ସାଲେପୁର: ଠିକାଦାରଙ୍କ ମାନମାନିରେ ଚାଲିଛି ରିଟେନିଙ୍ଗୱାଲ କାମ। ତାହାବି ପୁଣି ନିମ୍ନମାନର। ସୂଚନା ଫଳକ ବି ନାହିଁ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିମ୍ନମାନର କାମ କରାଯାଉଛି। ଏଭଳି ଅଭିଯୋଗ ଆଣି ନିର୍ମାଣ କାମକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ବ୍ଲକ୍ ଶିଶୁଆରେ। ଶିଶୁଆ ବଜାର ଠାରୁ ହରିଚନ୍ଦନପୁର ବ୍ୟାରେଜ ଛକ ପ୍ରାୟ ୨ କିଲୋମିଟରରୁ ଉର୍ଦ୍ଧ୍ବ ଶାଖା କେନାଲରେ ନିର୍ମାଣ ହେଉଥିବା ରିଟେନିଙ୍ଗୱାଲ ବା ସୁରକ୍ଷା ବାଡ଼ ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ, ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ବିନିମୟରେ ୨ କିଲୋମିଟରରୁ ଉର୍ଦ୍ଧ୍ବ ଶିଶୁଆ ବଜାର ଠାରୁ ହରିଚନ୍ଦନପୁର ବ୍ୟାରେଜ ଛକ ପର୍ଯ୍ୟନ୍ତ ସୁରକ୍ଷା ବାଡ଼ ନିର୍ମାଣ କରାଯାଉଛି। ହେଲେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଅଟକଳ ମୂଲ୍ୟ ଏବଂ ରିଟେନିଙ୍ଗୱାଲ ନିର୍ମାଣ ସମ୍ବଧରେ ସୂଚନା ଫଳକ ଲଗାଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଗ୍ରାମବାସୀ ଆହୁରି ଅଭିଯୋଗ କରିଛନ୍ତି, ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ କାମ ହେଉଛି। ଆଉ ଏହି କାମ ଏତେ ନିମ୍ନମାନର ଯେ, ହାତ ମାରିଲେ ଢଳେଇ ଛାଡ଼ିଯାଉଛି। ଏମିତିରେ ନିର୍ମାଣ କାମକୁ ବିରୋଧ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ, ସରପଞ୍ଚ ଓ ସମିତି ସଭ୍ୟ। ତେବେ ଏ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରିନାହିଁ।