ନୂଆଦିଲ୍ଲୀ: କୁକର୍ମର ଫଳ ପାଇଛନ୍ତି ପୂର୍ବତନ ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେବନ୍ନା। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଆଜୀବନ ସଜା ଶୁଣାଇଛନ୍ତି ଏମ୍ଏପିଏମଏଲଏ କୋର୍ଟ। ଆଜି(ରବିବାର) ଠାରୁ ତାଙ୍କର କଏଦୀ ଜୀବନ ଆରମ୍ଭ ହୋଇଛି। ବେଙ୍ଗାଲୁରୁ ପରପ୍ପାନା ଅଗ୍ରହରା ସେଣ୍ଟ୍ରାଲ୍ ଜେଲ୍ରେ ତାଙ୍କ ପରିଚୟ ଏବେ କଏଦୀ ନମ୍ବର ୧୫୫୨୮ । ତାଙ୍କୁ ଦୋଷୀ ବ୍ୟାରେକକୁ ପଠାଇ ଦିଆଯାଇଛି।
ପ୍ରଜ୍ଜ୍ୱଳ ରେଭନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡ଼ାଙ୍କ ନାତୀ। ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀଙ୍କ ପୁତୁରା। ସେ ନିଜେ ଜଣେ ସାଂସଦ ମଧ୍ୟ ଥିଲେ। ପଇସା ପାୱାର ବାହୁ ବଳ ସବୁଥିରେ ଏତେ ମଦମତ୍ତ ହୋଇଯାଇଥିଲେ ଯେ ତାଙ୍କ ପାଇଁ ସାଧାରଣ ଲୋକର ମୂଲ୍ୟ କିଛି ନଥିଲା। ହେଲେ ଆଇନ ଆଖିରେ ଆଜି ସେ ସାଧାରଣ ଲୋକ ଠାରୁ ହୀନ ହୋଇଯାଇଛନ୍ତି।
ଘରୋଇ ସହାୟିକାଙ୍କୁ କାମ କରିବାକୁ ଡକାଇବା, ତାଙ୍କ ସହ ଦୁଷ୍କର୍ମ କରି ଭିଡିଓ କରି ତାଙ୍କୁ ବ୍ଲାକ୍ମେଲ୍ କରିବା, ଏସବୁ ଅତ୍ୟାଚାରର ଫଳ ସେ ଆଜି ପାଇଛନ୍ତି। ଶନିବାର କୋର୍ଟ ତାଙ୍କୁ ଆଜୀବନ ସଜା ଶୁଣାଇବା ସହିତ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ୩୩ ବର୍ଷୀୟ ଅପରାଧୀ ରେବନ୍ନା ମହୀଶୂରରେ ୪୭ ବର୍ଷୀୟ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରି ଏହାର ଭିଡିଓ ରେକର୍ଡିଂ କରିଥିଲେ। ଏହି କୁକର୍ମ ପାଇଁ ଆଇନ ତାଙ୍କୁ ଦଣ୍ଡ ଦେଇଛି। ରେବେନ୍ନା ଦେବାକୁ ଥିବା ଫାଇନ ପୀଡ଼ିତାଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।
ଆଜି ଠାରୁ ରେଭନ୍ନା ସାଧାରଣ କଏଦୀ ପରି ଜୀବନଜାପନ କରିବେ। କଏଦୀଙ୍କ ପୋଷାକ ପିନ୍ଧିବା ସହ ଜେଲ୍ର କଡ଼ା ରୁଟିନ ମାନି ଦୈନିକ ୮ ଘଣ୍ଟା ଶାରୀରିକ ପରିଶ୍ରମ କରିବେ। କର୍ଣ୍ଣାଟକ ପ୍ରିଜନ ମାନୁଆଲରେ ଥିବା ନିୟମ ଅନୁସାରେ ସବୁ କଏଦୀଙ୍କ ପରି ତାଙ୍କୁ ମଧ୍ୟ ସେମିତି ଟ୍ରିଟ୍ କରାଯିବ।
ତାଙ୍କୁ ଏବେ ଜେଲ ବେକେରୀ, ବଗିଚା, ଦୁଗ୍ଧ, ପନିପରିବା ଚାଷ, ବଢ଼େଇ କାମ କିମ୍ବା ହସ୍ତଶିଳ୍ପରେ କାମ କରିବା ପାଇଁ ଅନେକ ଦାୟିତ୍ୱ ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ। ବର୍ତ୍ତମାନ ତାଙ୍କୁ ଅଣକୁଶଳୀ ଶ୍ରମ ପାଇଁ ପ୍ରତି ମାସରେ ୫୨୪ ଟଙ୍କା ପାରିଶ୍ରମିକ ଦିଆଯିବ। କାର୍ଯ୍ୟଦକ୍ଷତା ଏବଂ ଦକ୍ଷତା ବିକାଶ ଉପରେ ନିର୍ଭର କରି, ତାଙ୍କର ବର୍ଗୀକରଣ ଏବଂ ଦରମା ସମୟ ସହିତ ଅର୍ଦ୍ଧ-କୁଶଳୀ କିମ୍ବା କୁଶଳୀ ବର୍ଗକୁ ଉନ୍ନୀତ କରାଯାଇପାରିବ।