SIRକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କହିଲେ- BLOଙ୍କ କାମର ଚାପ ହ୍ରାସ କର, ଛୁଟି ବି ଦିଅ

NEWS7
prestigious-5th-flow-utkal-awards-2025-will-be-held-on-5th-march

ନୂଆଦିଲ୍ଲୀ ୪।୧୨: ନିର୍ବାଚନ କମିଶନ ଦେଶର ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏବେ ଭୋଟର ଲିଷ୍ଟର ଗହନ ପୁନରୀକ୍ଷଣ (ଏସଆଇଆର) କରାଉଛନ୍ତି। ଏଥି ମଧ୍ୟରେ ସୁପ୍ରିମକୋର୍ଟ ଗୁରୁବାର ଏସଆଇଆର କରୁଥିବା ବୁଥ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ମୃତ୍ୟ ଓ ଆତ୍ମହତ୍ୟାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ବିଏଲଓ ଙ୍କ କାର୍ଯ୍ୟସ୍ଥିତି ଓ ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ରାଜ୍ୟ ସରକାରମାନଙ୍କୁ ଦାୟି କରିଛନ୍ତି।

ପୀଠ ତର୍କ ଦେଇଛନ୍ତି ଯେ ଯେଉଁଠି ୧୦,୦୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଛି ସେଠାରେ ୩୦,୦୦୦ କର୍ମଚାରୀଙ୍କୁ ମୁତୟନ କରାଯାଇ ପାରିବ। ଏହା ଦ୍ୱାରା କାମ କରିବା ସହଜ ହେବ ଓ କାମର ବୋଝ ମଧ୍ୟ ହାଲୁକା ହେବ। ମାମଲାର ଶୁଣାଣିରେ ଶୀର୍ଷ ନ୍ୟାୟାଳୟ ସରକାରମାନଙ୍କୁ ଏହା ବି କହିଛନ୍ତି ଯେ ଡ୍ୟୁଟିରୁ ଛୁଟି ପାଇଁ ଅନୁରୋଧ କରୁଥିବା ବିଏଲଓଙ୍କୁ ଛୁଟି ଦିଆଯିବା ଦରକାର ଓ ତାଙ୍କ ସ୍ଥାନରେ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବା ଦରକାର। କୋର୍ଟ କହିଛନ୍ତି ଯେ ଅନେକ ବିଏଲଓ ଅସୁସ୍ଥତା କାରଣରୁ ଡ୍ୟୁଟିରୁ ଛୁଟି ଚାହୁଁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଅଭିନେତା ବିଜୟଙ୍କ ପାର୍ଟି ତମିଲେଗା ୱେତ୍ରୀ କଜଗମ (ଟିଭିକେ)ର ପିଟିସନ ଉପରେ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟଯେ ଟିଭିକେ ଦେଶର ବିଭିନ୍ନ ରାଜ୍ୟରେ ବିଏଲଓ ମୃତ୍ୟୁ ବିବାଦ ମଧ୍ୟରେ କୋର୍ଟକୁ ଯାଇଛି। ଟିଭିକେ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରତିନିଧିତ୍ୱ ଅଧିନିୟମ ଧାରା ୩୨ରେ ଜେଲ ପଠାଇବାର ଧମକ ଦେଇ ବିଏଲଓଙ୍କୁ କାମ କରାଉଥିବାର ଅଭିଯୋଗ କରିଛି।

ବିଜୟଙ୍କ ପାର୍ଟି ଟିଭିକେ ତର୍କ ଦେଇଛି ଯେ ପ୍ରତ୍ୟେକ ରାଜ୍ୟରେ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପିଲା ଅନାଥ ହୋଇଯାଇଛନ୍ତି। କାରଣ ନିର୍ବାଚନ ଆୟୋଗ ଧାରା ୩୨ରେ ନୋଟିସ୍ ପଠାଉଛି। ଟିଭିକେ ଦାବି କରିଛି ଯେ କେବଳ ଉତ୍ତରପ୍ରଦେଶରେ ବିଏଲଓଙ୍କ ବିରୋଧରେ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ଏଣୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ ସେ ଏପରି କଠୋର କାର୍ଯ୍ୟାନୁଷ୍ଠାନ କରନ୍ତୁନି। ତେବେ ସୁପ୍ରିମକୋର୍ଟ ବିଏଲଓଙ୍କ ମୃତ୍ୟୁ ଲାଗି ନିର୍ବାଚନ ଆୟୋଗଙ୍କୁ ଦାୟି କରିବା ଲାଗି ଅନୁରୋଧକୁ ଏଡି ଦେଇଛନ୍ତି। ସିଜେଆଇ କହିଛନ୍ତି ଯେ ବିଏଲଓ ରାଜ୍ୟ ସରକାରଙ୍କ କର୍ମଚାରୀ।

ଏସବୁ ମଧ୍ୟରେ ନିର୍ବାଚନ ଆୟୋଗ ଏହି ପିଟିସନକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ନିରାଧାର ବୋଲି କହିଛନ୍ତି । ନିର୍ବାଚନ ଆୟୋଗ ତର୍କ ଦେଇଛନ୍ତି ଯେ ମତଦାତା ପୁନଃ ସତ୍ୟାପନ କାର୍ଯ୍ୟରେ ବିଳମ୍ବ ହେଲେ ନିର୍ବାଚନ ଉପରେ ବଡ଼ ପ୍ରଭାବ ପଡିବ। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁ ଓ କେରଳରେ ଆଗାମୀ ବର୍ଷ ନିର୍ବାଚନ ହେବାକୁ ଅଛି। ପଶ୍ଚିମବଙ୍ଗରେ ମଧ୍ୟ ୨୦୨୫ରେ ନିର୍ବାଚନ ହେବ। ଏଥିରେ ଗୁଜରାଟ ଏବଂ ଉତ୍ତରପ୍ରଦେଶରେ ୨୦୨୭ରେ ନିର୍ବାଚନ ହେବ। ଏବେ ସେଠାରେ ମଧ୍ୟ ଏସଆଇଆର ଜାରି ରହିଛି।