LIVE TV

ରବର୍ଟ ୱାଡ୍ରାଙ୍କୁ ପ୍ରଥମ ଥର ଅଭିଯୁକ୍ତ କଲା ED, ବ୍ଲାକ୍ ମନି କେସ୍ ରେ ଦାଖଲ ହେଲା ନୂଆ ଚାର୍ଜସିଟ୍

NEWS7
prameya-news-7s-independence-day-reels-contest-mo-desh-mo-gourab

ନୂଆଦିଲ୍ଲୀ ୨୦।୧୧: ବ୍ଲାକ୍ ମନି ଓ ମନିଲଣ୍ଡ୍ରିଂ ସମ୍ପର୍କିତ ଏକ ହାଇପ୍ରୋଫାଇଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ କରି ରବର୍ଟ ୱାଡ୍ରାଙ୍କୁ ପ୍ରଥମ ଥର ଅଧିକାରୀକ ଭାବେ ଅଭିଯୁକ୍ତ କରିଛି। ଲଣ୍ଡନ ପ୍ରପର୍ଟି ଓ କଥିତ କଳାଧନ ନେଣଦେଣ ସମ୍ପର୍କିତ ମାମଲାରେ ଇଡି ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ନୂଆ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି। ଏହି ମାମଲା ୟୁକେର ଡିଫେନ୍ସ ଡିଲର ସଞ୍ଜୟ ଭଣ୍ଡାରୀ ସମ୍ପର୍କିତ ସନ୍ଦିଗ୍ଧ ନେଣଦେଣ ଯାଞ୍ଚରୁ ସାମ୍ନାକୁ ଆସିଥିଲା।

ଇଡି ଅନୁସାରେ ୱାଡ୍ରାଙ୍କ ବୟାନ ଗତ ଜୁଲାଇ ମାସରେ ପିଏମଏଲଏରେ ରେକର୍ଡ କରାଯାଇଥିଲା। ଏଥିରେ ୱାଡ୍ରା ଓ ଭଣ୍ଡାରୀଙ୍କ ମଧ୍ୟରେ ଆର୍ଥିକ ନେଣଦେଣର ଶୃଙ୍ଖଳା ମିଳିଥିବାର ଇଡି ଦାବି କରିଛି, ଯେଉଁଥିରେ ବିଦେଶୀ ପ୍ରପର୍ଟି ଓ ଫଣ୍ଡ ଟ୍ରାନ୍ସଫର ଯାଞ୍ଚ ମଧ୍ୟ ସାମିଲ। ଏହି ମାମଲାରେ ନୂଆ ଚାର୍ଜସିଟ୍ କୁ କେସ୍ ର ଟର୍ଣ୍ଣିଂପଏଣ୍ଟ ବୋଲି ମନେ କରାଯାଉଛି, କାରଣ ୱାଡ୍ରାଙ୍କୁ ପ୍ରଥମ ଥର ସିଧାସଳଖ ଅଭିଯୁକ୍ତ ରୂପେ ନାମିକ କରାଯାଇଛି। ରାଉଜ ଏଭେନ୍ୟୁ କୋର୍ଟ ଖୁବ୍ ଶୀଘ୍ର ଏହି ଚାର୍ଜସିଟ୍ ର ସଂଜ୍ଞାନ ନେବେ। କୁହାଯାଉଛି ଆଗାମୀ ଦିନରେ ଏହି ହାଇ ପ୍ରୋଫାଇଲ କେସ୍ ରେ ରାଜନୈତିକ ଉତ୍ତାପ ବଢିବ। ବର୍ତ୍ତମାନ ଲାଗି ମାମଲାରେ କଂଗ୍ରେସ ଅଥବା ୱାଡ୍ରାଙ୍କ କୌଣସି ବୟାନ ଆସି ନାହିଁ।

