TATA POWER: ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଜୁଲମ୍ ଚଳାଇଛି ଟାଟା ପାଓ୍ଵାର ! ତେଜିଲାଣି ଅସନ୍ତୋଷ

NEWS7
posters-of-film-malang-released

ଭୁବନେଶ୍ଵର: ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ମନରେ ତେଜିଲାଣି ଅସନ୍ତୋଷ । TPCODLର ଅତିରିକ୍ତ ସୁରକ୍ଷା ଜମା ଦାଖଲ ପାଇଁ ନୋଟିସ ପରେ ବଢ଼ିଲାଣି ବିରୋଧ । ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛି ରାଜ୍ୟ ଉପଭୋକ୍ତା ମହାସଂଘ । ଅନ୍ୟପଟେ ଟାଟା ପାଓ୍ବାର ଅତିରିକ୍ତ ସୁରକ୍ଷା ଜମା ପାଇଁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନୋଟିସ ଦେଉଥିବା ବେଳେ ବଳକା ସୁରକ୍ଷା ଜମା ଫେରାଇବାର ନାଁ ଗନ୍ଧ ଧରୁନି । ଏମିତିରେ ରାଜ୍ୟରେ ଟାଟା ପାଓ୍ବାରର ବିଦ୍ୟୁତ୍ ସେବା ନା କେବଳ ନେବା ନ୍ୟାୟରେ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠାଇଲେଣି ସାଧାରଣ ବିଦ୍ୟୁତ୍ ଉପଭୋକ୍ତା।

ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଜୁଲମ୍ ଚଳାଇଛି କି ଟାଟା ପାଓ୍ବାର ? ଅତିରିକ୍ତ ସୁରକ୍ଷା ଜମା ଦାଖଲ ପାଇଁ TPCODLର ନୋଟିସକୁ ନେଇ ସାଧାରଣରେ ତେଜୁଛି ଅସନ୍ତୋଷ । ଉପଭୋକ୍ତ ଯେତିକି ବିଦ୍ୟୁତ୍ ବ୍ୟବହାର କରୁଛନ୍ତି ସେହି ହିସାବରେ ସେମାନଙ୍କ ଠାରୁ ଦର କଷିନେଉଛି ଟାଟା ପାଓ୍ବାର । ଟଙ୍କାଟେ ବି ଏପସେପଟ ହେବାକୁ ଦେଉନି । ବିଦ୍ୟୁତ୍ ବିଲ୍ ପୈଠରେ ସାମାନ୍ୟ ବିଳମ୍ବ ହେଲେ କେଉଁଠି ମୋଟା ଅଙ୍କର ଫାଇନ୍ କରୁଛି ତ ଆଉ କେଉଁଠି ସିଧା ଖୁଣ୍ଟରେ ଚଢ଼ି ବିଜୁଳି ସଂଯୋଗ କାଟିଦେବାକୁ ବି ପଛାଉ ନାହାନ୍ତି TPCODL କର୍ମଚାରୀ । କେତେବେଳେ ମରାମତି ଆଳରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ହେଲାଣି ତ ଆଉ କେତେବେଳେ ଅଘୋଷିତ ବିଦ୍ୟୁତ୍ କାଟକୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା ।

ଅବଶ୍ୟ ଏବେ ଶୀତ ଦିନ ପାଇଁ ଅଘୋଷିତ ବିଦ୍ୟୁତ୍ କାଟ୍‌ରୁ ସାମାନ୍ୟ ଆଶ୍ବସ୍ଥି ମିଳିଛି । କିନ୍ତୁ ଶୀତ ଦିନରେ ବି ବିଦ୍ୟୁତ୍ ଉପଭୋକ୍ତାଙ୍କ ମୁଣ୍ଡ ଗରମ୍ କରି  ଦେଇଛି ଅତିରିକ୍ତ ସୁରକ୍ଷା ଜମା ଦାଖଲ ପାଇଁ TPCODLର ନୋଟିସ । ବେଲଗାମ୍, ବେଧଡ଼କ ହୋଇ ଟାଟା ପାଓ୍ବାର ମନମାନି ଚଳାଇଛି ବୋଲି ଲୋକେ ଅଭିଯୋଗ କଲେଣି । ଇଏ ହେଉଛି କଟକ ରାଣୀହାଟସ୍ଥିତି ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ । ଯେଉଁଠି ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅତିରିକ୍ତ ସୁରକ୍ଷା ଜମା ଦାଖଲ ପାଇଁ ନୋଟିସକୁ TPCODL ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସାଧାରଣ ବିଦ୍ୟୁତ୍ ଉପଭୋକ୍ତା ।

ଏଠି ଟାଟା ପାଓ୍ବାର ମନମାନିର ଉଦାହରଣ କିଛି କମ୍ ନାହିଁ । କେଉଁଠି ଘରେ ଗୋଟିଏ ବଲବ୍ ଜାଳୁଥିବା ଗରିବ ପରିବାରକୁ ଟାଟା ପାଓ୍ବାର ତରଫରୁ ହୋସ୍ ଉଡ଼ାଇଲା ଭଳି ବିଲ୍ ପଠାଯାଏ ତ ଆଉ କେଉଁଠି ଟାଟା ପାଓ୍ବାର ବିରୋଧରେ ଅଭିଯୋଗ କରୁଥିବା ଲୋକଙ୍କୁ ମନଇଚ୍ଛା ମୋଟା ଅଙ୍କର ବିଲ୍ ପଠାଇ ହଇରାଣ କରିବାକୁ ପଛାନ୍ତି ନାହିଁ TPCODL ଅଧିକାରୀ । କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଟାଟା ପାଓ୍ବାର ଅଫିସରେ ଜଣେ କ୍ୟାନସର ଆକ୍ରାନ୍ତ ମହିଳା ନିଜ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି । ସଂପୃକ୍ତ ମହିଳାଙ୍କ ଅଭିଯୋଗ ଅନୁସାରେ ଟାଟା ପାଓ୍ବାର ତାଙ୍କ ଘରର ବାଉଣ୍ଡାରି ଭିତରେ ୩୩ କେ.ଭି. ବିଦ୍ୟୁତ୍ ପୋଲ ପକାଇଛି ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ ହଟାଇବା ତ ଦୂରର କଥା ଏବେ ମହିଳାଙ୍କ ପାଖକୁ ପଠାଇଛି ୧ଲକ୍ଷ ୨୦ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ । ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ ଟାଟା ପାଓ୍ବାରର ମନମାନି ପାଇଁ ଯଦି ସାଧାରଣ ବିଦ୍ୟୁତ୍ ଉପଭୋକ୍ତ ଶୋଷଣର ଶିକାର ହେବେ ତାହେଲେ ଅସନ୍ତୋଷର ନିଆଁ ଜଳିବ ହିଁ ଜଳିବ ।