ଆସନ୍ତା ୭ରେ ସୃଷ୍ଟିରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏଁ ପ୍ରବଳ ବର୍ଷା

Published By : Prameya-News7 Bureau | August 04, 2025 IST

ଭୁବନେଶ୍ୱର ୦୪।୦୮ : ଆସନ୍ତା ୭ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ଏହା ପ୍ରଭାବରେ ୯ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । 

ସେ  କହିଛନ୍ତି, ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି  କିନ୍ତୁ ଅତିପ୍ରବଳ ବର୍ଷା ଆଶଙ୍କା ନାହିଁ।  ଏହି ବର୍ଷା ଚାଷ କାମକୁ ସୁହାଇବ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବି ଭଲ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। 

ତେବେ ପାଣିପାଗ  ବିଭାଗର ପୂର୍ବାନୁମାନ କହୁଛି, ୬ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। 

୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସମେତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଚାନ୍ଦବାଲିରେ  ସର୍ବାଧିକ ୫୨.୬ ମିମି ବର୍ଷା ହୋଇଛି । ଭଦ୍ରକରେ ୧୦ମିମି, କେନ୍ଦ୍ରାପଡ଼ାରେ ୬.୪ ଓ ରାଉରକେଲାରେ ୩.୧ ମିମି ବର୍ଷା  ରେକର୍ଡ ହୋଇଛି ।

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.