ରବର୍ଟ ୱାଡ୍ରାଙ୍କ ବିରୋଧରେ ଇଡି ଯାଞ୍ଚ ଲଣ୍ଡନସ୍ଥିତ ଦୁଇଟି ସମ୍ପତ୍ତି ସମ୍ପର୍କିତ, ଯାହା ବ୍ରିଟେନର ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ନାମରେ ପଞ୍ଜିକୃତ। ତେବେ ଏହି ସମ୍ପତ୍ତି ୱାଡ୍ରାଙ୍କ ବେନାମୀ ସମ୍ପତ୍ତି ବୋଲି ଇଡି ଦାବି କରୁଛି। ଇଡି ଏବେ ଭଣ୍ଡାରୀ ଓ ୱାଡ୍ରାଙ୍କ କଥିତ ସମ୍ପର୍କର ଗହନ ଯାଞ୍ଚ କରୁଛି। ତେବେ ରବର୍ଟ ୱାଡ୍ରା ଏହି ଅଭିଯୋଗକୁ ଏ ପର୍ଯ୍ୟନ୍ତ ଅସ୍ୱୀକାର କରି ଆସୁଛନ୍ତି ଓ ଇଡି ତାଙ୍କୁ ହଇରାଣ କରୁଥିବାର ଅଭିଯୋଗ କରି ଆସୁଛନ୍ତି। ଇଡି ଅଧିକାରୀମାନଙ୍କ କହିବା କଥା ହେଉଛି ବ୍ରାୟନଷ୍ଟନ ସ୍କୋୟାରସ୍ଥିତ ସମ୍ପତ୍ତି ଲାଗି ପଇସା ୱାଡ୍ରା ପୈଠ କରିଥିଲେ ଓ ତାଙ୍କ କହିବା ଅନୁସାରେ ସମ୍ପତ୍ତିର ନବୀକରଣ ମଧ୍ୟ ହୋଇଥିଲା।

ସେହିପରି ୱାଡ୍ରା ତାଙ୍କ ଲଣ୍ଡନ ଯାତ୍ରା କାଳରେ ଅନେକ ଥର ଏଠାରେ ରହିଥିବାର ମଧ୍ୟ ଇଡି ଦାବି କରୁଛି। ଏହି ମାମଲାରେ ଇଡି ୨୦୧୬ ମସିହାରେ ପିଏମଏଲଏ ରେ ମକଦ୍ଦମା ମଧ୍ୟ ରୁଜୁ କରିଥିଲା। ଏବେ ଏହି ଦୁଇଟି ସମ୍ପତ୍ତି ଅପରାଧିକ ଆୟ ରୂପେ ତଦନ୍ତ ପରିସରକୁ ଆସିଛି। ନିକଟରେ ରବର୍ଟ ୱାଡ୍ରା ଏ ନେଇ ଗଣମାଧ୍ୟମ ରିପୋର୍ଟସକୁ ଖଣ୍ଡନ କରିଥିଲେ, ଯେଉଁଥିରେ ସେ ଇଡିଙ୍କ ସମନରୁ ବର୍ତ୍ତୁ ଥିବାର କୁହାଯାଇଥିଲା। ତାଙ୍କ ଓକିଲ ସୁମନ ଜ୍ୟାତି ଖୌତାନ ସ୍ପଷ୍ଟ କରିଛନ୍ତି ଯେ ଏହି ଖବର ସମ୍ପୂର୍ଣ୍ଣ ଅସତ୍ୟ ଓ ତଥ୍ୟ ହୀନ। ସେ କହିଛନ୍ତି ଯେ ଗତ ୧ ଦଶନ୍ଧୀ ହେଲା ୱାଡ୍ରା ଇଡିକୁ ସବୁ ଆବଶ୍ୟକ ଡକ୍ୟୁମେଣ୍ଟ ଯୋଗାଇ ଦେବା ସହ ସବୁ ସମନର ପାଳନ କରିଛନ୍ତି।