ପହିଲାରୁ ରେଳଯାତ୍ରା ମହଙ୍ଗା, ଲାଗୁ ହେଲା ବର୍ଦ୍ଧିତ ଭଡ଼ା

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ, ୦୧/୦୭: ମହଙ୍ଗା ହେଲା ରେଳଯାତ୍ରା । କାରଣ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀ ଭଡ଼ାକୁ ବ୍ୟବସ୍ଥିତ କରିବା ତଥା ସେବାରେ ଆର୍ôଥକ ସ୍ଥିରତା ବୃଦ୍ଧି ଲାଗି ଜୁଲାଇ ୧ ମଙ୍ଗଳବାରଠାରୁ ସଂଶୋଧିତ ଭଡ଼ା ଲାଗୁ ହୋଇଛି । 

ଜେନେରାଲ ନନ୍‌-ଏସି ଦ୍ୱିତୀୟ ଶ୍ରେଣୀରେ ସର୍ତ୍ତ ଭିତ୍ତିରେ କିଲୋମିଟର ପିଛା ଅଧା ପଇସା ବୃଦ୍ଧି ହୋଇଛି । ୫୦୦ କିମି ଯାଏ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ । ୫୦୧ରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୦ ଟଙ୍କା ଏବଂ ୨୫୦୧ରୁ ୩ ହଜାର କିମି ଦୂରତ୍ୱ ପାଇଁ ଭଡ଼ା ୧୫ ଟଙ୍କା ବୃଦ୍ଧି ହୋଇଛି । 

ସେହିଭଳି ଉପନଗର ଏକକ ଯାତ୍ରୀ ଭଡ଼ା ଏବଂ ସିଜନ ଟିକଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସ୍ଲିପର କ୍ଲାସରେ ପ୍ରତି କିମି ପିଛା ୦.୫ ପଇସା, ପ୍ରଥମ ଶ୍ରେଣୀରେ କିମି ପିଛା ୦.୫ ପଇସା ବୃଦ୍ଧି ହୋଇଛି । ନନ୍‌-ଏସି ମେଲ୍‌ ଏବଂ ଏକ୍ସପ୍ରେସ ବର୍ଗରେ ଦ୍ୱିତୀୟ ଶ୍ରେଣୀରେ କିମି ପିଛା ୧ ପଇସା ସ୍ଲିପର କ୍ଲାସ କିମି ପିଛା ୧ ପଇସା, ପ୍ରଥମ ଶ୍ରେଣୀରେ କିମି ପିଛା ୧ ପଇସା ବୃଦ୍ଧି କରାଯାଇଛି । 

ଏହାବାଦ ଏସି ଶ୍ରେଣୀ ମେଲ୍‌, ଏକ୍ସପ୍ରେସ ପାଇଁ କିମି ପିଛା ଭଡ଼ା ୨ ପଇସା ବଢ଼ିଛି । ଆନୁଷଙ୍ଗିକ ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିଭଳି ସଂରକ୍ଷଣ ଦେୟ, ସୁପର୍‌ଫାଷ୍ଟ ଚାର୍ଜ, ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି । ପ୍ରଯୁଜ୍ୟ ନିୟମ ଅନୁସାରେ ଜିଏସ୍‌ଟି ଲାଗୁ ହେବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.