ନବୀନ ନିବାସରେ ପହଞ୍ଚିଲେ ପ୍ରେମ୍ ପଟ୍ଟନାୟକ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ସୂଚନା

Published By : Prameya-News7 Bureau | August 22, 2025 IST

ଭୁବନେଶ୍ବର ୨୨।୮: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ନବୀନଙ୍କୁ ଦେଖିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ ଭାଇ ପ୍ରେମ୍ ପଟ୍ଟନାୟକ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ବଡ ଭାଇ । ମୁମ୍ବାଇରେ ନବୀନଙ୍କ ଚିକିତ୍ସା ବେଳେ ପ୍ରେମ୍ ପଟ୍ଟନାୟକ ଡାକ୍ତରଙ୍କ ସହ ଟିକିନିକି ଆଲୋଚନା କରିଥିଲେ । ଏବେ ସେ ଚିକିତ୍ସିତ ହୋଇ ଫେରିବା ପରେ ପ୍ରେମ୍ ପଟ୍ଟନାୟକ ନବୀନଙ୍କୁ ଭେଟିବା ପାଇଁ ଭୁବନେଶ୍ଵର ଆସିଛନ୍ତି ।

ସେପଟେ ଏହି ସମୟରେ ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସକୁ ଆସିବାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଛି । ପ୍ରେମ୍ ପଟ୍ଟନାୟକଙ୍କ ନବୀନ ନିବାସ ଆସିବା ପଛରେ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ନା ଏହା ପଛରେ ଅନ୍ୟ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି, ଦୁଇ ଭାଇଙ୍କ ଭିତରେ ଖୁବ୍ ଭଲ ଆଲୋଚନା ହେବ । ରାଜ୍ୟର ରାଜନୈତିକ ବିଷୟରେ ମଧ୍ୟ ଆଲୋଚନା ହେବ । ଓଡ଼ିଶା ରାଜନୀତି ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଓଡ଼ିଶା ରାଜନୀତିରେ ବିଜେଡି କେମିତି ଆଗକୁ ବଢିବ ସେନେଇ ଆଲୋଚନା ହେବ । କେଉଁଠି କ'ଣ ତ୍ରୁଟି ଅଛି ସେନେଇ ମଧ୍ୟ ଆଲୋଚନା ହେବ । ଦେଶ ଓ ରାଜ୍ୟ ସ୍ତରର ରାଜନୈତିକ ଆଲୋଚନା ହେବ । ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେଲାଣି । ପ୍ରେମ୍ ପଟ୍ଟନାୟକ କେତେଦିନ ରହିବେ ସେନେଇ ଏବେ ଜଣାପଡିନି ବୋଲି ମନ୍ମଥ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଡିହାଇଡ୍ରେସନ ଯୋଗୁଁ ଗତ ୧୭ ତାରିଖ ଅପରାହ୍ନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ସମ୍‌ ଅଲଟିମେଟ୍‌ ମେଡିକେୟାରର ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ନବୀନଙ୍କ ଚିକିତ୍ସା କରିଥିଲେ । ହସ୍ପିଟାଲ ବେଡ୍‌ରୁ ମଧ୍ୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଦେଇଥିଲେ ନବୀନ । ଏହି ଭିଡିଓ ବାର୍ତ୍ତାରେ ସେ ସମ୍‌ ହସ୍ପିଟାଲର ଡାକ୍ତରଙ୍କୁ ପ୍ରଶଂସା କରିବା ସହ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ସେ ନବୀନ ନିବାସକୁ ଫେରିବେ ଓ ତାଙ୍କ ଶୁଭେଚ୍ଛୁଙ୍କ ସହ ଦେଖା କରିବେ ବୋଲି ବାର୍ତ୍ତା ଦେଇଥିଲେ ନବୀନ । ବୁଧବାର ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ସମ୍‌ ଅଲଟିମେଟ୍‌ ମେଡିକେୟାର ହସ୍ପିଟାଲରୁ ସିଧା ନବୀନ ନିବାସ ଯାଇଥିଲେ । ବୁଧବାର ମଧ୍ୟ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ । 

You Can Read:

ବଲାଣୀ ଟାଉନସିପ୍‌ ଅଞ୍ଚଳରେ ହିଟ୍‌ ଆଣ୍ଡ ରନ୍‌ : ଦୁଇ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଉପରେ ଗାଡି ଚଢାଇ ବୋଲେରୋ ଚମ୍ପଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.