କେରଳର ଲୋକପ୍ରୀୟ ଡାକ୍ତର ରାୟରୁ ଗୋପାଲଙ୍କ ପରଲୋକ, ୨ଟଙ୍କା ଫି ରେ କରୁଥିଲେ ଚିକିତ୍ସା

Published By : Prameya-News7 Bureau | August 03, 2025 IST

କନ୍ନୁର ୩।୮:  କେରଳର କନ୍ନୁର ଜିଲ୍ଲାରୁ ଏକ ଦୁଃଖଦ ତଥା ଭାବୁକ କରିବା ଭଳି ଖବର ଆସୁଛି। ଏଠାରେ ଜଣେ ଲୋକପ୍ରୀୟ ତଥା ସମାଜସେବୀ ଡାକ୍ତର ଏ.କେ.ରାୟରୁ ଗୋପାଲଙ୍କର ରବିବାର ବୟସାଧିକ୍ୟ କାରଣରୁ ପରଲୋକ ହୋଇଛି। ୮୦ ବର୍ଷ ବୟଷ୍କ ଡା. ରାୟରୁ ଗୋପାଲ ପଛରେ ତାଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କ ପରିବାର ଛାଡି ଯାଇଛନ୍ତି। ଡା. ଗୋପାଲଙ୍କୁ ତାଙ୍କ ଅଞ୍ଚଳରେ ଲୋକେ ଶ୍ରଦ୍ଧାରେ ୨ ଟଙ୍କିଆ ଡାକ୍ତର ଓ ଜନତାଙ୍କ ଡାକ୍ତର କହି ଡାକୁଥିଲେ। 

ଉଲ୍ଲେଖଯୋଗ୍ୟ ଯେ ଡା. ଗୋପାଲ ୫୦ ବର୍ଷରୁ ଅଧିକ କାଳ ଧରି ମାତ୍ର ୨ ଟଙ୍କା ଡାକ୍ତର ଫିରେ ଲକ୍ଷଲକ୍ଷ ଗରିବ ରୋଗୀଙ୍କ ଚିକିତ୍ସା କରିଛନ୍ତି। ଏପରି ସେବା କେବଳ ଦେଖାଇ ହେବା ପାଇଁ ନୁହେଁ ସେ ସମ୍ପୂର୍ଣ୍ଣ ନିଷ୍ଠା ଓ କରୁଣାର ସହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ଯେଉଁମାନେ ମହଙ୍ଗା ଚିକିତ୍ସା କରାଇ ପାରୁନଥିଲେ ସେମାନେ ସକାଳ ପାହିଲେ ତାଙ୍କ ଦ୍ୱାରକୁ ଛୁଟି ଆସୁଥିଲେ। ଡାକ୍ତର ଗୋପାଲ ତାଙ୍କ ବାସଭବନ ‘ଲକ୍ଷ୍ମୀ’ରେ ଏକ ଛୋଟ କ୍ଲିନିକ୍ ଖୋଲି ଥିଲେ। ଏଠାରେ ସେ ଭୋର ୪ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରୋଗୀ ଦେଖୁଥିଲେ। 

ତାଙ୍କ ସେବା ଭାବ କେବଳ ରୋଗୀଙ୍କ ଚିକିତ୍ସାରେ ସୀମିତ ନଥିଲା। ଯେଉଁ ରୋଗୀଙ୍କ ପାଖରେ ଔଷଧ କିଣିବାକୁ ପଇସା ନଥିଲା ସେମାନଙ୍କୁ ସେ ନିଜ ତରଫରୁ ଔଷଧ ବି ଦେଉଥିଲେ। ଏହି କାର୍ଯ୍ୟ ସେ କୌଣସି ସରକାରୀ ସହାୟତା ବିନା ଦୀର୍ଘ ବର୍ଷରୁ କରି ଆସୁଥିଲେ। ତାଙ୍କର ଏପରି ସେବା ଭାବ ସାଧାରଣ ଲୋକଙ୍କ ମନରେ ଖାସ ସ୍ଥାନ ସୃଷ୍ଟି କରିଥିଲା। ତେବେ ଶାରୀରିକ ଦୁର୍ବଳତା କାରଣରୁ ସେ ୨୦୨୪ ମସିହାରୁ ତାଙ୍କର କ୍ଲିନିକ୍ ବନ୍ଦ କରିଦେଇଥିଲେ। 

କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନ ‘ଜନତାଙ୍କ ଡାକ୍ତର’ ଭାବେ ଜଣାଶୁଣା ଡା. ଗୋପାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକଟ କରିଛନ୍ତି। ସେ କହିଛନ୍ତି ଡା. ଗୋପାଲ ଗତ ୫୦ ବର୍ଷ ହେଲା ଲୋକଙ୍କୁ ମାତ୍ର ୨ ଟଙ୍କା ଫିରେ ସେବା ଦେଇ ଆସୁଥିଲେ। ତାଙ୍କର ନିଶ୍ୱାର୍ଥ ଭାବନା ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତ କରିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ସମାଜର ସଚ୍ଚା ସେବକ ବୋଲି କହିଛନ୍ତି। ଡା. ଗୋପାଲଙ୍କ ଜୀବନ ଶୈଳୀ ଓ ସେବା ଭାବ ଆଗାମୀ ପିଢୀଙ୍କ ଲାଗି ଏକ ପ୍ରେରଣା ହୋଇ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.