LIVE TV

୨୦୦ ବର୍ଷ ପୁରୁଣା ରହସ୍ୟ ଉନ୍ମୋଚନ, ଏଷ୍ଟୁଆରିରୁ ନୂତନ ଫ୍ଲାଉଣ୍ଡର୍ ପ୍ରଜାତି ଆବିଷ୍କାର

NEWS7
postmertam-report-russ-citizen

ବ୍ରହ୍ମପୁର ୨୦।୧୦ : ଭାରତୀୟ ପ୍ରାଣୀ ସର୍ବେକ୍ଷଣର ବୈଜ୍ଞାନିକ ଓ ଗବେଷକମାନଙ୍କ ଦ୍ୱାରା ବାହୁଦା ଏଷ୍ଟୁଆରିରୁ ନୂତନ ଫ୍ଲାଉଣ୍ଡର୍ ପ୍ରଜାତି ଆବିଷ୍କାର ୨୦୦ ବର୍ଷ ପୁରୁଣା ରହସ୍ୟ ପୁଣି ଥରେ ଉନ୍ମୋଚନ ହୋଇଛି ।  ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ଇଷ୍ଟୁଆରିନ ବାୟୋଲଜି ରିଜିଅନାଲ ସେଣ୍ଟର ବୈଜ୍ଞାନିକ ଓ ଗବେଷକମାନେ ଓଡିଶାର ବାହୁଦା ମୁହାଁଣରୁ ଗୋଟିଏ ନୂତନ ଫ୍ଲାଉଣ୍ଡର୍ ପ୍ରଜାତି ଆବିଷ୍କାର କରିଛନ୍ତି। ଏହି ଆବିଷ୍କାର ୨୦୦ ବର୍ଷ ପୁରୁଣା ଗୋଟିଏ ଜୈବିକ ରହସ୍ୟକୁ ଆବିଷ୍କାର କରିଛି। ନୂତନ ଆବିଷ୍କୃତ ପ୍ରଜାତି ର ନାମ ଶେଉଡୋରହୋମ୍ବସ ବାହୁଦାନ୍ସିସ  ରଖାଯାଇଛି। ଏହି ଆବିଷ୍କାର ଦୀର୍ଘଦିନ ଧରି ଗ୍ୟାଙ୍ଗେଟିକ୍ ଲାର୍ଜଟୁଥ୍ ଫ୍ଲାଉଣ୍ଡର୍ Pseudorhombus arsius (ହାମିଲଟନ, ୧୮୨୨) ବିଷୟରେ ରହିଥିବା ଧାରଣାକୁ ପୁନଃ ଉନ୍ମୋଚନ କରିଛି।

ତେବେ ବୈଜ୍ଞାନିକ ଡ଼. ଅନିଲ ମହାପାତ୍ର କହିଛନ୍ତି ଯେ, “Pseudorhombus bahudaensis ଆବିଷ୍କାର କେବଳ ଏକ ନୂତନ ପ୍ରଜାତି ଖୋଜିବା ନୁହେଁ, ଏହା ଦେଖାଇ ଦେଇଛି ଯେ ଆଣବିକ ତଥ୍ୟ ସହିତ ଶାସ୍ତ୍ରୀୟ ଟାକ୍ସୋନୋମିକୁ ଏକତ୍ର କରିଲେ, ସେମାନେ ଅଦୃଶ୍ୟ ଉତ୍ପତ୍ତିରେ ଥିବା ପ୍ରଜାତିଙ୍କୁ ଚିହ୍ନଟ କରିପାରନ୍ତି ଯାହା ମାତ୍ର ଆକୃତି ଦେଖି ବୁଝିବା ଅସମ୍ଭବ। ଏହି ନୂତନ ପ୍ରଜାତି ସ୍ଥାପନ କରିବାକୁ ଆଣବିକ ଓ ଆକୃତି ଜନିତ ତଥ୍ୟ ସଂଗ୍ରହ କରିବାକୁ ଏକ ବର୍ଷ ଲାଗିଛି। ଗୋଟେ ସମୟରେ ଯାହାକୁ ସମଗ୍ର ଇଣ୍ଡୋ-ପାସିଫିକରେ ଏକ ପ୍ରଜାତି ଭାବରେ ମନାଯାଉଥିଲା ଏବେ ତାହା ଅନେକ ଜିନେଟିକ ଭାବେ ଭିନ୍ନ ଶାଖାରେ ବିଭକ୍ତ ହୋଇଛି। ଆଧୁନିକ ଡିଏନଏ ବାରକୋଡିଂ ଓ ଫାଇଲୋଜେନେଟିକ ପ୍ରୟୋଗ କରି ଦଳ ଦୁଇଟି ମୁଖ୍ୟ ଗୋଷ୍ଠୀ ଚିହ୍ନଟ କରିଛି । ଯଥାକ୍ରମେ ଏହା P. arsius ଓ ନୂତନ P. bahudaensisଦୁଇଟି ପ୍ରଜାତିର ଜିନେଟିକ ବିଭାଜନ ପ୍ରାୟ ୧୭ ମିଲିୟନ ବର୍ଷ ପୂର୍ବରୁ ଘଟିଥିବା ଦେଖାଯାଇଛି। ଏହି କାର୍ଯ୍ୟରେ ସ୍ମୃତିରେଖା ଆଚାର୍ଯ୍ୟ, ରାଜେଶ କୁମାର ବେହେରା, ଡ଼ ସ୍ଵରୂପ ରଞ୍ଜନ ମହାନ୍ତି, ଡ଼. ଦୀପଞ୍ଜନ ରାୟ (ସହାୟକ ଅଧ୍ୟାପକ, ବାଜକୁଳ ମିଳନୀ ମହାବିଦ୍ୟାଳୟ), ଶେଷଦେବ ପାତ୍ର (ସହାୟକ ଅଧ୍ୟାପକ, ସମୁଦ୍ର ବିଜ୍ଞାନ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ), ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ର ଓ ବୈଜ୍ଞାନିକ ଅନିଲ ମହାପାତ୍ର ସଂଯୁକ୍ତ ଭାବେ କରିଛନ୍ତି।

ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ରଙ୍କ ମତରେ, ‘ଆକୃତିଗତ ଭାବେ P. bahudaensis ଅତି ସୂକ୍ଷ୍ମ ଭାବରେ ଭିନ୍ନ। ଯଦି ଗୋଟିଏ ସିଧା ରେଖା ପୂଛ ଅଞ୍ଚଳରୁ ମୁଣ୍ଡ ଦିଗକୁ ଲେଖାଯାଏ ତାହା ନୂତନ ପ୍ରଜାତିର ଚକ୍ଷୁ ମଧ୍ୟରୁ ଯାଏ, ଯେଉଁଠି P. arsiusରେ ତାହା ଚକ୍ଷୁ ଉପରେ ଯାଏ।ଏହି ତଥ୍ୟକୁ ପ୍ରମାଣିତ କରିବା ଲାଗି ବିଶେଷଜ୍ଞ ଦଳକୁ ପ୍ରାୟ ଛଅ ମାସ ଲାଗିଛି। ଏହି ପ୍ରଜାତି ପ୍ରଥମେ ଓଡିଶା-ଆନ୍ଧ୍ର ସୀମାରେ ଥିବା ବାହୁଦା ମୁହାଁଣ ରେ ଚିହ୍ନଟ ହୋଇଥିଲା ପରେ ଗୋପାଳପୁର ଓ ପେନ୍ଥକଟା (ପୁରୀ)ରେ ମଧ୍ୟ ଦେଖାଯାଇଛି। ଡ଼ା. ଦୀପଞ୍ଜନ ରାୟ P. arsiusର ଟାଇପ୍ ଲୋକାଲିଟି ରୂପନାରାୟଣ ନଦୀରୁ ନମୁନା ସଂଗ୍ରହ କରି ଏହାର ସଠିକ୍ ସ୍ୱରୂପ ସ୍ପଷ୍ଟ କରିଛନ୍ତି।

GBIFରେ ପୂର୍ବରୁ ଯେ, P. arsius ଭାବରେ ଦର୍ଶାଯାଇଥିବା ଅନେକ ରେକର୍ଡ ବାସ୍ତବରେ P. arsius, P. bahudaensis ଓ ଅନ୍ୟ କ୍ରିପ୍ଟିକ ପ୍ରଜାତିମାନଙ୍କର ମିଶ୍ରଣ ହୋଇଥିବା ସମ୍ଭାବନା ରହିଛି। ଅଣୁଜନ୍ୟ ତଥ୍ୟ ଅନୁଯାୟୀ, P. arsius ଏବେ ଭାରତ ଓ ବାଂଲାଦେଶରେ ନିଶ୍ଚିତ ଭାବରେ ଥିବା ବେଳେ ଅନ୍ୟାନ୍ୟ ସ୍ଥାନର ରେକର୍ଡ ପୁନଃ ଯାଞ୍ଚ ଆବଶ୍ୟକ। ଦୁଇଟି ପ୍ରଜାତି ପ୍ରାୟ ୧୭ ମିଲିୟନ ବର୍ଷ ପୂର୍ବରୁ ବିଭକ୍ତ ହୋଇଥିଲେ ମଧ୍ୟ ତାଙ୍କ ଆକୃତିଗତ ସାମ୍ୟ ରହିଛି ଯାହା ପରିବେଶ ଓ ଜୀବନଶୈଳୀ ସହ ଜଡିତ। ହାପଲୋଟାଇପ ଅଧ୍ୟୟନରୁ ଦେଖାଯାଇଛି ଯେ ଦୁଇ ଲିନିଏଜ୍ ମଧ୍ୟରେ ଜେନେଟିକ ଆଦାନପ୍ରଦାନ ଅତ୍ୟନ୍ତ ସୀମିତ, ଯାହା ସମ୍ଭବତଃ ପ୍ରଜନନ ଅଭିରୁଚି କିମ୍ବା ଅନୁକୂଳ ଆଶ୍ରୟ ଭେଦର ଫଳ।

ଏହି ଆବିଷ୍କାର କେବଳ ଏକ ଦୀର୍ଘସ୍ଥାୟୀ ଟାକ୍ସୋନୋମିକ ସମସ୍ୟାର ସମାଧାନ ନୁହେଁ, ଏହା ଉତ୍ପତ୍ତି ଓ ପରିବର୍ତ୍ତନର ଗଭୀର ଅନୁଧ୍ୟାନକୁ ମଧ୍ୟ ନୂତନ ଦିଗ ଦେଇଛି। ଫ୍ଲାଉଣ୍ଡର୍ ମାଛ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସଠିକ୍ ପ୍ରଜାତି ପରିଚୟ ମାଛ ଧରା ଓ ବ୍ୟବସାୟରେ ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି। ଶେଷରେ ଏହି ଅଧ୍ୟୟନ ଭାରତର ବୃଦ୍ଧିଶୀଳ ସାମୁଦ୍ରିକ ଜୀବ ବିବିଧତା ଗବେଷଣାକୁ ଏକ ନୂତନ ମାନଚିତ୍ର ଦେଇଛି। ଏହି ଗବେଷଣା ସବିଶେଷ ବିବରଣୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା Zootaxaରେ ପ୍ରକାଶିତ ହୋଇଛି।