ମୁମ୍ଵାଇ ୨୧।୦୩; ପିଜୁଳି ପ୍ରେମରେ ପ୍ରିୟଙ୍କା ଚୋପ୍ରା । ତଳମାଳିରେ ଫିଲ୍ମ SSMB-29ର ସୁଟିଂ ସାରି ଫେରିବା ବେଳେ ସାଙ୍ଗରେ ପ୍ରିୟଙ୍କା ନେଇଛନ୍ତି କୋରାପୁଟର ସ୍ମୃତି । ବାଟରେ ପିଜୁଳି କିଣି ଖାଇବା ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପୋଷ୍ଟ । ଏତିକି ନୁହେଁ ମହିଳା ବେପାରୀଙ୍କ ସଚ୍ଚୋଟତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଯାହା ଖୁବ୍ ଭାଇରାଲ ହେଉଛି ।
କୋରାପୁଟ ଛାଡ଼ିବା ବେଳେ ପ୍ରିୟଙ୍କା ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି । ରାସ୍ତାରେ କିଛି ଫଟୋକୁ କ୍ୟାମେରାରେ କରିଛନ୍ତି କଏଦ। ଅତ୍ୟନ୍ତ ଖୁସିର ସହ ତାକୁ ସୋସିଆଲ ମିଡିଆରେ ଅପଲୋଡ ବି କରିଛନ୍ତି । କିନ୍ତୁ ପ୍ରିୟଙ୍କାଙ୍କୁ ସବୁଠୁ ଅଧିକ ଭଲ ଲାଗିଛି ପିଜୁଳି । ପୋଷ୍ଟ ସେୟାର କରି ଲେଖିଥିଲେ- ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ଜଣେ ମହିଳା ପିଜୁଳି ବିକ୍ରି କରୁଥିବା ଦେଖିଲି। କଞ୍ଚା ପିଜୁଳି ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି । ତୁରନ୍ତ ମହିଳାଙ୍କ ପାଖକୁ ଯାଇ ପିଜୁଳି ଦର ପଚାରିଲି । ମହିଳା ଉତ୍ତରରେ ଦେଇଥିଲେ ୧୫୦ ଟଙ୍କା । ଏହାଶୁଣି ମୁଁ ତାଙ୍କୁ ୨୦୦ ଟଙ୍କିଆ ନୋଟ୍ଟେ ଦେଲି । ମହିଳା ୫୦ ଟଙ୍କା ଫେରାଇଲେ । ହେଲେ ମୁଁ ତାଙ୍କୁ କହିଲି ତୁମେ ସେ ୫୦ ଟଙ୍କା ରଖିଦିଅ କିନ୍ତୁ ସେ ମୋତେ ୫୦ ଟଙ୍କା ପୁଣି ଫେରାଇଦେଲେ । ମହିଳାଙ୍କ ସଚ୍ଚୋଟତା ସତରେ ପ୍ରଶଂସନୀୟ । ସେ ସମସ୍ତଙ୍କ ପାଇଁ ଉଦାହରଣ ।
କେବଳ ପ୍ରିୟଙ୍କା ଓ ଏସ୍.ଏସ୍ ରାଜାମୌଲି ନୁହେଁ ଫିଲ୍ମର ପୁରା ଟିମ୍ ପକ୍ଷରୁ କୋରାପୁଟର ଆତିଥେୟତାକୁ ଧନ୍ୟବାଦ ଜଣାଇଥିଲେ । ହାତ ଲେଖା ସହ ଭୁରି ଭୁରି ପ୍ରଶଂସା କରିଥିଲେ କୋରାପୁଟର ଅପୂର୍ବ ସୌନ୍ଦର୍ଯ୍ୟର । ପ୍ରକାଶଥାଉକି, ବିଶିଷ୍ଟ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଆଗାମୀ ସିନେମା ଏସ୍ଏସ୍ଏମ୍ବି୨୯ରେ ପ୍ରିୟଙ୍କା ଚୋପ୍ରା ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ନାୟିକା ଭୂମିକାରେ ନଜର ଆସିବେ ।