ନୂଆଦିଲ୍ଲୀ: ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପଶୁପତି ଅଶୋକ ଗଜପତି ରାଜୁ ଗୋଆର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତାଙ୍କୁ ଲଦାଖର ନୂଆ ଏଲ୍ଜି ନିଯୁକ୍ତ କରାଯାଇଛି । ସେହିପରି ପ୍ରଫେସର ଅସୀମ କୁମାର ଘୋଷ ହରିୟାଣାର ନୂତନ ରାଜ୍ୟପାଳ ହେବେ । ଦାୟିତ୍ୱ ଗ୍ରହଣ ପରଠୁ ନିଯୁକ୍ତି ପ୍ରଭାବୀ ହେବ ।
ରାଷ୍ଟ୍ରପତି ଭବନ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଉପରାଜ୍ୟପାଳ ପଦରୁ ବ୍ରିଗେଡିୟର ବିଡି ମିଶ୍ରା (ସେବାନିବୃତ୍ତ)ଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି । ଏଥିରେ କୁହାଯାଇଛି ଯେ କବିନ୍ଦର ଗୁପ୍ତାଙ୍କୁ ଲଦାଖ ଏଲଜି, ରାଜୁଙ୍କୁ ଗୋଆ ରାଜ୍ୟପାଳ ଓ ପ୍ରଫେସର ଅସୀମଙ୍କୁ ହରିୟାଣାର ନୂତନ ରାଜ୍ୟପାଳ ନିଯୁକ୍ତ କରି ରାଷ୍ଟ୍ରପତି ମୁର୍ମୁ ଖୁସି ଅନୁଭବ କରୁଛନ୍ତି ।
ତେଲୁଗୁ ଦେଶମ ପାର୍ଟି ସହ ରାଜନୈତିକ ସମ୍ପର୍କ ରଖିଥିବା ଗଣପତି ରାଜୁ ୨୦୧୮ରୁ ଗୃହ ମାମଲାର ସ୍ଥାୟୀ ସମିତିର ସଦସ୍ୟ ଅଛନ୍ତି । ସେ ପୂର୍ବରୁ ୨୦୧୪ ମେ ୨୭ରୁ ୨୦୧୮ ମାର୍ଚ୍ଚ ୧୦ ଯାଏ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ । ୧୯୭୮ରୁ ୨୦୧୪ ମଧ୍ୟରେ ଗଣପତି ରାଜୁ ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ୭ଥର ନିର୍ବାଚିତ ହୋଇଥିଲେ । ସେ ଆନ୍ଧ୍ର ପ୍ରଦେଶ ସରକାରରେ ବିଭିନ୍ନ ସମୟରେ ଅର୍ଥ, ବାଣିଜ୍ୟ, ଅବକାରୀ ଓ ରାଜସ୍ୱ ପରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ହୋଇଥିଲେ ।
ପ୍ରଫେସର ଅସୀମ କୁମାର ଘୋଷ ଜଣେ ବରିଷ୍ଠ ରାଜନୀତିଜ୍ଞ ଓ ଶିକ୍ଷାବିତ୍ । ସେ ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ । ରାଜନୀତି ବିଜ୍ଞାନର ପ୍ରଫେସର ଘୋଷ ୧୯୯୧ରେ ବିଜେପିରେ ସାମିଲ ହୋଇଥିଲେ । ସେ ୧୯୯୯ରୁ ୨୦୦୨ ଯାଏ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ରହିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଦଳକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
କବିନ୍ଦର ଗୁପ୍ତା ଜମ୍ମୁ କାଶ୍ମୀର ବିଜେପିର ଜଣେ ପ୍ରମୁଖ ଚେହେରା । ସେ ଦୀର୍ଘ ସମୟ ଯାଏ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ଥିଲେ । ସେ ଲଗାତାର ତିନି ଥର (୨୦୦୫-୨୦୧୦) ଜମ୍ମୁର ମେୟର ନିର୍ବାଚିତ ହୋଇଥିଲେ । ଏହା ସହରରେ ଏକ ରେକର୍ଡ । ସେ ପିଡିପି-ବିଜେପି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।