଶୀଘ୍ର ଶେଷ ହେବା ପରେ ଜୟସ୍ୱାଲ୍ ଏବଂ କେଏଲ୍ ରାହୁଲ ଭାରତକୁ ଦୃଢ଼ ଆରମ୍ଭ ଦେଇଥିଲେ ପ୍ରଥମ ୱିକେଟ୍ ପାଇଁ ୬୮ ରନର ଭାଗୀଦାରି କରିଥିଲେ । ଜୟସ୍ୱାଲଙ୍କୁ ୩୬ ରନରେ ଆଉଟ କରି ସିଲ୍ସ ଭାରତକୁ ପ୍ରଥମ ଝଟକା ଦେଇଥିଲେ । ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ସାଇ ସୁଦର୍ଶନ ସାତ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ଦିନ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୨୧ ରନ୍ କରି ୱେଷ୍ଟୱିଣ୍ଡିଜ୍ ଠାରୁ ୪୧ ରନ୍ ପଛରେ ରିହିଛି । କେଏଲ୍ ରାହୁଲ ୫୩ ରନ୍ ଏବଂ ଶୁଭମନ ଗିଲ୍ ୧୮ ରନ୍ କରି ଅପରାଜିତ ରହିଛନ୍ତି ।