ନୂଆଦିଲ୍ଲୀ ୨୬।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ନୂଆଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲ ଯାଇ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶିବୁ ସୋରେନଙ୍କ ପୁଅ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦିସୋମ ଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିବୁ ସୋରେନଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି।
ଏହା ପୂର୍ବରୁ ବୁଧବାର ଝାଡଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ହସ୍ପିଟାଲକୁ ଆସି ଗୁରୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝି ଥିଲେ। ଏହି ଅବସରରେ ସେ ଶିବୁ ସୋରେନଙ୍କ ପରିଜନଙ୍କୁ ମଧ୍ୟ ଭେଟିଥିଲେ ଓ ତାଙ୍କର ଶୀଘ୍ର ସ୍ୱାସ୍ଥ୍ୟଲାଭ କାମନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଶିବୁ ସୋରେନ ରୁଟିନ ହେଲଥ ଚେକଅପ ପାଇଁ ନୂଆଦିଲ୍ଲୀ ଗସ୍ତରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡି ଯାଇଥିଲା।
ଏଣୁ ତାଙ୍କୁ ତୁରନ୍ତ ସାରଗଙ୍ଗାରାମ ହସ୍ପିଟାଲରେ ଆଡମିଟ କରାଯିବା ସହ ଚିକିତ୍ସା ଆରମ୍ଭ କରାଯାଇଥିଲା। ବୁଧବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଆରମ୍ଭ ହୋଇଥିଲା। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ବୁଧବାର କହିଥିଲେ ଯେ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।