ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଂସଦର ଉଭୟ ଗୃହର ଏକ ସ୍ୱତନ୍ତ୍ର ଅଧିବେଶନ ଯଥାଶୀଘ୍ର ଡାକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାହୁଲ।
ମଙ୍ଗଳବାର ରାହୁଲ ଗାନ୍ଧୀ ନିଜ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଥିବା ଚିଠିକୁ ଶେୟାର କରିଛନ୍ତି। ଏବଂ ଲେଖିଛନ୍ତି “ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆମେ ସର୍ବଦା ଆତଙ୍କବାଦ ବିରୁଦ୍ଧରେ ଏକାଠି ଛିଡା ହୋଇଛୁ ବୋଲି ଆଜି ଭାରତକୁ ଦେଖାଇବାକୁ ପଡିବ।” ସେ ଆହୁରି କହିଛନ୍ତି ଯେ ଆତଙ୍କବାଦର ମୁକାବିଲା ପାଇଁ ସଂସଦକୁ ଲୋକଙ୍କ ଏକତା ଏବଂ ଦୃଢ଼ତା ପ୍ରଦର୍ଶନ କରିବା ଉଚିତ। ତେଣୁ ଆମେ ଅନୁରୋଧ କରୁଛୁ ଯେ ଏପରି ଏକ ସ୍ୱତନ୍ତ୍ର ଅଧିବେଶନ ଯଥାଶୀଘ୍ର ଡକାଯାଉ ବୋଲି ରାହୁଲ ଚିଠିରେ ଲେଖିଛନ୍ତି।
ପଢନ୍ତୁ- ବଡ଼ ଆକ୍ରମଣ ଯୋଜନାରେ ଆତଙ୍କବାଦୀ: ବନ୍ଦ ହେଲା ଜମ୍ମୁ-କାଶ୍ମୀର ପର୍ଯ୍ୟଟନ ସ୍ଥଳ: ଗୁଇନ୍ଦା ସୂଚନା ପରେ ଆଲର୍ଟ
ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସମାନ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ। ପ୍ରକୃତରେ ପହଲଗାମ ଆକ୍ରମଣ ପରେ କଂଗ୍ରେସ ଦଳ ସରକାରଙ୍କୁ ସମାଲୋଚନା କରିଆସୁଛି। ରାଜସ୍ଥାନର ଏକ ରାଲିରେ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ପ୍ରସଙ୍ଗରେ ହୋଇଥିବା ସର୍ବଦଳୀୟ ବୈଠକକୁ ନ ଆସିବା ନେଇ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଦେଶରେ ଏକତାର ଆବଶ୍ୟକତା ରହିଛି ହେଲେ ବିଜେପି ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଛି।
ସୂଚନା ଥାଉକି ଗତ ମଙ୍ଗଳବାର ଦିନ ପହଲଗାମର ବୈସାରଣରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୯ରେ ପୁଲୱାମା ବିସ୍ଫୋରଣ ପରେ କାଶ୍ମୀର ଉପତ୍ୟକାର ଏହା ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଗୋଟିଏ ଥିଲା। ଏହା ପୂର୍ବରୁ ପୁଲୱାମାରେ ଯେଉଁ ଆକ୍ରମଣ ହୋଇଥିଲା ସେଥିରେ ୪୦ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ।
ସେପଟେ ମନରୁ ଆତଙ୍କୀଙ୍କ ଭୟ ଲିଭିବା ପରେ ଜମ୍ମୁ-କାଶ୍ମୀରକୁ ଫେରୁଥିବା ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ବଡ଼ ଆକାରରରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି। ସେନାଦ୍ୱାରା ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଘର ଧ୍ୱଂଶ କରିବା ପରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ଟାର୍ଗେଟ କିଲିଂ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ୨୦୦ ସ୍ଲିପର ସେଲ୍ ଆକ୍ଟିଭ ରହିଛି। ସେମାନଙ୍କୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗୁଇନ୍ଦା ସୂଚନା ମଳିଛି।
ପଢନ୍ତୁ- ଆତଙ୍କୀ ହମଲାକୁ ଜାତିସଂଘରେ ଉଠାଇଲା ଭାରତ: ଦୁନିଆ ଆଉ ଅନ୍ଧ ନାହିଁ, ପାକିସ୍ତାନ କଥା ସମସ୍ତେ ଜାଣନ୍ତି
ଗୁଇନ୍ଦା ସୂଚନା ପରେ ଜାମ୍ମୁ-କାଶ୍ମୀର ସରକାର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ବନ୍ଦ ୪୮ ଟିକୁ ବନ୍ଦ କରିଦେଇଛନ୍ତି। ପହଲଗାମ ଆକ୍ରମଣ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ରାଜ୍ୟ ସରକାରଙ୍କୁ ଏସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।