ନୂଆଦିଲ୍ଲୀ ୫।୬: ମନ୍ତ୍ରୀମଣ୍ଡଳ ସୁପାରିଶ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ତମ ଲୋକସଭାକୁ ବୁଧବାର ଭଙ୍ଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ସହିତ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେଇଛନ୍ତି, ଯାହାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି। ଏଥିରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳକୁ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ କହିଛନ୍ତି।
ରାଷ୍ଟ୍ରପତି ଭବନ ସୋସିଆଲ ମିଡିଆ ଏକ୍ସ ରେ ଲେଖାଯାଇଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତଦଶ ଲୋକସଭାକୁ ତତ୍କାଳ ପ୍ରଭାବରେ ଭଙ୍ଗ କରିବା ପାଇଁ ମନ୍ତ୍ରୀମଣ୍ଡଳର ପରାମର୍ଶକୁ ସ୍ୱୀକାର କରିଛନ୍ତି। ଏହା ସହିତ ରାଷ୍ଟ୍ରପତି ସମ୍ବିଧାନର ଅନୁଚ୍ଛେଦ ୮୫ର ଖଣ୍ଡ(୨) ରେ ପ୍ରଦତ ଶକ୍ତିର ପ୍ରୟୋଗ କରି ସପ୍ତଦଶ ଲୋକସଭାକୁ ଭଙ୍ଗ କରିବା ପାଇଁ ଆଦେଶ ପତ୍ରରେ ସ୍ୱାକ୍ଷର କରିଛନ୍ତି। ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ଘୋଷଣା ହୋଇଥିଲା। ଏଥିରେ ବିଜେପି ମେଣ୍ଟ ଏନଡିଏ ସଂଖ୍ୟାଗରିଷ୍ଠତା ପାର କରିଛି।
President Droupadi Murmu has accepted advice of the Cabinet to dissolve the 17th Lok Sabha with immediate effect. The President signed the Order dissolving the 17th Lok Sabha in exercise of the powers conferred upon her by Sub-clause (b) of Clause (2) of Article 85 of the…
— President of India (@rashtrapatibhvn) June 5, 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟବାର ସରକାର ଗଢିବାକୁ ଯାଉଛନ୍ତି। ବିଜେପି ପ୍ରାର୍ଥୀମାନେ ଏଥର ମଧ୍ୟ ମୋଦିଙ୍କ ଚେହେରାରେ ନିର୍ବାଚନ ଲଢିଥିଲେ। ତେବେ ପାର୍ଟିକୁ ୨୪୦ଟି ଆସନ ମିଳିଛି, ଯାହା ସଂଖ୍ୟାଗରିଷ୍ଠ ମତ ୨୭୨ରୁ ବହୁତ କମ୍। ଏଣୁ ବିଜେପିକୁ ଏଥର କେନ୍ଦ୍ରରେ ସରକାର ଗଢିବା ପାଇଁ ମେଣ୍ଟ ସହଯୋଗୀଙ୍କ ଆବଶ୍ୟକ ପଡିବ। ଅପରପଟେ ବିପକ୍ଷ କଂଗ୍ରେସ ୯୯ ଆସନରେ ବିଜୟୀ ହୋଇଛି। ବିରୋଧୀ ଦଳଙ୍କ ମେଣ୍ଟକୁ ୨୩୪ଟି ଆସନ ମିଳିଛି।