ମଣିପୁରରୁ ଉଠିଲା ରାଷ୍ଟ୍ରପତି ଶାସନ, ସରକାର ଗଠନ ପାଇଁ ଦାବି କଲା ଏନଡିଏ; ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ

NEWS7
pramila-mallick-raection-on-bjd-team-borken-issue

ନୂଆଦିଲ୍ଲୀ: ପୂର୍ବୋତ୍ତର ରାଜ୍ୟ ମଣିପୁରରେ ପ୍ରାୟ ବର୍ଷେ ପରେ ରାଷ୍ଟ୍ରପତି ଶାସନକୁ ହଟାଇ ଦିଆଯାଇଛି । ରାଜ୍ୟାପଳ ଅଜୟ କୁମାର ଭଲ୍ଲାଙ୍କ ସୁପାରିଶରେ ରାଷ୍ଟ୍ରପତି ଏହି ଆଦେଶ ଜାରି କରିଛନ୍ତି । ଏହା ସହ ନୂଆ ସରକାର ଗଠନ ରାସ୍ତା ପ୍ରଶସ୍ତ ହୋଇଛି । ଏନଡିଏ ରାଜ୍ୟର ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛି । ଏବେ ଏନଡିଏ ବିଧାୟକ ଦଳ ନେତା ଖେମଚନ୍ଦ ସିଂହ ଆଜି ସଂଧ୍ୟାରେ ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ରାଜ୍ୟ ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ଲୋକ ଭବନରେ ହେବ ।

ବିଜେପି ମଣିପୁର ୟୁନିଟ୍ ଏକ୍ସ ପୋଷ୍ଟରେ କହିଛି, ୱାଇ ଖେମଚନ୍ଦ ସିଂହଙ୍କ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ଆଜି ସଂଧ୍ୟାରେ ହେବ । ଏଥିରେ ଆହୁରି କୁହାଯାଇଛି ଯେ ତାଙ୍କ ଅନୁଭବ ଓ ଦୂରଦର୍ଶୀ ନେତୃତ୍ୱରେ ମଣିପୁର ଶାନ୍ତି, ବିକାଶ ଓ ସୁଶାସନ ରାସ୍ତାରେ ଆଗକୁ ବଢିବା ପାଇଁ ପ୍ରସ୍ତୁତ ଅଛି, ଯେଉଁଥିରେ ରାଜ୍ୟରେ ସ୍ଥିରତା ଓ ପ୍ରଗତିର ନୂଆ ଯୁଗ ଆରମ୍ଭ ହେବ ।

ସୀମାନ୍ତ ରାଜ୍ୟ ମଣିପୁରରେ ଗତ ବର୍ଷ ଫେବ୍ରୁଆରୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ସିଂହଙ୍କ ନେତୃତ୍ୱରେ ଏନଡିଏ ପ୍ରତିନିଧିମଣ୍ଡଳ ଆଜି ଲୋକ ଭବନ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ସାକ୍ଷାତ ସମୟରେ ପ୍ରତିନିଧିମଣ୍ଡଳରେ ଚୁରାଚାନ୍ଦପୁର ଓ ଫେରଜଲ୍ ପରି କୁକି ବହୁଳ ଜିଲ୍ଲାର ବିଧାୟକ ସାମିଲ ଥିଲେ । ଖେମଚନ୍ଦ ସିଂହଙ୍କୁ ମଙ୍ଗଳବାର ଦିଲ୍ଲୀରେ ବିଜେପି ବିଧାୟକ ଦଳ ନେତା ଓ ପରେ ଏନଡିଏ ବିଧାୟକ ଦଳ ନେତା ଚୟନ କରାଯାଇଥିଲା ।