ଡ଼ରିଗଲେ କି ଟ୍ରମ୍ପ ? ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ରୁଷ୍‌ରେ ପହଞ୍ଚିଲେ ଆମେରିକୀୟ ଦୂତ

Published By : Prameya-News7 Bureau | August 06, 2025 IST

ମସ୍କୋ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତି କିଛି ଦିନରେ ରୁଷ୍ ବିରୋଧରେ ବାକ୍‌ ଯୁଦ୍ଧକୁ ଜୋରଦାର କରି ଦେଇଛନ୍ତି। ଗତ ମାସରେ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ରୁଷ୍‌କୁ ଦେଇଥିବା ୫୦ ଦିନର ସମୟସୀମାକୁ ହ୍ରାସ କରି ୧୦ ଦିନ କରି ଦେଇ ଥିଲେ। ଯୁଦ୍ଧ ନରୋକିଲେ ରୁଷ୍‌କୁ ୧୦୦ ପ୍ରତିଶତ ଟାରିଫ୍‌ ଲଗାଇବାର ଧମକ ମଧ୍ୟ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଷ୍ଟିଭ୍‌ ୱିଟକଫ୍‌ ବୁଧବାର ରୁଷରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍‌ ମଧ୍ୟ କରିଛନ୍ତି।

ରୁଷୀୟ ରାଷ୍ଟ୍ରପତି ଓ ୱିଟକଫଙ୍କ ମଧ୍ୟରେ ଏହି ସାକ୍ଷାତ୍‌ ଟ୍ରମ୍ପଙ୍କ ଡେଡଲାଇନ୍ ଶେଷ ହେବାର ପାଖାପାଖି ୨ ଦିନ ପୂର୍ବରୁ ହୋଇଛି ଏବଂ ଏଥିପାଇଁ ଏହାକୁ ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି। କ୍ରେମଲିନ୍‌ କହିଛି ଯେ, ଷ୍ଟିଭ୍ ୱିଟକଫ୍‌  ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ କରିଛନ୍ତି। ହେଲେ ଏହି ସାକ୍ଷାତ୍‌ରେ କୌଣସି ବିଶେଷ ଫଳଫଳା ବାହାରିବାର ସମ୍ଭାବନା ଖୁବ୍‌ କମ୍‌ ଅଛି। 

ଉଲ୍ଲେଖନୀୟ ଯେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ରୁଷ୍‌ ୟୁକ୍ରେନ ଯୁଦ୍ଧକୁ ବନ୍ଦ ନକରେ , ତ ଆଗାମୀ ଦିନରେ ରୁଷ୍‌ ଉପରେ ବହୁତ ଅଧିକ ଟାରିଫ୍‌ ଲଗାଇବେ। ଅନ୍ୟପଟେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଏହାର ପ୍ରଭାବ ରୁଷ୍‌ରୁ ତୈଳ କ୍ରୟ କରୁଥିବା ଦେଶ ଗୁଡ଼ିକ ଉପରେ ମଧ୍ୟ ପଡ଼ିବ। ଏହି ମଧ୍ୟରେ ରୁଷ୍‌ର ଇକୋନମିକୁ ଡେଡ୍‌ କହିବା ପରେ ଟ୍ରମ୍ପ ଓ ପୂର୍ବତନ ରୁଷୀୟ ରାଷ୍ଟ୍ରପତି ଡିମିତ୍ରୀ ମେଡଭେଦେବଙ୍କ ମଧ୍ୟରେ ଦୃଢ ବାକ୍‌ ଯୁଦ୍ଧ ହୋଇଛି, ଏହାପରେ ଟ୍ରମ୍ପ ରୁଷୀୟ ଅଞ୍ଚଳ ନିକଟରେ ଦୁଇଟି ପରମାଣୁ ବୁଡାଜାହାଜକୁ ମୁତୟନ କରିବାକୁ ଆଦେଶ ଦେଇ ସାରିଛନ୍ତି।

ଅନ୍ୟପଟେ , ରୁଷ୍‌ ଏବେସୁଦ୍ଧା ଟ୍ରମ୍ପଙ୍କ ସବୁ ଧମକକୁ ଅଣଦେଖା କରିଛନ୍ତି ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ପୁଟିନଙ୍କ ଉଦ୍ଦେଶ୍ୟକୁ ନେଇ ମଧ୍ୟ ସଂଶୟ ଜାତ ହୋଇଛି। ବିଶ୍ଳେଷକଙ୍କ ଅନୁସାରେ, ପୁଟିନ ଏହି ସବୁ ଧମକକୁ ସେତେ ଗୁରୁତ୍ତ୍ୱପୂର୍ଣ୍ଣ ଭାବୁ ନାହାନ୍ତି। ଏହି ସମୟରେ ରୁଷ୍‌ ସେନା ୟୁକ୍ରେନର ଅଧିକରୁ ଅଧିକ ଜମି ଉପରେ ନିୟନ୍ତ୍ରଣ କରିବା ଜାରି ରଖିଛନ୍ତି। ବିଗତ ଦିନରେ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବେଳେ ମଧ୍ୟ ପୁଟିନ କହି ଥିଲେ ଯେ, ରୁଷ୍ ନିଜର ଲକ୍ଷ୍ୟକୁ ପୂରା ନକରି ରହିବ ନାହିଁ, ଏହାପରେ ଟ୍ରମ୍ପ ପୁଟିନଙ୍କ ଉପରେ ପୂରା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.