ମୁମ୍ବାଇ ୨୪।୭: ବୀର ସାଭରକରଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ସମ୍ପର୍କିତ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଗୁରୁବାର ଜାମିନ ମିଳିଛି। ନାସିକର ଏକ କୋର୍ଟ ୧୫ ହଜାର ଟଙ୍କାର ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ଏଥି ପାଇଁ ରାହୁଲ ଗାନ୍ଧି ଅଡିଓ-ଭିଜୁଆଲ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ଫାଉଣ୍ଡେସନ ଅଧ୍ୟକ୍ଷ ଦେବେନ୍ଦ୍ର ଭୁଟାଡା ୨୦୨୨ ମସିହାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ।
କଂଗ୍ରେସ ନେତା ରାହୁଲ ଗାନ୍ଧି ହିଂଗୋଲୀ ଜିଲ୍ଲାରେ ଅନୁଷ୍ଠିତ ଏକ ଜନସଭାରେ ବୀର ସାଭରକରଙ୍କ ସମ୍ପର୍କରେ ସାର୍ବଜନିକ ରୂପେ ଅଋଚିକର ମନ୍ତବ୍ୟ ଦେଇଥିଲେ। ଏଣୁ ଭୁଟାଡା ନାସିକ କୋର୍ଟରେ ରାହୁଲଙ୍କ ବିରୋଧରେ ଏକ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ଅତିରିକ୍ତ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଆର.ସି.ନରୱାଡିଆଙ୍କ କୋର୍ଟରେ ହେଉଛି। ଏଥି ପାଇଁ କୋର୍ଟ ମାମଲାର ଶୁଣାଣି କାଳରେ ରାହୁଲ ଗାନ୍ଧିଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ତେବେ ନୂଆ ପ୍ରାବଧାନ ଅନୁସାରେ କୌଣସି ବ୍ୟକ୍ତି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ବଦଳେ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର ହେବାର ବ୍ୟବସ୍ଥା ହୋଇଛି। ସେହି ଅନୁସାରେ ରାହୁଲ ଗାନ୍ଧି ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର ହେବା ଲାଗି ଅନୁମତି ମାଗିଥିଲେ। କୋର୍ଟଙ୍କ ଅନୁମତି ଅନୁସାରେ ରାହୁଲ ଗାନ୍ଧି ଗୁରୁବାର ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ।
ଏହି ମାମଲାର ଶୁଣାଣିରେ କୋର୍ଟ ରାହୁଲଙ୍କୁ ଅପରାଧ ସ୍ୱୀକାର କରୁଛନ୍ତି କି ବୋଲି ପଚାରିଥିଲେ। ଏଥିରେ ରାହୁଲ ଉତ୍ତର ରଖିଥିଲେ ଯେ ସେ ଅପରାଧ କରି ନାହାନ୍ତି। ପରେ ରାହୁଲଙ୍କ ଓକିଲ କୋର୍ଟରେ ତାଙ୍କର ଜାମିନ ନିବେଦନ ଦାଖଲ କରିଥିଲେ। କୋର୍ଟ ୧୫ ହଜାର ଟଙ୍କାର ଜାମିନ ବଣ୍ଡରେ ରାହୁଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି।