କଟକ ୧୫।୭: ରେଭେନ୍ସା ହେଉଛି ଭାରତ ଏବଂ ଓଡ଼ିଶା ଇତିହାସର ସକ୍ରିୟ ଅଂଶୀଦାର, ତେଣୁ ଏହାର ଗାରିମା ବଜାୟ ରଖିବାରେ ପ୍ରତ୍ୟେକ ରେଭେନ୍ସାଭିଆନ ଚେଷ୍ଟିତ ହେବା ଆବଶ୍ୟକ ବୋଲି ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଭାରତୀୟ ମୂଲ୍ୟବୋଧକୁ ଜୀବନର ଦୀକ୍ଷା ଭାବେ ଗ୍ରହଣ କରିବାକୁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି । ପାଠ କେବଳ ଜୀବନ ବିତାଇବାର ମାଧ୍ୟମ ନୁହେଁ, ମଣିଷଟିଏ ହୋଇ ଜୀବନ ଡଙ୍ଗାକୁ ଆଗକୁ ବଢ଼ାଇବାକୁ ହେବ ଏବଂ ସତ୍ୟ ପ୍ରତି ନିଷ୍ଠା ରଖିବାକୁ ହେବ ବୋଲି ରେଭେନ୍ସାଭିଆନ ମାନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଛନ୍ତି । ଶୁଭାଂଶୁ ଶୁକ୍ଳାଙ୍କ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ଶୁଭାଂଶୁ ଆମ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ଆଗକୁ ଏହି ରେଭେନ୍ସାର ଛାତ୍ରଛାତ୍ରୀ ସେହିଭଳି କିଛି ଗୌରବ ଆମ ପାଇଁ ଆଣି ପାରିବେ ବୋଲି ମୁଁ ଆଶା ରଖୁଛି । ତେବେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ଚାକିରି ଖୋଜିବା ଅପେକ୍ଷା ଚାକିରି ପ୍ରଦାନକାରୀ ହୋଇପାରିଲେ ବିକଶିତ ଭାରତ ଗଠନର ସ୍ବପ୍ନ ସାକାର ହୋଇ ପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ବର୍ଷ ୨୦୨୩/୨୪ ଏବଂ ୨୫ ପାଇଁ ଏଥର ସମବର୍ତ୍ତନ ଉତ୍ସବ ପାଳିତ ହୋଇଛି । ପ୍ରଥମ ଥର ଲାଗି ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବା ହେଉଛି ପ୍ରଥମ ଘଟଣା । ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରେଭେନ୍ସା ହେଉଛି ଜାତୀୟ ମୁକ୍ତି ଆନ୍ଦୋଳନର ଅନ୍ତୁଡ଼ିଶାଳ ଏବଂ ଭାଷା ଆନ୍ଦୋଳନର ପ୍ରୟୋଗଶାଳା ଥିଲା ରେଭେନ୍ସା । କିନ୍ତୁ ବର୍ତ୍ତମାନର ବିଶ୍ୱ ହେଉଛି ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ବିଶ୍ୱ । ତେଣୁ AI ରେଭେନ୍ସା ଟେକ୍ନୋଲୋଜିର ପ୍ରୟୋଗଶାଳା ହେଉ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିଛନ୍ତି ।
ଏଥର ମୋଟ୍ ୩୨୯ ଜଣ ପ୍ରତିଭାଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯାଇଛି । ଏହା ସହିତ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ, ମହାକାଶ ଗବେଷକ ଡଃ ଅଜିତ କୁମାର ମହାନ୍ତି, ସାଂସଦ ଡଃ ଭର୍ତ୍ତୃହରି ମହତାବ, ପଦ୍ମଶ୍ରୀ ସାବରମତୀ ଏବଂ ଦୃଷ୍ଟିହୀନ ସାମାଜିକ କର୍ମୀ ଡଃ ବିଜୟ କୁମାର ରଥ ।
ଏହି ସମାବର୍ତ୍ତନ ଉତ୍ସବରେ କୁଳପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅତିଥି ଭାବେ ଯୋଗ ଦେଇଥିଲେ ।
You Can Read:
ଆତ୍ମାହୁତି ସ୍ଥିତି ସୃଷ୍ଟି କରିଥିବା ବ୍ୟକ୍ତି ବି ଆସିବେ ତଦନ୍ତ ପରିସରକୁ, ସରକାରଙ୍କ ଲକ୍ଷ୍ୟ ପୀଡିତାଙ୍କୁ ନ୍ୟାୟ