ନୂଆଦିଲ୍ଲୀ: ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି ଭାରତୀୟ ରେଳବାଇ। ଟ୍ରେନ୍ର ସବୁ ଯାତ୍ରୀବାହୀ କୋଚ୍ରେ ଏବେ ସିସି ଟିଭି ଲାଗିବ। ରବିବାର ରେଳ ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଯାତ୍ରୀବାହୀ କୋଚଗୁଡ଼ିକରେ ସିସି ଟିଭି କ୍ୟାମେରା ସ୍ଥାପନର ପରୀକ୍ଷାମୂଳକ ଫଳାଫଳକୁ ଆଧାର କରି, ରେଳବାଇ ସମସ୍ତ କୋଚରେ ସିସି କ୍ୟାମେରା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ମନ୍ତ୍ରଣାଳୟ କହିଛି।
ପ୍ରେସ ବିଜ୍ଞପ୍ତୀରେ କୁହାଯାଇଛି “ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଯଥେଷ୍ଟ ଉନ୍ନତି ଆଣିବ। ଦୁର୍ବୃତ୍ତ ଏବଂ ସଂଗଠିତ ଗ୍ୟାଙ୍ଗମାନେ ନିରହ ଯାତ୍ରୀଙ୍କୁ ଠାରୁ ଫାଇଦା ଉଠାନ୍ତି। ହେଲେ କ୍ୟାମେରା ଲାଗିବା ପରେ ଏଭଳି ଘଟଣା ଯଥେଷ୍ଟ କମିବ। ତେବେ ଯାତ୍ରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ, ଟ୍ରେନ୍ ଡୋର ନିକଟରେ କେବଳ ସାଧାରଣ ଗତିବିଧି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ।”
ଶନିବାର ଏନେଇ ରେଳମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରେଳବାଇ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପରୀକ୍ଷାମୂଳକ ଭାବେ ପୂର୍ବରୁ ଲୋକୋମୋଟିଭ୍ ଏବଂ କୋଚରେ ଲଗାଯାଇଥିବା ସିସି ଟିଭି କ୍ୟାମେରା କାର୍ଯ୍ୟର ଅଗ୍ରଗତି ବିଷୟରେ ବୈଠକରେ ସମୀକ୍ଷା କରାଯାଇଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ଏହାର ସମୀକ୍ଷା କରିଥିଲେ।
ଏନେଇ ରେଳ ଅଧିକାରୀମାନେ କହିଛନ୍ତି ଯେ ଉତ୍ତର ରେଳବାଇର ଲୋକୋ ଇଞ୍ଜିନ ଏବଂ କୋଚରେ ସିସିଟିଭି ଲଗାଇ ସଫଳ ପରୀକ୍ଷଣ କରାଯାଇଛି। କେନ୍ଦ୍ରମନ୍ତ୍ରୀ ସମସ୍ତ ୭୪,୦୦୦ କୋଚ ଏବଂ ୧୫,୦୦୦ ଲୋକୋରେ ସିସି ଟିଭି କ୍ୟାମେରା ଲଗାଇବାକୁ ଅନୁମତି ଦେଇଛନ୍ତି।
ପ୍ରତ୍ୟେକ ରେଳ କୋଚ୍ରେ ୪ଟି ଡୋମ୍ ପ୍ରକାରର ସିସି ଟିଭି କ୍ୟାମେରା ଲଗାଯିବ। ପ୍ରତ୍ୟେକ ପ୍ରବେଶ ପଥରେ ୨ଟି ଏବଂ ପ୍ରତ୍ୟେକ ଲୋକୋମୋଟିଭ୍ରେ ୬ଟି ସିସି ଟିଭି କ୍ୟାମେରା ରହିବ। ଏଥିରେ ଲୋକୋମୋଟିଭ୍ର ଆଗ, ପଛ ଏବଂ ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ କ୍ୟାମେରା ଲଗାଯିବ। ଲୋକୋମୋଟିଭ୍ର ପ୍ରତ୍ୟେକ କ୍ୟାବ୍ (ସମ୍ମୁଖ ଏବଂ ପଛ)ରେ ଗୋଟିଏ ଡୋମ୍ ସିସି ଟିଭି କ୍ୟାମେରା ଏବଂ ୨ଟି ଡେସ୍କ ମାଉଣ୍ଟେଡ୍ ମାଇକ୍ରୋଫୋନ୍ ଲଗାଯିବ।
ଅଧିକାରୀମାନେ କହିଛନ୍ତି ଯେ ସିସି ଟିଭି କ୍ୟାମେରାଗୁଡ଼ିକରେ ଲେଟେଷ୍ଟ ସ୍ପେଶିଫିକେସନ ଏବଂ STQC ସାର୍ଟିଫାଏଡ ହେବ। ଟ୍ରେନ୍ରେ ସବୁଠାରୁ ଉନ୍ନତମାନର ଉପକରଣ ଲଗାଇବା ଉପରେ କେନ୍ଦ୍ର ରେଳମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଟ୍ରେନ୍ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରୁଥିଲେ କିମ୍ବି କମ୍ ଆଲୋକ ଥିବା ସ୍ଥାନ ଦେଇ ଗତି କରୁଥିଲେ ବି ଯେମିତି ଉଚ୍ଚମାନର ଫୁଟେଜ୍ ରେକର୍ଡ କରାଯାଇ ପାରିବ ସେ ନେଇ ମନ୍ତ୍ରୀ ରେଳ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ଇଣ୍ଡିଆ ଏଆଇ ମିଶନ୍ ସହଯୋଗରେ ଟ୍ରେନ୍ରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ତଥ୍ୟରେ ଏଆଇ ବ୍ୟବହାର କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ।କୋଚ୍ଗୁଡ଼ିକର ସାଧାରଣ ଗତିବିଧି କ୍ଷେତ୍ରରେ କ୍ୟାମେରା ଲଗାଇବା ପଦକ୍ଷେପ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଉଦ୍ଦିଷ୍ଟ। ଗୋପନୀୟତା ବଜାୟ ରଖିବା ସହିତ, ଏହି କ୍ୟାମେରାଗୁଡ଼ିକ ଅପରାଧୀଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ବୋଲି ବିବୃତ୍ତିରେ କୁହାଯାଇଥିଲା।