‘ପିଏମ୍ ମୋଦୀଙ୍କ ଉର୍ଜା ଓ ବିଶ୍ୱରେ ସକ୍ରିୟତା ଭାରତର ପ୍ରମୁଖ ଶକ୍ତି’, ପ୍ରଧାନମନ୍ତ୍ରୀଙ୍କୁ ପୁଣି ପ୍ରଶଂସା କଲେ ଶଶି ଥରୁର

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଶ୍ୱିକ ସ୍ତରରେ ଭୂମିକାକୁ ନେଇ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଉର୍ଜା, ସକ୍ରିୟତା ଓ ଲୋକଙ୍କ ସହ ତାଙ୍କର ସମ୍ୱାଦ କରିବାର ଇଚ୍ଛାଶକ୍ତି ଭାରତ ପାଇଁ ଏକ ପ୍ରମୁଖ ସମ୍ପତ୍ତି । ତେବେ ଶଶି ଥରୁରଙ୍କ ଏଭଳି ବୟାନ ତାଙ୍କ ପାର୍ଟି ଲାଇନର ପୂରା ବିରରୀତ ରହିଛି । ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ପାର୍ଟି ଲଗାତାର ମୋଦୀ ସରକାରଙ୍କ ବିଦେଶ ନୀତିକୁ ସମାଲୋଚନା କରିଆସୁଛି । କଂଗ୍ରେସ ସାଂସଦ ଦ ହିନ୍ଦୁରେ ଲେଖିଥିବା ନିଜର ଏକ ଆଲେଖ୍ୟ ଏହା କହିଛନ୍ତି । କଂଗ୍ରେସ ସାଂସଦ ନିଜର ଲେଖାରେ ଅପରେସନ ସିନ୍ଦୂର ପରେ ବିଦେଶ ଗସ୍ତ କରିଥିବା ପ୍ରତିନିଧି ମଣ୍ଡଳର ଅନୁଭବ ସେୟାର କରିଛନ୍ତି । ସେ ଏହାକୁ କୂଟନୀତି ସ୍ତରରେ ଏକ ଅତ୍ୟନ୍ତ ସଫଳ ଗସ୍ତର ଆଖ୍ୟା ଦେଇଛନ୍ତି । 

ଶଶି ଥରୁର ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉର୍ଜା, ସକ୍ରିୟତା ଓ ବୈଶ୍ୱିକ ସ୍ତରରେ ଆଲୋଚନାର ତତ୍ପରତା ଭାରତ ଏକ ବଡ଼ ଶକ୍ତି, ଯାହାକୁ ଆହୁରି ଅଧିକ ସମର୍ଥନ ମିଳିବା ଦରକାର । ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କୀ ଆକ୍ରମଣ ଓ ଏହାର ଜବାବରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ ଭାରତର କୂଟନୈତିକ ସକ୍ରିୟତା ଅନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥିତିକୁ ମଜଭୁତ କରିଛି ।

କଂଗ୍ରେସ ନେତା ଲେଖିଛନ୍ତି, ଏକ ସାତ ସଦସ୍ୟ ବିଶିଷ୍ଟ ବହୁଦଳୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ କରିଥିଲେ । ଆମେରିକା ସମେତ, ଗୟାନା, ପନାମା, କୋଲମ୍ୱିଆ ଓ ବ୍ରାଜିଲ ପରି ଦେଶକୁ ଯାଇଥିଲୁ । ଏହି ଗସ୍ତର ଉଦ୍ଦେଶ୍ୟ ଥିଲା, ଭାରତର ଆକ୍ରମଣ ଆତଙ୍କବାଦ ବିରୋଧରେ ଆତ୍ମରକ୍ଷାର ପଦକ୍ଷେପ, କୌଣସି ରାଷ୍ଟ୍ର ବିରୋଧରେ ଯୁଦ୍ଧ ନୁହେଁ ବୋଲି ଦୁନିଆକୁ ଜଣାଇବା । ଆମର ଏକାଠି ରହିବା ଦୁନିଆ ସାମନାରେ ଏକ ମଜଭୁତ ସନ୍ଦେଶ ଦେଇଛି ଯେ ଆଭ୍ୟନ୍ତରୀଣ ମତଭେଦ ସତ୍ତ୍ୱେ ଆତଙ୍କବାଦ ବିରୋଧରେ ଭାରତର ସ୍ୱର ଏକ ।

କୂଟନୀତି ସଫଳତାର ଉଦାହରଣ ଦେଇ ସେ ଲେଖିଛନ୍ତି, ଯେଉଁ କୋଲମ୍ୱିଆ ନିଜର ପ୍ରଥମ ବୟାନରେ ପାକିସ୍ତାନ ପ୍ରତି ଢଲିଥିଲା, ସେ ପରେ ଭାରତର ଆତ୍ମରକ୍ଷା ଅଧିକାରର ସମର୍ଥନ କରିଥିଲା । ସେ ଆହୁରି ଲେଖିଛନ୍ତି, ଆମେରିକାରେ ବି ଭାରତୀୟ ପ୍ରତିନିଧିମଣ୍ଡଳକୁ ସହାନୁଭୂତି ମିଳିଥିଲା । ଲସ୍କର-ଏ-ତୋଇବା ଓ ଜୈଶ ପରି ଆତଙ୍କୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦୃଷ୍ଟିକୋଣକୁ ସମର୍ଥନ ଜଣାଇଥିଲେ । ଶଶି ଥରରୁଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି, ଯେତେବେଳେ ତାଙ୍କ ଦଳ କଂଗ୍ରେସ ପାର୍ଟି ମୋଦୀ ସରକାରଙ୍କ ବିଦେଶ ନୀତିକୁ ସମାଲୋଚନା କରୁଛି । ଖାସକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ-ପାକିସ୍ତାନ ଅସ୍ତ୍ରବିରତିରେ ମଧ୍ୟସ୍ଥତା ଦାବିକୁ ନେଇ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବି ପାର୍ଟି ଲାଇନ୍ ବାହାରେ ବୟାନ ରଖି ଶଶି ଥରୁର ଦଳରେ ଖୁବ ସମାଲୋଚନାର ଶିକର ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.