ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଦେଶର ରଣନୈତିକ ପରମାଣୁ ସେନାର ବଡ଼ ଅଭ୍ୟାସର ନୀରିକ୍ଷଣ କରିଛନ୍ତି । ୟୁକ୍ରେନ ସଂଘର୍ଷ ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରସ୍ତାବିତ ଶିଖର ଆଲୋଚନା ଅନିଶ୍ଚିତତା ମଧ୍ୟରେ ଥିବା ଏହି ପ୍ରମୁଖ ଅଭ୍ୟାସ ହୋଇଛି ।ପୁଟିନ କହିଛନ୍ତି, "ପ୍ରତିରକ୍ଷା ମନ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ, ଆଜି ଆମର ରଣନୈତିକ ପରମାଣୁ ଶକ୍ତି ପରିଚାଳନାର ଏକ ନିର୍ଦ୍ଧାରିତ ଅଭ୍ୟାସ ଅଛି । ଆସନ୍ତୁ କାମ ଆରମ୍ଭ କରିବା।" କ୍ରେମଲିନ୍ ଦ୍ୱାରା ଜାରି ବୟାନ ଅନୁଯାୟୀ, ଏହି ଅଭ୍ୟାସରେ ସ୍ଥଳ, ସମୁଦ୍ର ଏବଂ ବାୟୁ ଆଧାରିତ ରଣନୈତିକ ପରମାଣୁ ଶକ୍ତି ସାମିଲ ଥିଲା ।

ଏହି ଅଭ୍ୟାସରେ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଏୟାର-ବେସଡ୍ କ୍ରୁଜ୍ କ୍ଷେପଣାସ୍ତ୍ରର ବ୍ୟବହାରିକ ଉତକ୍ଷେପଣ ସାମିଲ ଥିଲା । ଏହି ଅଭ୍ୟାସରେ ୟାର୍ସ ICBM ଲଞ୍ଚର୍, ନର୍ଦର୍ଣ୍ଣ ଫ୍ଲିଟର ପରମାଣୁ-ଚାଳିତ ବୁଡ଼ାଜାହାଜ ବ୍ରାୟନସ୍କ ଏବଂ Tu-95MS ରଣନୈତିକ ବୋମ୍ୱର ସାମିଲ ଥିଲା ।

ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ପୁଟିନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ରସ୍ତାବିତ ଆଲୋଚନା ସ୍ଥଗିତ ହେବା ନେଇ ଭିନ୍ନ ଭିନ୍ନ ବୟାନ ସାମନାକୁ ଆସୁଛି । କ୍ରେମଲିନ୍ ଏହି ସବୁକୁ ଗୁଜବ କରି ଖଣ୍ଡନ କରିଛି । ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି, "ଏପର୍ଯ୍ୟନ୍ତ କୌଣସି ନୂଆ ସୂଚନା ନାହିଁ । ଅଧିକାଂଶ ଚର୍ଚ୍ଚା ଗୁଜବ ଉପରେ ଆଧାରିତ।" ଅନ୍ୟପଟେ ଟ୍ରମ୍ପଙ୍କ ଦାବି ଯେ ଏହା ଉପରେ ଆଗାମୀ କିଛି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯାଇପାରେ । ସେପଟେ ରୁଷର ଉପ-ବୈଦେଶିକ ମନ୍ତ୍ରୀ ସେରଗେଇ ରିଆବକୋଭ ଗଣମାଧ୍ୟମକୁ କହିଛନ୍ତି ଯେ " ସମ୍ମିଳନୀ ପାଇଁ ପ୍ରସ୍ତୁତି ଜାରି ରହିଛି ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆମେ ଧ୍ୟାନ ଦେଉଛୁ"