ଲକ୍ଷ୍ନୌ ୨୭।୭: ଉତ୍ତରପ୍ରଦେଶ (ୟୁପି)ରେ ଘରୋଇ ମେଡିକାଲ କଲେଜମାନେ ଫି ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଦେଢରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଛି। ତେବେ ଏଥିରେ ଏପରି କିଛି କଲେଜ ମଧ୍ୟ ଅଛନ୍ତି ଯେଉଁମାନଙ୍କ ଫି ଗତ ବର୍ଷ ଭଳି ରହିଛି। ୟୁପିରେ ମୋଟ ୩୧ଟି ଘରୋଇ ମେଡିକାଲ କଲେଜ ଅଛନ୍ତି। ଚିକିତ୍ସା ଶିକ୍ଷା ବିଭାଗ ପକ୍ଷରୁ ନନ-ମିନୋରିଟି ମେଡିକାଲ କଲେଜ ଫି ନିର୍ଦ୍ଧାରିତ କରିଦିଆଯାଇଛି। ଶୁଳ୍କ ବୃଦ୍ଧି ପଛରେ କଲେଜମାନଙ୍କ ସଂଶାଧନ ବଢାଇବାର ତର୍କ ଦିଆଯାଇଛି।
ଫଳରେ ଏବେ ଘରୋଇ ମେଡିକାଲ କଲେଜମାନଙ୍କର ପାଠ୍ୟକ୍ରମ ଫି ୧୨ରୁ ୧୯ ଲକ୍ଷ ଟଙ୍କାକୁ ପହଞ୍ଚିଛି। ଏହି ସବୁ କଲେଜମାନଙ୍କରେ ପୂର୍ବରୁ ନନ ଏସି ହଷ୍ଟେଲ ଫି ୧.୬୫ଲକ୍ଷ ଟଙ୍କା ଥିଲା। ଏବେ ଏହି ଫି ବଢାଇ ବାର୍ଷିକ ୧.୭୩ଲକ୍ଷ ଟଙ୍କା କରାଯାଇଛି। ସେହିପରି ଏସି ହଷ୍ଟେଲ ଫି ୧.୯୨ ଲକ୍ଷରୁ ବଢାଇ ୨.୦୨ଲକ୍ଷ ଟଙ୍କା କରାଯାଇଛି। ସିକ୍ୟୁରିଟି ରାଶି ପୂର୍ବ ଭଳି ୩ଲକ୍ଷ ଟଙ୍କା ସ୍ଥିର ଥିବା ବେଳେ ଲିଗାଲ ଫି ୯୪,୧୬୦ ଟଙ୍କା ରହିଛି।
ତେବେ ଚିକିତ୍ସା ଶିକ୍ଷା ବିଭାଗ ପକ୍ଷରୁ ଶୈକ୍ଷଣିକ ଶୁଳ୍କ କୌଣସି ପରିସ୍ଥିତିରେ ମଧ୍ୟ ଏକକାଳୀନ ଗ୍ରହଣ କରାଯିବ ନାହିଁ ବୋଲି କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ମେଡିକାଲ କଲେଜରେ ଏହି ଶୁଳ୍କ ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀ ଜମା କରିବେ। ୟୁପିରେ ସରକାରୀ ମେଡିକାଲ କଲେଜମାନଙ୍କ ଫି ୧ ଲକ୍ଷ ଟଙ୍କାରୁ ମଧ୍ୟ କମ ରହିଛି। କେଜିଏମୟୁରେ ବାର୍ଷିକ ୫୪ ହଜାର ଫି ଧାର୍ଯ୍ୟ ହୋଇଥିବା ବେଳେ ଅନ୍ୟ ସରକାରୀ କଲେଜରେ ୩୦ରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି। ସେହିପରି ହଷ୍ଟେଲ ଫି ମଧ୍ୟ ୪୦ରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି।