ଭୋପାଳ: ଭାରତରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ଇଣ୍ଟରନେଟ୍ରେ ଥିବା ଅଶ୍ଳୀଳ ଭିଡିଓ ଓ ମଦକୁ ଦାୟୀ କରିଛନ୍ତି ମଧ୍ୟପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) କୈଳାସ ମକୱାନା। ପୁଲିସ ଏକାକୀ ଦୁଷ୍କର୍ମକୁ ରୋକି ପାରିବ ନାହିଁ ବୋଲି ମଧ୍ୟ ସେ କହିଚନ୍ତି। ଉଜ୍ଜୟିନୀରେ ବିଭାଗୀୟ ସମୀକ୍ଷା ବୈଠକରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ ଏପରି କହିଛନ୍ତ ମଧ୍ୟପ୍ରଦେଶ ଡିଜିପି।
ସେ କହିଛନ୍ତି ଯେ ଅନଲାଇନରେ ଅଶ୍ଳୀଳ ବିଷୟବସ୍ତୁ ଦିନକୁ ଦିନ ବୃଦ୍ଧି ପାଉଛି ଓ ଏହା ସହଜରେ ଉପଲବ୍ଧ ହେଉଛି। ଯାହାକୁ ଦେଖିବା ପରେ ଯୁବପିଢ଼ିଙ୍କ ମନ ଗଭୀର ଭାବେ ପ୍ରଭାବିତ ହେଉଛି। ଏହା ଦୁଷ୍କର୍ମ ମାମଲା ବୃଦ୍ଧିର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ବୋଲି ଡିଜିପି କହିଛନ୍ତି।
ପିଟିଆଇକୁ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି “ଇଣ୍ଟରନେଟରେ ଯେଭଳି ଭାବରେ ପର୍ଣ୍ଣୋଗ୍ରାଫି ପରିବେଷଣ କରାଯାଉଛି, ପିଲାମାନଙ୍କ ମନ ବିକୃତ ହେଉଛି। ବଳାତ୍କାର ଘଟଣା ବୃଦ୍ଧି ପାଇବା ପଛରେ ଅନେକ କାରଣ ଅଛି। ମୁଁ ଭାବୁଛି ଏଥିରେ ଇଣ୍ଟରନେଟ୍, ମୋବାଇଲ୍ ଫୋନ୍, ଅଶ୍ଳୀଳ ସାମଗ୍ରୀର ଉପଲବ୍ଧତା ଏବଂ ମଦ୍ୟପାନ ଆଦି ରହିଛି। ଆଜି, ମୋବାଇଲ୍ ଫୋନ୍ ମାଧ୍ୟମରେ, କେହି ଜଣେ କୌଣସି ସ୍ଥାନରୁ ଅନ୍ୟ କାହା ସହିତ ଯୋଗାଯୋଗ କରିପାରୁଛି। ସମାଜରେ ନୈତିକତାର ଅବନତିର ଏପରି ଅନେକ କାରଣ ଅଛି। କେବଳ ପୁଲିସ ଏହାକୁ ମୁକାବିଲା କରିବା ସମ୍ଭବ ନୁହେଁ।”
କେବଳ ସେତିକି ନୁହେଁ, ସେ ପରିବାର ମଧ୍ୟରେ ମଧ୍ୟ ନୈତିକ ମୂଲ୍ୟବୋଧର ନିରନ୍ତର ଅବକ୍ଷୟକୁ ଉଲ୍ଲେଖ କରିଛନ୍ତି। ପିଲାମାନେ ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ସମ୍ମାନ ଏବଂ ଆଜ୍ଞା ପାଳନ କରୁଥିବା ସମୟ ଆଜି ଅତୀତର କଥା ହୋଇଯାଇଛି ବୋଲି ସେ କହିଛନ୍ତି। ଡିଜିପି କହିଛନ୍ତି “ଆମେ ଦେଖୁଛୁ ଯେ ଘର ଭିତରେ ମଧ୍ୟ ଲୋକମାନେ ପରସ୍ପର ଉପରେ ନଜର ରଖୁ ନାହାଁନ୍ତି। ପୂର୍ବରୁ ପିଲାମାନେ ସେମାନଙ୍କ ଶିକ୍ଷକ ଏବଂ ପିତାମାତାଙ୍କ କଥା ଶୁଣୁଥିଲେ। ଲଜ୍ଜା କିମ୍ବା ସମ୍ମାନର ଭାବନା ଥିଲା, କିନ୍ତୁ ସେହି ସୀମାଗୁଡ଼ିକ ମଧ୍ୟରୁ ଅନେକ ଏବେ ଉଭାନ ହୋଇଗଲାଣି।”