ଛେପରୁ ଜଣାପଡିବ ଭବିଷ୍ୟତର ରୋଗ ବିଷୟରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରସ୍ତୁତ ହେଲା କିଟ୍

Published By : Prameya-News7 Bureau | August 06, 2025 IST

AAP

ବୁର୍ଲା ୬।୮: ଛେପରୁ ଭବିଷ୍ୟତରେ ତାଙ୍କୁ ହେବାକୁ ଥିବା ରୋଗ ବିଷୟରେ ଜଣାପଡ଼ିବ । ସମ୍ବଲପୁର ବିଶ୍ୱବିଦ୍ୟାଳୟ   ଅଧୀନ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ  ଦ୍ୱାରା ପୁଣି ଏକ ଗବେଷଣା ସଫଳ ହୋଇଛି । ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା  ବିଜ୍ଞାନ ବିଭାଗ ଏବଂ ଏହି ବିଭାଗର ଷ୍ଟାର୍ଟଅପ୍‌ ୱିଣ୍ଡ  ଡିଏନ୍‌ଏ ଲାଇଫ୍‌ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ   ଉଦ୍ୟମରେ ଏକ କିଟ୍‌  ପ୍ରସ୍ତୁତ କରାଯାଇଛି । ଏଥିରୁ ଲୋକେ ଆଗକୁ ହେବାକୁ ଥିବା ରୋଗ ସମ୍ପର୍କରେ ସୂଚନା ପାଇ ପାରିବେ ବୋଲି  ଆଶା କରାଯାଉଛି । ଉଦ୍ଭାବନ ହୋଇଥିବା କିଟ୍‌ରୁ ଆଗାମୀ ୫ରୁ   ୧୦ ବର୍ଷ ମଧ୍ୟରେ କେଉଁ ମାରାତ୍ମକ ରୋଗ ହେବ   କି ନାହିଁ ତାହା ଆଗୁଆ ଜଣାପଡ଼ିବ ।

ଏହି କିଟ୍‌ରେ ଜଣେ  ବ୍ୟକ୍ତିଙ୍କ ଛେପ ସଂଗ୍ରହ କରାଯିବ । ଏହାକୁ ପରୀକ୍ଷା  ପାଇଁ ମୁମ୍ବାଇ ସ୍ଥିତ ୱିଣ୍ଡ୍‌ ଡିଏନ୍‌ଏ ଲାଇଫ୍‌ ସାଇନ୍ସ  ପ୍ରାଇଭେଟ୍‌ ଲିମିଟେଡ୍‌ ଲ୍ୟାବ୍‌କୁ ପଠାଯିବ । ସେଠାରେ  ପରୀକ୍ଷା ପରେ ଜଣାପଡ଼ିବ ସମ୍ପୃକ୍ତ ବ୍ୟକ୍ତିଙ୍କ କେଉଁ  କେଉଁ ମାରାତ୍ମକ ରୋଗ ହେବା ସମ୍ଭାବନା ରହିଛି ।   ମୁଖ୍ୟତଃ କର୍କଟ, ମଧୁମେହ, ଯକୃତ, ହୃଦ୍‌ରୋଗ  ଏବଂ ଆର୍ଥରାଇଟିସ୍‌ ଭଳି ରୋଗ ହେବ କି ନାହିଁ ତାହା  ଜଣାପଡ଼ିବ । ଏହାସହ ପ୍ରତିକାର ପାଇଁ ଏହି ବିଭାଗ  ଦ୍ୱାରା ଜଡ଼ିବୁଟିରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ପ୍ରଦାନ  କରାଯିବ ବୋଲି ବିଭାଗ ମୁଖ୍ୟ ପ୍ରଫେସର ପ୍ରଦୀପ  କୁମାର ନାୟକ ସୂଚନା ଦେଇଛନ୍ତି । 

ପ୍ରଫେସର ପ୍ରଦୀପ  କୁମାର ନାୟକ କହିଛନ୍ତି, ଏହି କିଟ୍‌  ପ୍ରସ୍ତୁତି ପାଇଁ ଗତ ୨୦୨୯-୨୦ରୁ ଗବେଷଣା ଆରମ୍ଭ  କରାଯାଇଥିଲା । ଷ୍ଟାର୍ଟଅପ୍‌ ସହିତ ଯୋଡ଼ି ହେବା  ପରେ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକଙ୍କ ଡିଏନ୍‌ଏ  ସଂଗ୍ରହ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର  ଜୈବ ପ୍ରଯୁକ୍ତି ବିଦ୍ୟା ଓ ଜୈବ ସୂଚନା ବିଜ୍ଞାନ ବିଭାଗ  ଲ୍ୟାବ୍‌ରେ କେବଳ ଛେପ ସଂଗ୍ରହ କରାଯିବ ଏବଂ  ଏହାକୁ ପରୀକ୍ଷା ପାଇଁ ମୁମ୍ବାଇ ସ୍ଥିତ ଲ୍ୟାବ୍‌କୁ ପଠାଯିବ ।  ଆଗକୁ ଏହି ପରୀକ୍ଷା ସମ୍ବଲପୁର ବିଶ୍ୱବିଦ୍ୟାଳୟରେ   କିପରି ହେବ ଯୋଜନା କରାଯାଉଛି । ପରୀକ୍ଷା ପାଇଁ   କିଟ୍‌ ମାଗଣାରେ ଦିଆଯାଉଥିବା ବେଳେ ପରୀକ୍ଷା ଖର୍ଚ୍ଚ  ୮ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ପରୀକ୍ଷା  ରିପୋର୍ଟ ଆସିବାକୁ ଅତି କମ୍‌ରେ ଏକମାସ ସମୟ  ଲାଗୁଛି । ଚିକିତ୍ସା ବିଜ୍ଞାନରେ ଏହା ଏକ ବଡ଼ ଉପଲବ୍ଧି ।


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.