ନୂଆଦିଲ୍ଲୀ,: ୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ । ଏଥିପାଇଁ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ସହ ଅନୁବନ୍ଧିତ ହୋଇଥିବା ଜଣାପଡ଼ିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଦୁଇ କମ୍ପାନି ଏକତ୍ର ହୋଇ ଭାରତରେ ଏକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବେ । ପ୍ରାଥମିକ ଭାବେ ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା ୫ ନିୟୁତ ଟନ୍ ରହିବ । ଯଦିଓ ପ୍ଲାଣ୍ଟ କେଉଁଠି ସ୍ଥାପନ ହେବ ସେଥିପାଇଁ ଉଭୟ କମ୍ପାନିଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ, ତଥାପି ଏହା ଓଡ଼ିଶାରେ ହୋଇପାରେ ବୋଲି ଅନୁମାନ କରାଯାଉଛି । ନିବେଶ ରାଶିର ଅଧା ଲେଖାଏଁ ଯୋଗଦାନ ଦେବାକୁ ଉଭୟ କମ୍ପାନି ଯୋଜନା ରଖିଥିବା ଜଣାପଡ଼ିଛି ।
ଏମ୍ଓୟୁ ମୁତାବକ ଉଭୟ କମ୍ପାନି ଷ୍ଟିଲ୍, ବ୍ୟାଟେରି ଉପକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । ସୂଚନାଯୋଗ୍ୟ, ୧୨୦୦ କୋଟି ଡଲାର ନିବେଶରେ ଓଡ଼ିଶାରେ ଏକ ୧୦ ଏମ୍ଟିପିଏ କ୍ଷମତାଯୁକ୍ତ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ୨୦୦୫ରେ ପୋସ୍କୋ ଓଡ଼ିଶା ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରିଥିଲା । କିନ୍ତୁ ବିଭିନ୍ନ ମଞ୍ଜୁରି ମିଳିବାରେ ବିଳମ୍ବ ହେତୁ କମ୍ପାନି ଏହି ପ୍ରକଳ୍ପରୁ ଓହରିଯାଇଥିଲା । ପରେ ପୋସ୍କୋ ଅଧିଗ୍ରହଣ କରିଥିବା ୨,୯୦୦ ଏକର ଜମିକୁ ରାଜ୍ୟ ସରକାର ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍କୁ ଏହାର ପ୍ରସ୍ତାବିତ ୧୦ଏମ୍ଟିପିଏ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପ୍ରଦାନ କରିଥିଲେ । ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପର୍ଯ୍ୟାୟ କ୍ରମେ ନୂଆ ଓଡ଼ିଶା ପ୍ଲାଣ୍ଟକୁ ନିର୍ମାଣ କରିବାକୁ ଯୋଜନା କରୁଛି । ତେବେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଏବଂ ପୋସ୍କୋ ଦ୍ୱାରା ପ୍ରସ୍ତାବିତ ୫ ଏମ୍ଟିପିଏ ପ୍ଲାଣ୍ଟ ଓଡ଼ିଶାରେ ଥିବା ସମାନ ଜମିରେ ହେବ ଅବା ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।
ମହାରାଷ୍ଟ୍ରରେ ପୋସ୍କୋର ଏକ ଷ୍ଟିଲ୍ ରୋଲିଂ ପ୍ଲାଣ୍ଟ ଥିବାବେଳେ ଦିଲ୍ଲୀ, ଅହମ୍ମଦାବାଦ, ପୁଣେ, ହାଇଦ୍ରାବାଦ ଏବଂ ଚେନ୍ନାଇରେ ଇସ୍ପାତ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି । ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ, ଷ୍ଟିଲ୍ ପ୍ଲାଣ୍ଟ ବ୍ୟତୀତ ଉଭୟ କମ୍ପାନି ଦେଶର ଅକ୍ଷୟ ଶକ୍ତି ଏବଂ ବ୍ୟାଟେରି ଉପକରଣ କ୍ଷେତ୍ରରେ ନିବେଶ ସୁଯୋଗ ସନ୍ଧାନ କରିବେ । ଇଲେକ୍ଟ୍ରିକ୍ ଯାନ ଏବଂ ଅକ୍ଷୟ ଶକ୍ତି ସହ ଜଡ଼ିତ ବ୍ୟାଟେରି ଉପକରଣ କ୍ଷେତ୍ରରେ ସହଯୋଗିତାର ସମ୍ଭାବନାକୁ ପରଖିବେ । ଏହାର ଉଦ୍ଦେଶ୍ୟ ହେଉଛି ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ୍ ପାଇଁ କ୍ୟାପ୍ଟିଭ୍ ଆବଶ୍ୟକତା ପୂରଣ କରିବା । ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଏବଂ ପୋସ୍କୋ ମଧ୍ୟରେ ସହଯୋଗିତା ଭାରତର ଇସ୍ପାତ ଉତ୍ପାଦନ କ୍ଷମତାକୁ ବଢ଼ାଇବା ସହ ଉଭୟ ଦେଶରେ ସ୍ଥିରତା ପ୍ରୟାସକୁ ଦୃଢ଼ୀଭୂତ କରିବ । ମୁମ୍ବାଇରେ ଜେଏସ୍ଡବ୍ଲ୍ୟୁର କର୍ପୋରେଟ ମୁଖ୍ୟ କାର୍ଯ୍ୟାଳୟରେ ଏହି ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଏ ଅବସରରେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ ପୋସ୍କୋ ଅଧ୍ୟକ୍ଷ ଚାଙ୍ଗ୍ ଇନ୍-ୱାଙ୍କ ସହ ଉଭୟ କମ୍ପାନିଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ଅବସରରେ ଶ୍ରୀ ଜିନ୍ଦଲ କହିଛନ୍ତି, ପୋସ୍କୋ ସହ ସହଯୋଗିତା ଭାରତୀୟ ଇସ୍ପାତ ଶିଳ୍ପକୁ ଆମର ଯୋଗଦାନକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତ ନିରନ୍ତର ବିକାଶର ବିଶାଳ ସମ୍ଭାବନା ସୃଷ୍ଟି କରିଛି । ପୋସ୍କୋ ସହ ସହଯୋଗିତା ଏହି ପରିବର୍ତ୍ତନରେ ସାମିଲ ହେବା ପାଇଁ ଜେଏସ୍ଡବ୍ଲ୍ୟୁର ପ୍ରତିବଦ୍ଧତାକୁ ଅଧିକ ମଜଭୁତ କରିଛି । ଏକ ଆଧୁନିକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଅକ୍ଷୟ ଶକ୍ତି ନିମନ୍ତେ ଏ ସହଯୋଗିତା ଉଲ୍ଲେଖନୀୟ ଅବଦାନ ଦେବ । ଏହାସହିତ ଦେଶରେ ଇଭି ଇକୋସିଷ୍ଟମ୍କୁ ମଜଭୂତ କରିବ ।